34.1 C
Bhubaneswar
Friday, March 29, 2024
Homeଓଡିଶାବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା କାହାଣୀ ଚଳିତ ଶତାବ୍ଦିର ସବୁଠୁ ବଡ ମିଛ: ସତ୍ୟବ୍ରତ...

ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା କାହାଣୀ ଚଳିତ ଶତାବ୍ଦିର ସବୁଠୁ ବଡ ମିଛ: ସତ୍ୟବ୍ରତ ପଣ୍ଡା

 କେବଳ ପ୍ରଚାରରେ ଚାଲିିଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଓ ଜଙ୍ଗଲ ପରିଚାଳନା
 ସଫଳତା କାହାଣୀ ବଖାଣିବା ପୂର୍ବରୁ ସଠିକ୍ “ହୋମ୍ ୱାର୍କ” କରନ୍ତୁ ରାଜ୍ୟ ସରକାର
 ସର୍ବଭାରତୀୟ ସ୍ତରରେ ଓଡିଶା ରାଜ୍ୟ ବନାଗ୍ନିରେ ପ୍ରଥମ, ସମୁଦ୍ର ତଟକ୍ଷୟରେ ୨ୟ, ସମୁଦ୍ର ଘୁଂଚିଯିବାରେ ୨ୟ, ମଣିଷ-ବନ୍ୟଜନ୍ତୁ ଲଢେଇରେ ୧ମ ସ୍ଥାନ ଅଧିକାର କରି ଅଲୋଡା ରେକର୍ଡର ଅଧିକାରୀ ହୋଇଛି
 ବାଜପେୟୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଅନୁଦାନରେ ହୋଇଥିଲା ମହାବାତ୍ୟାର ସଫଳ ମୁକାବିଲା । ୧୨ଟି ବିଦେଶ ରାଷ୍ଟ୍ର ଓ ୧୪ଟି ଆନ୍ତର୍ଜାତିକ ସଂସ୍ଥା ସହାୟତାର ହାତ ବଢାଇଥିଲେ ।
 କାମ୍ଫା ଫଣ୍ଡ ଟଙ୍କାକୁ ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଉପଯୋଗ କରାନଯାଇ ବିଭିନ୍ନ ବିଳାସମୟ ଓ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ଉପଯୋଗ କରାଯାଇଛି
 ଓଡିଶା ସମୁଦ୍ର ତଟର ୩୨ ଶତକଡା ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ୨୨ ଶତକଡା ସମୁଦ୍ର ତଟରୁ ସମୁଦ୍ର ଘୁଂଚି ସାରିଛି
 ଚଳିତ ବନାଗ୍ନି ଋତୁ ଆରମ୍ଭ ହେବା ଦିନରୁ ଓଡିଶାରେ ୮୭୧ଟି ଦେଶର ସର୍ବାଧିକ ବୃହତ ବନାଗ୍ନି ସଂଗଠିତ ହୋଇଥିଲା ।
 ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଦେଶର ସର୍ବାଧିକ ୩୨୨ ଜଣ ଓଡିଶାରେ ମୃତ୍ୟୁ ବରଣ କରିଛନ୍ତି ।
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ରାଜ୍ୟ ସରକାର କେବଳ ବନ୍ୟା ଓ ବାତ୍ୟାରେ ସୀମିତ କରି ରଖିଛନ୍ତି । ଜଙ୍ଗଲ, ପରିବେଶ, ସମୁଦ୍ର, ନଦୀ କ’ଣ ପ୍ରାକୃତିକ ସଂପଦ ନୁହେଁ ? ଏହାର ସଂରକ୍ଷଣ ଓ ସୁରକ୍ଷାର ଦାୟୀତ୍ୱ କ’ଣ ରାଜ୍ୟ ସରକାରଙ୍କର ନୁହେଁ ? ସର୍ବଭାରତୀୟ ସ୍ତରରେ ଓଡିଶା ରାଜ୍ୟ ବନାଗ୍ନିରେ ୧ମ, ସମୁଦ୍ର ତଟକ୍ଷୟରେ ୨ୟ, ସମୁଦ୍ର ଘୁଂଚିଯିବାରେ ୨ୟ, ମଣିଷ-ବନ୍ୟଜନ୍ତୁ ଲଢେଇରେ ୧ମ ସ୍ଥାନ ଅଧିକାର କରି ଅଲୋଡା ରେକର୍ଡର ଅଧିକାରୀ ହୋଇଛି । ଏହାକୁ ରୋକିବାର