ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡର୍କୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜନୈତିକ ମହଲରେ ମଧ୍ୟ ବିଭିନ୍ନ ରାଜନେତାମାନେ ନାନା ମତ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟବାସୀ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ପ୍ରକଳ୍ପ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ନେଇ ବିଜେପି ବହୁ ବିଧାୟକ ଏବଂ ସାଂସଦ ଅଭିଯୋଗ କରିଥିଲେ । ଏପରିକି ପ୍ରକଳ୍ପ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଛି । ସେହିପରି ଏଏସ୍ଆଇର କାର୍ଯ୍ୟକୁ ନେଇ ସନ୍ଦେହଜାତ ହୋଇଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ କରିଛି ।
ଏହି ପରିପ୍ରେକ୍ଷୀରେ ବହୁ ବାଦ ବିବାଦ ପରେ ପୁରୀ ଗଜପତି କହିଥିଲେ ଯେ, ଶ୍ରୀମନ୍ଦିରରେ କୌଣସି କ୍ଷତି ଘଟିନି ଏବଂ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଗଜପତିଙ୍କ ମନ୍ତବ୍ୟକୁ ଭିତ୍ତି କରି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଗଜପତିଙ୍କୁ ନାନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ଗଜପତି କେମିତି ଜାଣିଲେ ତଥା କହିପାରିଲେ । ଗଜପତି କେବଳ ଶ୍ରୀମନ୍ଦିର ନୀତିକାନ୍ତି ଓ ଅନ୍ୟାନ୍ୟ ବିଷୟରେ ମତ ଦେଇପାରିବେ ଏବଂ ବିଶେଷଜ୍ଞମାନେ ହିଁ ମନ୍ଦିର ସୁରକ୍ଷା ଉପରେ ମତ ଦେଇପାରିବେ । ମନ୍ଦିର ସୁରକ୍ଷା ନେଇ ଏଏସ୍ଆଇ ଅଧ୍ୟୟନ କରିଥାଏ । ଏଏସ୍ଆଇ ଏ ପର୍ଯ୍ୟନ୍ତ ସୁରକ୍ଷା ନେଇ କୌଣସି ମତ ଦେଇନଥିବା ବେଳେ ଗଜପତି କିପରି କହିପାରିଲେ ଯେ, ମନ୍ଦିର ସୁରକ୍ଷିତ ଅଛି । ଅପରପକ୍ଷେ ଏଏସ୍ଆଇର ଭୂମିକାକୁ ନେଇ ମଧ୍ୟ ବିଜୟ ସନ୍ଦେହ ପ୍ରକାଶ କରିବା ସହ ଏ ଦିଗରେ ଉଚିତ୍ ପଦକ୍ଷେପ ନିଆଯାଉ ବୋଲି ପରାମର୍ଶ ଦେଇଛନ୍ତି ।