କେବଳ ପ୍ରଚାରରେ ଚାଲିିଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଓ ଜଙ୍ଗଲ ପରିଚାଳନା
ସଫଳତା କାହାଣୀ ବଖାଣିବା ପୂର୍ବରୁ ସଠିକ୍ “ହୋମ୍ ୱାର୍କ” କରନ୍ତୁ ରାଜ୍ୟ ସରକାର
ସର୍ବଭାରତୀୟ ସ୍ତରରେ ଓଡିଶା ରାଜ୍ୟ ବନାଗ୍ନିରେ ପ୍ରଥମ, ସମୁଦ୍ର ତଟକ୍ଷୟରେ ୨ୟ, ସମୁଦ୍ର ଘୁଂଚିଯିବାରେ ୨ୟ, ମଣିଷ-ବନ୍ୟଜନ୍ତୁ ଲଢେଇରେ ୧ମ ସ୍ଥାନ ଅଧିକାର କରି ଅଲୋଡା ରେକର୍ଡର ଅଧିକାରୀ ହୋଇଛି
ବାଜପେୟୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଅନୁଦାନରେ ହୋଇଥିଲା ମହାବାତ୍ୟାର ସଫଳ ମୁକାବିଲା । ୧୨ଟି ବିଦେଶ ରାଷ୍ଟ୍ର ଓ ୧୪ଟି ଆନ୍ତର୍ଜାତିକ ସଂସ୍ଥା ସହାୟତାର ହାତ ବଢାଇଥିଲେ ।
କାମ୍ଫା ଫଣ୍ଡ ଟଙ୍କାକୁ ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଉପଯୋଗ କରାନଯାଇ ବିଭିନ୍ନ ବିଳାସମୟ ଓ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ଉପଯୋଗ କରାଯାଇଛି
ଓଡିଶା ସମୁଦ୍ର ତଟର ୩୨ ଶତକଡା ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ୨୨ ଶତକଡା ସମୁଦ୍ର ତଟରୁ ସମୁଦ୍ର ଘୁଂଚି ସାରିଛି
ଚଳିତ ବନାଗ୍ନି ଋତୁ ଆରମ୍ଭ ହେବା ଦିନରୁ ଓଡିଶାରେ ୮୭୧ଟି ଦେଶର ସର୍ବାଧିକ ବୃହତ ବନାଗ୍ନି ସଂଗଠିତ ହୋଇଥିଲା ।
ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଦେଶର ସର୍ବାଧିକ ୩୨୨ ଜଣ ଓଡିଶାରେ ମୃତ୍ୟୁ ବରଣ କରିଛନ୍ତି ।
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ରାଜ୍ୟ ସରକାର କେବଳ ବନ୍ୟା ଓ ବାତ୍ୟାରେ ସୀମିତ କରି ରଖିଛନ୍ତି । ଜଙ୍ଗଲ, ପରିବେଶ, ସମୁଦ୍ର, ନଦୀ କ’ଣ ପ୍ରାକୃତିକ ସଂପଦ ନୁହେଁ ? ଏହାର ସଂରକ୍ଷଣ ଓ ସୁରକ୍ଷାର ଦାୟୀତ୍ୱ କ’ଣ ରାଜ୍ୟ ସରକାରଙ୍କର ନୁହେଁ ? ସର୍ବଭାରତୀୟ ସ୍ତରରେ ଓଡିଶା ରାଜ୍ୟ ବନାଗ୍ନିରେ ୧ମ, ସମୁଦ୍ର ତଟକ୍ଷୟରେ ୨ୟ, ସମୁଦ୍ର ଘୁଂଚିଯିବାରେ ୨ୟ, ମଣିଷ-ବନ୍ୟଜନ୍ତୁ ଲଢେଇରେ ୧ମ ସ୍ଥାନ ଅଧିକାର କରି ଅଲୋଡା ରେକର୍ଡର ଅଧିକାରୀ ହୋଇଛି । ଏହାକୁ ରୋକିବାର ରାଜ୍ୟ ସରକାରଙ୍କର କୈାଣସି ଉଦ୍ୟମ ଓ ଇଚ୍ଛାଶକ୍ତି ନାହିଁ । ଏ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରୋକ୍ ଲଗାଇବା ପାଇଁ କୈାଣସି ସମୀକ୍ଷା ମଧ୍ୟ କରୁନାହାନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା କାହାଣୀ ହେଉଛି ଚଳିତ ଶତାବ୍ଦିର ସବୁଠୁ ବଡ ମିଛ । ସଫଳତା କାହାଣି ବଖାଣିବା ପୂର୍ବରୁ ସଠିକ୍ “ହୋମ୍ ୱାର୍କ” କରନ୍ତୁ ରାଜ୍ୟ ସରକାର । ବାସ୍ତବରେ କେବଳ ପ୍ରଚାରରେ ଚାଲିିଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଓ ଜଙ୍ଗଲ ପରିଚାଳନା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯୯୯ର ମହାବାତ୍ୟା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିପୁଳ କେନ୍ଦ୍ରୀୟ ଆର୍ôଥକ ସହାୟତା ଓ ୭ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର ଯୋଗାଣ କାରଣରୁ ଉକ୍ତ ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରାଯାଇପାରିଥିଲା । ଏଥି ସହ ୧୨ଟି ଦେଶ ୧୪ଟି