ରାଜ୍ୟ ସରକାରଙ୍କର କୈାଣସି ଉଦ୍ୟମ ଓ ଇଚ୍ଛାଶକ୍ତି ନାହିଁ । ଏ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରୋକ୍ ଲଗାଇବା ପାଇଁ କୈାଣସି ସମୀକ୍ଷା ମଧ୍ୟ କରୁନାହାନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା କାହାଣୀ ହେଉଛି ଚଳିତ ଶତାବ୍ଦିର ସବୁଠୁ ବଡ ମିଛ । ସଫଳତା କାହାଣି ବଖାଣିବା ପୂର୍ବରୁ ସଠିକ୍ “ହୋମ୍ ୱାର୍କ” କରନ୍ତୁ ରାଜ୍ୟ ସରକାର । ବାସ୍ତବରେ କେବଳ ପ୍ରଚାରରେ ଚାଲିିଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଓ ଜଙ୍ଗଲ ପରିଚାଳନା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯୯୯ର ମହାବାତ୍ୟା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିପୁଳ କେନ୍ଦ୍ରୀୟ ଆର୍ôଥକ ସହାୟତା ଓ ୭ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର ଯୋଗାଣ କାରଣରୁ ଉକ୍ତ ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରାଯାଇପାରିଥିଲା । ଏଥି ସହ ୧୨ଟି ଦେଶ ୧୪ଟି ଆନ୍ତର୍ଜାତିକ ସହାୟତା ସଂସ୍ଥା ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲା ପାଇଁ ଅଜସ୍ର ଅର୍ଥ ରାଶି ଯୋଗାଇ ଦେଇଥିଲେ । ଦେଶର ଅନ୍ୟାନ୍ୟ ରାଜ୍ୟମାନେ ମଧ୍ୟ ବାତ୍ୟାଂଚଳରେ ପୁର୍ନଗଠନ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଥିଲେ । ପରବର୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଆପଦକାଳୀନ ସ୍ଥିତି ପାଇଁ ଆପଦ ପ୍ରତିକ୍ରିୟା ବଳ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଗଠନ କରାଗଲା । ଏହି ଉଭୟ ବଳ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତବର୍ଷରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଆସୁଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନଗଣ୍ୟ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।
ଆଧୁନିକ ବୈଷୟିକ ଜ୍ଞାନର ସଦୁପଯୋଗ କରି ବନ୍ୟା ଓ ବାତ୍ୟାର ଆଗୁଆ ସୂଚନା ମିଳୁଛି ଏବଂ ତଦନୁଯାୟୀ ସତର୍କତା ଅବଲମ୍ବନ କରାଯାଇପାରୁଛି । ଜନଜୀବନ ହାନୀ ନିୟନ୍ତ୍ରିତ ହେଉଛି । ଓଡିଶାରେ ମହାବାତ୍ୟା ପରେ କେନ୍ଦ୍ରୀୟ ଅନୁଦାନରେ ନିର୍ମିତ ପକ୍କା ଆଶ୍ରୟ ସ୍ଥଳି ଗୁଡିକ ବିଶେଷ କାମରେ ଲାଗୁଛି । ଏଥିରେ ରାଜ୍ୟ ସରକାରଙ୍କ ବାହାଦୁରୀ କ’ଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତିି ।
