ଗଲ: ଶନିବାରଠାରୁ ଏଠାରେ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ଘରୋଇ ଶ୍ରୀଲଙ୍କା ୨୨୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ବିନିମୟରେ ୨୪ ରନ୍ କରିଛି । ଓଫନର ଅବଦୁଲ୍ଲାହ ଶଫିକ୍ ୨ଟି ଚୌକା ସହ ୧୩ ଓ ଇମାମ୍-ଉଲ୍-ହକ୍ ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଝାର୍ ଅଲୀ ୩ ଏବଂ ଅଧିନାୟକ ବାବର୍ ଆଜମ୍ ୧ ରନ୍ କରି ଅପରାଜିତ ଅଛନ୍ତି । ଶ୍ରୀଲଙ୍କା ପକ୍ଷରୁ କାସୁନ୍ ରଜିତା ଓ ପ୍ରବତ୍ ଜୟସୂରିୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ସକାଳେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ତୃତୀୟ ଓଭର୍ରେ ଓପନର ତଥା ଅଧିନାୟକ ଦିମୁଥ୍ କରୁଣାରତ୍ନେ (୧)ଙ୍କ ୱିକେଟ୍ ହରାଇଥିଲା । ଅନ୍ୟତମ ଓପନର ଓଶାଦା ଫର୍ଣ୍ଣାଣ୍ଡୋ ଓ କୁସାଲ୍ ମେଣ୍ଡିସ୍ ୪୯ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ୩ଟି ଚୌକା ଜରିଆରେ ୨୧ ରନ୍ କରିଥିବା ସମୟରେ ମେଣ୍ଡିସ୍ ଆଉଟ୍ ହୋଇଥିଲେ । ଆଞ୍ଜେଲୋ ମାଥ୍ୟୁସ୍ ଖାତା ଖୋଲିବା ପୂର୍ବରୁ ବିଦାୟ ନେବା ପରେ ଶ୍ରୀଲଙ୍କା କ୍ରମାଗତ ଭାବେ ୱିକେଟ୍ ହରାଇଚାଲିଥିଲା । ତେବେ ଇନ୍ଫର୍ମ ବ୍ୟାଟ୍ସମ୍ୟାନ୍ ଦୀନେଶ ଚାଣ୍ଡିମାଲ୍ ଓ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମହୀଶ ତିକ୍ଶାନା ପାକିସ୍ତାନୀ ବୋଲରଙ୍କ ଉଚିତ ମୁକାବିଲା କରି ଦଳୀୟ ସ୍କୋର୍କୁ ୨ ଶହ ପାର୍ କରାଇଥିଲେ ।
ଚାଣ୍ଡିମଲ୍ ୧୦ଟି ଚୌକା ଓ ଗୋଟିଏ ଛକା ସହ ୭୬ ରନ୍ କରିଥିବା ବେଳେ ତିକ୍ଶାନା ୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୮ ରନ୍ର ଯୋଗଦାନ ଦେଇଥିଲେ । ସେହିପରି ଚାଣ୍ଡିମଲ୍ ନବମ ୱିକେଟ୍ରେ ଜୟସୂରିୟା (୩)ଙ୍କ ସହ ୪୪ ରନ୍ ଏବଂ ତିକ୍ଶାନା ଅନ୍ତିମ ୱିକେଟ୍ରେ ରଜିତା (୧୨)ଙ୍କ ସହ ୪୫ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡି’ସିଲ୍ଭା ୧୪, ନିରୋଶନ୍ ଡିକ୍ୱେଲା ୪ ଓ ରମେଶ ମେଣ୍ଡିସ୍ ୧୧ ରନ୍ କରିଥିଲେ । ପାକିସ୍ତାନ ପାଇଁ ଶାହିନ୍ ଶାହ ଆଫ୍ରିଦି ୪ଟି, ହସନ୍ ଅଲୀ ଓ ୟାସିର୍ ଶାହ ୨ଟି ଲେଖାଏଁ ଏବଂ ନସୀମ୍ ଶାହ ଓ ମହମ୍ମଦ ନୱାଜ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।