ଭୁବନେଶ୍ୱର: ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡିକୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । କହିଲେ ବିଜୁଙ୍କ ନୀତି ଓ ଆଦର୍ଶରେ ଚାଲିଥିବା ମହିଳାଙ୍କୁ ହୋଇଛି ଅଣଦେଖା । ବିଜେଡିରେ ଜଣେ ବି ମହିଳା ଦଳର ସଭାପତି ପାଇଁ ଯୋଗ୍ୟ ହେଲେନି । ରାଜ୍ୟର ମୁଖିଆ କି ସାଂଗଠନିକ ସମ୍ପାଦକ ହୋଇପାରିଲେ ନାହିଁ । କିଛି ମହିଳା ଅନେକ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ମୁଖିଆଙ୍କ ନଜରରେ ସେମାନେ ମୁଖିଆ ହେବାର ବୋଧେ ଯୋଗ୍ୟ ନଥିଲେ । ୨୪ ବର୍ଷ ଶାସନରେ କେହି ଜଣେ ମହିଳା ମୁଖିଆ ହେବାକୁ ମିଳିଲେ ନାହିଁ । ନା ସେ ଦଳର ମୁଖିଆ କାହାକୁ କରେଇ ଦେଲେ ନାହିଁ ? ମହିଳାଙ୍କ କଥା କହୁଥିବା ଦଳ ଓଡିଆ ମହିଲାଙ୍କୁ ସଭାନେତ୍ରୀ କରିପାରିନି କାହିଁକି? ବିଜୁ ଜନତା ଦଳ କେବଳ କଥାରେ ଧୁରନ୍ଧର ବୋଲି କହିଛନ୍ତି ଶ୍ରୀମୟୀ । ଆହୁରି କହିଛନ୍ତି ମହିଳାଙ୍କୁ ନିଜ ଦଳ ଓ ସରକାରରେ କେବେ ହେଲେ ସର୍ବୋଚ୍ଚ ପଦବୀରେ ରଖିବାର ସାହସ ଜୁଟାଇ ପାରିନାହିଁ, ଏମିତିକି ବିଜୁ ବାବୁଙ୍କ ନାମରେ ହୋଇଥିବା ଟ୍ରସ୍ଟରେ ମଧ୍ୟ କେହି ଜଣେ ମହିଳାଟ୍ରଷ୍ଟି ନାହାନ୍ତି।
ସୁଚେତା କୃପାଳନୀ (ଉତ୍ତର ପ୍ରଦେଶ) ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଆମ ଓଡ଼ିଶାରେ ନନ୍ଦିନୀ ଶତପଥୀ (ଓଡ଼ିଶା) ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଥିଲେ। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନେକ ମହିଳା ନେତ୍ରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରେ ସୁଷମା ସ୍ୱରାଜ ଓ ଶୀଲା ଦୀକ୍ଷିତଙ୍କ ପରେ ଅତିଶୀ ଓ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ମମତା ବାନାର୍ଜୀ(ପଶ୍ଚିମବଙ୍ଗ), ଜାନକୀ ରାମଚନ୍ଦ୍ରନ ଓ ଜେ. ଜୟଲଳିତା(ତାମିଲନାଡୁ),ମାୟାବତୀ(ଉତ୍ତର ପ୍ରଦେଶ), ରାବ୍ରୀ ଦେବୀ(ବିହାର),ଉମା ଭାରତୀ(ମଧ୍ୟପ୍ରଦେଶ) ,ବସୁନ୍ଧରା ରାଜେ(ରାଜସ୍ଥାନ),ଆନନ୍ଦୀବେନ ପଟେଲ(ଗୁଜରାଟ),ମେହବୁବା ମୁଫତି(ଜାମ୍ମୁ ଓ କାଶ୍ମୀର),ସୟଦା ଅନୱାରା ତୈମୁର(ଆସାମ),ରାଜିନ୍ଦର କୌର ଭଟ୍ଟଲ(ପଞ୍ଜାବ) ଓ ଶଶିକଳା କାକୋଦକର ( ଗୋଆ) ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।ରାଜନୈତିକ ଦଳର ସଭାପତି ଭାବେ କଂଗ୍ରେସ ଦଳରେ ଆନି ବେସାନ୍ତ, ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀ ଦାୟିତ୍ୱ ତୁଲାଇଛନ୍ତି। ତାମିଲନାଡୁର ଏଆଇଡିଏମକେ ଦଳରେ ଜେ. ଜୟଲଳିତା ଦୀର୍ଘ ସମୟ ଧରି ସର୍ବୋଚ୍ଚ ନେତ୍ରୀ ଥିଲେ। ବହୁଜନ ସମାଜ ପାର୍ଟିର ସୁପ୍ରିମୋ ଭାବେ ମାୟାବତୀ,ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଭାବେ ସୁନେତ୍ରା ପାୱାର ଓ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଓ ପିଡିପି ମୁଖ୍ୟ ଭାବେ ମେହବୁବା ମୁଫତି ଏବେ ନେତୃତ୍ୱ ନେଉଛନ୍ତି।
ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ (ରାଷ୍ଟ୍ରପତି)- ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଓ ଓଡ଼ିଶାର ଗର୍ବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ସେହିପରି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏପର୍ଯ୍ୟନ୍ତ ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।ରାଜ୍ୟପାଳ ତାଲିକାରେ ଶ୍ରୀମତୀ ସରୋଜିନୀ ନାଇଡୁ, କିରଣ ବେଦୀ, ବିଜୟଲକ୍ଷ୍ମୀ ପଣ୍ଡିତ, ଆନନ୍ଦୀବେନ୍ ପଟେଲ,ଅନୁସୟା ଉଇକେ, ତାମିଲିସାଇ ରାଜନ ମଧ୍ୟ ରହିଛନ୍ତି।