ବିଶେଷ କରି ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ସଂକ୍ରାନ୍ତ ଗୋଲ ଟେବୁଲ ଆଲୋଚନାରେ ଅର୍ଥମନ୍ତ୍ରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମୂଲ୍ୟହୀନ ସମୀକ୍ଷା ଆଳରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସ୍ ବାର୍ତା କୁ ଉଲ୍ଲେଖ କରି ଶ୍ରୀ ପଣ୍ଡା ପ୍ରଦତ ତଥ୍ୟର ବିଶ୍ୱସନୀୟତାକୁ କାଠଗଡାରେ ଛିଡା କରାଇଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଜ୍ୟରେ କାମ୍ଫା ଫଣ୍ଡ ଗଠନ କରାଯାଇଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟକୁ ମିଳିଥିବା ଏହି ପାଣ୍ଠିରୁ ମାତ୍ର ଏକ ତୃତୀୟାଂଶ ଅର୍ଥ ଅର୍ଥାତ ପାଖାପାଖି ୨୦୦୦ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରିଛି । ଏହା ପୁଣି ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଉପଯୋଗ କରାନଯାଇ ବିଭିନ୍ନ ବିଳାସମୟ ଓ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ଉପଯୋଗ କରାଯାଇଛି । ନାମକୁ ମାତ୍ର ନୂତନ ଜଙ୍ଗଲ ସୃଷ୍ଟି ହୋଇଛି କିନ୍ତୁ ଏହି ଜଙ୍ଗଲର ଗୁଣବତା ଅତ୍ୟନ୍ତ ନିମ୍ନସ୍ତରର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବର୍ତମାନ ପ୍ରାକୃତିକ ବିପର୍ଯ୍ୟୟ କେବଳ ବନ୍ୟା ଓ ବାତ୍ୟାରେ ସୀମିତ ନାହିଁ । ସମୁଦ୍ର ତଟବତୀ ଅଂଚଳରେ ଅବକ୍ଷୟ ଓ ଉପକୂଳରୁ ସମୁଦ୍ର କ୍ରମଶଃ ଘୁଂଚି ଯିବା ଏକ ବିରାଟ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଦେଉଛି । ଇସ୍ରୋର ଉପଗ୍ରହ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଓଡିଶା ସମୁଦ୍ର ତଟର ୩୨ଶତକଡା ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ୨୨ ଶତକଡା ସମୁଦ୍ର ତଟରୁ ସମୁଦ୍ର ଘୁଂଚି ସାରିଛି । ଏହା ସମୁଦ୍ର କୂଳ ଥିବା ସମସ୍ତ ଭାରତୀୟ ରାଜ୍ୟଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ଆମ ଉପରକୁ କେବଳ ପଶ୍ଚିମବଙ୍ଗର ୩୬ଶତକଡା ତଟରେ ଅବକ୍ଷୟ ଘଟିଛି ଓ ଆନ୍ଧ୍ରପ୍ରଦେଶର ୨୬ଶତକଡା ଉପକୂଳରେ ସମୁଦ୍ର ଭିତରକୁ ଘୁଂଚିଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେହିପରି ଜଙ୍ଗଲ ନିଆଁକୁ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ ପ୍ରତୀକ ରୂପେ ଗ୍ରହଣ କରାଯାଉଛି । ଚଳିତ ବନାଗ୍ନି ଋତୁ ଆରମ୍ଭ ହେବା ଦିନରୁ ଅର୍ଥାତ୍ ୧ନଭେମ୍ବର ୨୦୨୨ରୁ ୯ମାର୍ଚ୍ଚ ୨୦୨୩ ସୁଦ୍ଧା ଓଡିଶାରେ ୮୭୧ଟି ବୃହତ ବନାଗ୍ନି ସଂଗଠିତ ହୋଇଥିଲା । ଏ ସଂଖ୍ୟା ସମଗ୍ର ଦେଶର ଯେକୌଣସି ରାଜ୍ୟ ପାଇଁ ଏକ ସର୍ବକାଳୀନ ରେକର୍ଡ । ସେହି ସମୟ ମଧ୍ୟରେ ଆମ ପଛକୁ ଆନ୍ଧ୍ରରେ ୭୫୪, କର୍ଣ୍ଣାଟକରେ ୬୪୨, ତେଲେଙ୍ଗାନାରେ ୪୪୭ ଓ ମଧ୍ୟପ୍ରଦେଶରେ ୩୧୬ଟି ବୃହତ ବନାଗ୍ନି ପରିଲକ୍ଷିତ ହୋଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡିଶାରେ ଘଟୁଥିବା ମଣିଷ – ପଶୁ ସଂଘର୍ଷ ଚରମସୀମାରେ ପହଁଚିଛି ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ସୁପରିଚାଳନାର ଦାବୀକୁ ଏକ ପ୍ରହସନରେ ପରିଣତ କରିଦେଇଛି । ଗତ ତିନି ବର୍ଷରେ କେବଳ ହାତୀ ଆକ୍ରମଣରେ ଦେଶର ସର୍ବାଧିକ ୩୨୨ ଜଣ ଓଡିଶାରେ ମୃତ୍ୟୁ ବରଣ କରିଛନ୍ତି । ଆମ ତଳକୁ ଝାଡଖଣ୍ଡରେ ୨୯୧, ପଶ୍ଚିମବଙ୍ଗଳାରେ ୨୪୦, ଆସାମରେ ୨୨୯, ଛତିଶଗଡରେ ୧୮୩ ଓ ତାମିଲନାଡୁରେ ୧୫୨ଜଣ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ସେହିପରି ବିଦ୍ୟୁତ୍ ଆଘାତ ଯୋଗୁଁ ଓଡିଶାରେ ଦ୍ୱିତୀୟ ସର୍ବାଧିକ ୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି । କେବଳ ଆସାମରେ ଆମ ଠାରୁ ଅଧିକ ଅର୍ଥାତ୍ ୩୬ଟି ହାତୀ ମୃତ୍ୟୁବରଣ କରିଛନ୍ତି । ହୁଗୁଳା ଜଙ୍ଗଲ ପ୍ରଶାସନ କାରଣରୁ ମେ’୧ ତାରିଖ ଦିନ ଶିମିଳିପାଳରେ ଏକ ବିରଳ କଳା ବାଘର ମୃତ୍ୟୁ ଘଟିଲା । ଅନ୍ୟପକ୍ଷରେ ଜଙ୍ଗଲ ତସ୍କରଙ୍କ ଗୁଳି ମାଡରେ ଶିମିଳିପାଳର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟିଛି । ଆଧୁନିକ ଅର୍ଥଶସ୍ତ୍ରରେ ସଜ୍ଜିତ ଜଙ୍ଗଲ ତସ୍କରଙ୍କ ସାମ୍ନାରେ ବିଚରା ନିରସ୍ତ୍ର ଜଙ୍ଗଲ ବିଭାଗ କର୍ମଚାରୀ ଠେଙ୍ଗା ଧରି ଜଙ୍ଗଲର ସୁରକ୍ଷା ଯୋଗାଉଛନ୍ତି । ରାଜଧାନୀର ରାଜଭବନରେ ଚନ୍ଦନ ଗଛ ସୁରକ୍ଷିତ ନାହିଁ । ହାତୀ ଭୟରେ କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟ ଭଳି ଆଭ୍ୟନ୍ତରୀଣ ଜିଲ୍ଲା ତ ଦୂରର କଥା ଖୋଦ୍ ରାଜଧାନୀ ଭୁବନେଶ୍ୱର ମଧ୍ୟ ସୁରକ୍ଷିତ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନାମରେ ବିଭାଗୀୟ ମନ୍ତ୍ରୀ ମାନେ ମିଥ୍ୟା ପ୍ରଚାରରୁ ନିବୃତ ହୋଇ ଜଳବାୟୁ ସହନଶୀଳ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଅନ୍ୟତମ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking