ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ (APICOL) ସଂସ୍ଥା ଦ୍ୱାରା ଭୁବନେଶ୍ୱରର ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ୍, ଏପିକଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର, SLBC ସଂଯୋଜକ, ନାବାର୍ଡ ଓ ଆର୍.ବି.ଆଇର ଜେନେରାଲ ମ୍ୟାନେଜର, ସମସ୍ତ ଜିଲ୍ଲାର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDMs) ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ। ସଭାକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ କୃଷି କ୍ଷେତ୍ରକୁ ଏକ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆ କୃଷି-ଉଦ୍ୟୋଗୀମାନଙ୍କୁ ସମୟସୀମା ମଧ୍ୟରେ ଆବଶ୍ୟକ ଋଣ ଯୋଗାଇ ଦେବାରେ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ରାଜ୍ୟର ସମସ୍ତ ବ୍ୟାଙ୍କ ସହଯୋଗ କରନ୍ତୁ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଯୁବକ, ମହିଳା ଉଦ୍ୟୋଗୀ ଓ ଫାର୍ମର ପ୍ରଡ୍ୟୁସର ଅର୍ଗନାଇଜେସନ ମାନଙ୍କୁ ସହାୟତା କରିଥିବାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏପିକଲ୍ର ପ୍ରଶଂସା କରିଥିଲେ। ରାଜ୍ୟରେ କୃଷି-ବ୍ୟବସାୟକୁ ଆଗକୁ ନେବା ପାଇଁ ସରକାର ଆଗାମୀ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏପିକଲ୍କୁ ₹୨,୪୯୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ। ଏହି ବୈଠକରେ କୃଷି-ଉଦ୍ୟୋଗୀଙ୍କୁ ସହଜରେ ଋଣ ଦେବା, ବ୍ୟାଙ୍କ ଓ ସରକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଏବଂ ଗାଁର ଯୁବକ ଓ ମହିଳାମାନଙ୍କୁ କୃଷି-ବ୍ୟବସାୟରେ ଅଧିକରୁ ଅଧିକ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ବ୍ୟାଙ୍କ ଓ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ସ୍ପଷ୍ଟ ହୋଇଛି ଯେ, କୃଷି-ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ସରକାର, ବ୍ୟାଙ୍କ, ନାବାର୍ଡ, ଆର୍.ବି.ଆଇ ଏବଂ ରାଜ୍ୟସ୍ତରର ସଂସ୍ଥାଗୁଡ଼ିକ ମିଳିମିଶି କାମ କରୁଛନ୍ତି ଏବଂ ରାଜ୍ୟର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି।










