ପୁରୀ: ଆଜି ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନଗଣତି । ଦିନ ତମାମ ବାହାର କାଠରୁ ଦର୍ଶନ ସାନିଧ୍ୟ ନେବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ହେଉଥିବା ଦିନମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ । ତେବେ ଚଳିତ ମାସରେ ଆହୁରି ୭ ଦିନ ହେବ ଭିତର ଭଣ୍ଡାରରେ ଗଣତିମଣତି କାର୍ଯ୍ୟ । ମେ ୧୯ ,୨୧ ,୨୩ ,୨୬ ,୨୮ ,୨୯ ଓ ୩୦ରେ ହେବ ଭିତର ଭଣ୍ଡାରର ରତ୍ନଅଳଙ୍କାର ଗଣତିମଣତି । ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି ।










