ହେଡିଂଲେ: ଘରୋଇ ଇଂଲଣ୍ଡ ୨୫୪ ରନ୍ ସଂଗ୍ରହ କରି ଚଳିତ ଆଶେସ୍ ସିରିଜ୍ରେ ବ୍ୟବଧାନକୁ ୧-୨କୁ ହ୍ରାସ କରିଛି । ଏଥିସହ ବେନ୍ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ପଞ୍ଚମ ଥର ପାଇଁ ୨୫୦ରୁ ଊର୍ଦ୍ଧ୍ୱ ରନ୍ର ଟାର୍ଗେଟ୍ ହାସଲ କରିବାରେ ସକ୍ଷମ ହୋଇଛି । ଏ କ୍ଷେତ୍ରରେ ଷ୍ଟୋକ୍ସ ସଫଳତମ ଅଧିନାୟକ ହୋଇପାରିଛନ୍ତି । ଏହି ତାଲିକାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଣ୍ଡିଜ୍ର ବ୍ରାଏନ୍ ଲାରା ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩ଟି ଲେଖାଏଁ ବିଜୟ ସହ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଷ୍ଟୋକ୍ସଙ୍କ ବିଜୟ ହାର ୭୦.୫୮ରେ ପହଞ୍ଚିଯାଇଛି ।
ଅଧିନାୟକ ଦାୟିତ୍ୱ ନେବା ପରେ ଷ୍ଟୋକ୍ସ ଦଳକୁ ୧୭ଟି ଟେଷ୍ଟ୍ରୁ ୧୨ଟିରେ ବିଜୟ ଦେଇଛନ୍ତି । ଏହାଛଡ଼ା ଦ୍ରୁତ ଗତିରେ ରନ୍ ସଂଗ୍ରହ ଉପରେ ଫୋକସ୍ କରିଆସୁଥିବା ଷ୍ଟୋକ୍ସ ଓ ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକ୍କୁଲମ୍ଙ୍କ ଏହି ପ୍ରୟାସ କାରଣରୁ ଇଂଲଣ୍ଡ ନିଜ ନାମରେ ଆଉ ଏକ ରେକର୍ଡ ମଧ୍ୟ କରିଛି । ଇଂଲଣ୍ଡ ପ୍ରଥମ ଦଳ ଯିଏକି କ୍ରମାଗତ ୧୦ଟି ଟେଷ୍ଟ୍ରେ ଓଭର୍ ପିଛା ୪ରୁ ଊର୍ଦ୍ଧ୍ୱ ହାରରେ ରନ୍ ସଂଗ୍ରହ କରିପାରିଛି । ଦଳ ୨୦୨୨ ସେପ୍ଟେମ୍ବର ୮ରୁ ଗତ ୯ ତାରିଖ ମଧ୍ୟରେ ଏହି ଟେଷ୍ଟ୍ଗୁଡ଼ିକ ଖେଳିଛି । ଟେଷ୍ଟ୍ କ୍ରିକେଟ୍ରେ ଦଳର ସର୍ବାଧିକ ରନ୍ ହାର ୫.୯୮ ରହିଛି । ଗତବର୍ଷ ନଟ୍ଟିଂହାମ୍ଠାରେ ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ରେ ୫୦ ଓଭର୍ରେ ୨୯୯ ରନ୍ ସଂଗ୍ରହ କରିଥିଲା । ତା’ଛଡ଼ା ୨୫୦ରୁ ଊର୍ଦ୍ଧ୍ୱ ଟାର୍ଗେଟ୍ ଚେଜ୍ କରିବାକୁ ଯାଇ ଦଳ ୫.୦୮ ହାରରେ ରନ୍ ସଂଗ୍ରହ କରିଛି, ଯାହାକି ପଞ୍ଚମ ସର୍ବାଧିକ ।