ହାଇଦ୍ରାବାଦ : ଗୋଆରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟ୍ ବିମାନ ଜରୁରୀ ଅବତରଣ କରିଛି । ବିମାନ ଭିତରେ ହଠାତ୍ ଧୂଆଁମୟ ହୋଇଯିବାରୁ ଭୟଭୀତ ହୋଇଯାଇଥିଲେ ଯାତ୍ରୀ । ବୁଧବାର ରାତିରେ ହାଇଦ୍ରାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ସ୍ପାଇସଜେଟ୍ ବିମାନ । ପ୍ଲେନ୍ର କ୍ୟାବିନ୍ ଏବଂ କକପିଟରୁ ଧୂଆଁ ବାହାରିବା ଘଟଣାକୁ ନେଇ ଡିଜିସିଏ ଆରମ୍ଭ କରିଛି ତଦନ୍ତ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଥାଉକି, ସ୍ପାଇସଜେଟର କ୍ୟୁ୪୦୦ବିମାନ ଭିଟି-ଏସକ୍ୟୁବିରେ ମୋଟ ୮୬ ଜଣ ଯାତ୍ରୀ ଥିଲେ । ବୁଧବାର ରାତି ପ୍ରାୟ ୧୧ଟା ବେଳେ ବିମାନଟି ଜରୁରୀ ଅବତରଣ ପାଇଁ ଅନୁମତି ମାଗିବାରୁ ୯ଟି ଫ୍ଲାଇଟର ଗତିପଥ ପରିବର୍ତ୍ତନ କରାଯାଇଥିଲା । ପ୍ଲେନରେ ଆସୁଥିବା ଜଣେ ଯାତ୍ରୀ ଭିତରର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳୁଛି ଯେ, ବିମାନ ଭିତର ପୂରାପୂରି ଭାବେ ଧୂଆଁମୟ ହୋଇଯାଇଛି । ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟ, ଗତ କିଛିଦିନ ମଧ୍ୟରେ ଅନେକ ଥର ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିସାରିଲାଣି ସ୍ପାଇସଜେଟ୍ ବିମାନ ।