ଆନ୍ତର୍ଜାତିକ ସହାୟତା ସଂସ୍ଥା ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲା ପାଇଁ ଅଜସ୍ର ଅର୍ଥ ରାଶି ଯୋଗାଇ ଦେଇଥିଲେ । ଦେଶର ଅନ୍ୟାନ୍ୟ ରାଜ୍ୟମାନେ ମଧ୍ୟ ବାତ୍ୟାଂଚଳରେ ପୁର୍ନଗଠନ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଥିଲେ । ପରବର୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଆପଦକାଳୀନ ସ୍ଥିତି ପାଇଁ ଆପଦ ପ୍ରତିକ୍ରିୟା ବଳ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଗଠନ କରାଗଲା । ଏହି ଉଭୟ ବଳ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତବର୍ଷରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଆସୁଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନଗଣ୍ୟ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।
ଆଧୁନିକ ବୈଷୟିକ ଜ୍ଞାନର ସଦୁପଯୋଗ କରି ବନ୍ୟା ଓ ବାତ୍ୟାର ଆଗୁଆ ସୂଚନା ମିଳୁଛି ଏବଂ ତଦନୁଯାୟୀ ସତର୍କତା ଅବଲମ୍ବନ କରାଯାଇପାରୁଛି । ଜନଜୀବନ ହାନୀ ନିୟନ୍ତ୍ରିତ ହେଉଛି । ଓଡିଶାରେ ମହାବାତ୍ୟା ପରେ କେନ୍ଦ୍ରୀୟ ଅନୁଦାନରେ ନିର୍ମିତ ପକ୍କା ଆଶ୍ରୟ ସ୍ଥଳି ଗୁଡିକ ବିଶେଷ କାମରେ ଲାଗୁଛି । ଏଥିରେ ରାଜ୍ୟ ସରକାରଙ୍କ ବାହାଦୁରୀ କ’ଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତିି ।
ବିଶେଷ କରି ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ସଂକ୍ରାନ୍ତ ଗୋଲ ଟେବୁଲ ଆଲୋଚନାରେ ଅର୍ଥମନ୍ତ୍ରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମୂଲ୍ୟହୀନ ସମୀକ୍ଷା ଆଳରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସ୍ ବାର୍ତା କୁ ଉଲ୍ଲେଖ କରି ଶ୍ରୀ ପଣ୍ଡା ପ୍ରଦତ ତଥ୍ୟର ବିଶ୍ୱସନୀୟତାକୁ କାଠଗଡାରେ ଛିଡା କରାଇଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଜ୍ୟରେ କାମ୍ଫା ଫଣ୍ଡ ଗଠନ କରାଯାଇଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟକୁ ମିଳିଥିବା ଏହି ପାଣ୍ଠିରୁ ମାତ୍ର ଏକ ତୃତୀୟାଂଶ ଅର୍ଥ ଅର୍ଥାତ ପାଖାପାଖି ୨୦୦୦ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରିଛି । ଏହା ପୁଣି ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଉପଯୋଗ କରାନଯାଇ ବିଭିନ୍ନ ବିଳାସମୟ ଓ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ଉପଯୋଗ କରାଯାଇଛି । ନାମକୁ ମାତ୍ର ନୂତନ ଜଙ୍ଗଲ ସୃଷ୍ଟି ହୋଇଛି କିନ୍ତୁ ଏହି ଜଙ୍ଗଲର ଗୁଣବତା ଅତ୍ୟନ୍ତ ନିମ୍ନସ୍ତରର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବର୍ତମାନ ପ୍ରାକୃତିକ ବିପର୍ଯ୍ୟୟ କେବଳ ବନ୍ୟା ଓ ବାତ୍ୟାରେ ସୀମିତ ନାହିଁ । ସମୁଦ୍ର ତଟବତୀ ଅଂଚଳରେ ଅବକ୍ଷୟ ଓ ଉପକୂଳରୁ ସମୁଦ୍ର କ୍ରମଶଃ ଘୁଂଚି ଯିବା ଏକ ବିରାଟ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଦେଉଛି । ଇସ୍ରୋର ଉପଗ୍ରହ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଓଡିଶା ସମୁଦ୍ର ତଟର ୩୨ଶତକଡା ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ୨୨ ଶତକଡା ସମୁଦ୍ର ତଟରୁ ସମୁଦ୍ର ଘୁଂଚି ସାରିଛି । ଏହା ସମୁଦ୍ର କୂଳ ଥିବା ସମସ୍ତ ଭାରତୀୟ ରାଜ୍ୟଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ଆମ ଉପରକୁ କେବଳ ପଶ୍ଚିମବଙ୍ଗର ୩୬ଶତକଡା ତଟରେ ଅବକ୍ଷୟ ଘଟିଛି ଓ ଆନ୍ଧ୍ରପ୍ରଦେଶର ୨୬ଶତକଡା ଉପକୂଳରେ ସମୁଦ୍ର ଭିତରକୁ ଘୁଂଚିଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେହିପରି ଜଙ୍ଗଲ ନିଆଁକୁ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ ପ୍ରତୀକ ରୂପେ ଗ୍ରହଣ କରାଯାଉଛି । ଚଳିତ ବନାଗ୍ନି ଋତୁ ଆରମ୍ଭ ହେବା ଦିନରୁ ଅର୍ଥାତ୍ ୧ନଭେମ୍ବର ୨୦୨୨ରୁ ୯ମାର୍ଚ୍ଚ ୨୦୨୩ ସୁଦ୍ଧା ଓଡିଶାରେ ୮୭୧ଟି ବୃହତ ବନାଗ୍ନି ସଂଗଠିତ ହୋଇଥିଲା । ଏ ସଂଖ୍ୟା ସମଗ୍ର ଦେଶର ଯେକୌଣସି ରାଜ୍ୟ ପାଇଁ ଏକ ସର୍ବକାଳୀନ ରେକର୍ଡ । ସେହି ସମୟ ମଧ୍ୟରେ ଆମ ପଛକୁ ଆନ୍ଧ୍ରରେ ୭୫୪, କର୍ଣ୍ଣାଟକରେ ୬୪୨, ତେଲେଙ୍ଗାନାରେ ୪୪୭ ଓ ମଧ୍ୟପ୍ରଦେଶରେ ୩୧୬ଟି ବୃହତ ବନାଗ୍ନି ପରିଲକ୍ଷିତ ହୋଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡିଶାରେ ଘଟୁଥିବା ମଣିଷ – ପଶୁ ସଂଘର୍ଷ ଚରମସୀମାରେ ପହଁଚିଛି ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ସୁପରିଚାଳନାର ଦାବୀକୁ ଏକ ପ୍ରହସନରେ ପରିଣତ କରିଦେଇଛି । ଗତ ତିନି ବର୍ଷରେ କେବଳ ହାତୀ ଆକ୍ରମଣରେ ଦେଶର ସର୍ବାଧିକ ୩୨୨ ଜଣ ଓଡିଶାରେ ମୃତ୍ୟୁ ବରଣ କରିଛନ୍ତି । ଆମ ତଳକୁ ଝାଡଖଣ୍ଡରେ ୨୯୧, ପଶ୍ଚିମବଙ୍ଗଳାରେ ୨୪୦, ଆସାମରେ ୨୨୯, ଛତିଶଗଡରେ ୧୮୩ ଓ ତାମିଲନାଡୁରେ ୧୫୨ଜଣ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ସେହିପରି ବିଦ୍ୟୁତ୍ ଆଘାତ ଯୋଗୁଁ ଓଡିଶାରେ ଦ୍ୱିତୀୟ ସର୍ବାଧିକ ୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି । କେବଳ ଆସାମରେ ଆମ ଠାରୁ ଅଧିକ ଅର୍ଥାତ୍ ୩୬ଟି ହାତୀ ମୃତ୍ୟୁବରଣ କରିଛନ୍ତି । ହୁଗୁଳା ଜଙ୍ଗଲ ପ୍ରଶାସନ କାରଣରୁ ମେ’୧ ତାରିଖ ଦିନ ଶିମିଳିପାଳରେ ଏକ ବିରଳ କଳା ବାଘର ମୃତ୍ୟୁ ଘଟିଲା । ଅନ୍ୟପକ୍ଷରେ ଜଙ୍ଗଲ ତସ୍କରଙ୍କ ଗୁଳି ମାଡରେ ଶିମିଳିପାଳର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟିଛି । ଆଧୁନିକ ଅର୍ଥଶସ୍ତ୍ରରେ ସଜ୍ଜିତ ଜଙ୍ଗଲ ତସ୍କରଙ୍କ ସାମ୍ନାରେ ବିଚରା ନିରସ୍ତ୍ର ଜଙ୍ଗଲ ବିଭାଗ କର୍ମଚାରୀ ଠେଙ୍ଗା ଧରି ଜଙ୍ଗଲର ସୁରକ୍ଷା ଯୋଗାଉଛନ୍ତି । ରାଜଧାନୀର ରାଜଭବନରେ ଚନ୍ଦନ ଗଛ ସୁରକ୍ଷିତ ନାହିଁ । ହାତୀ ଭୟରେ କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟ ଭଳି ଆଭ୍ୟନ୍ତରୀଣ ଜିଲ୍ଲା ତ ଦୂରର କଥା ଖୋଦ୍ ରାଜଧାନୀ ଭୁବନେଶ୍ୱର ମଧ୍ୟ ସୁରକ୍ଷିତ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନାମରେ ବିଭାଗୀୟ ମନ୍ତ୍ରୀ ମାନେ ମିଥ୍ୟା ପ୍ରଚାରରୁ ନିବୃତ ହୋଇ ଜଳବାୟୁ ସହନଶୀଳ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଅନ୍ୟତମ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।