ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି l ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିବା ସହ ଏସଆରସି, ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲାପ୍ରଶାସନର ସମନ୍ଵିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l ତେବେ, ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷଣ ନଜର ରଖାଯିବା ସହ ଏହାର ଅବବାହିକା ଅଞ୍ଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ବେଳେ ବାକି ୧୫ଟି ଜିଲ୍ଲା ବନ୍ୟା ଦ୍ଵାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି l ୧୫ଟି ଜିଲ୍ଲାର ୫୭ଟି ବ୍ଲକର ୪୪୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୧୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି l
ତେବେ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଏସଆରସିଙ୍କ ସହ ଜିଲ୍ଲା ପ୍ରଶାସନ ସମନ୍ଵିତ ହୋଇ ଦିନରାତି ଏକ କରି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି l ପ୍ରାୟ ୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁମାନଙ୍କ ପାଇଁ ଶିଶୁଖାଦ୍ୟ, ବୟସ୍କ ଏବଂ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ଡାକ୍ତରୀ ଟିମ୍ ମଧ୍ଯ ନିୟମିତ ରିଲିଫ୍ କେନ୍ଦ୍ର ପରିଦର୍ଶନ କରି ସେବା ପ୍ରଦାନ କରିବାକୁ ନିୟୋଜିତ ହୋଇଛନ୍ତି l ପର୍ଯ୍ୟାପ୍ତ ପରିମାଣରେ ଗୋଖାଦ୍ୟ ମଧ୍ଯ ବିଭିନ୍ନ ଜିଲ୍ଲାରୁ ତ୍ଵରିତ ଯୋଗାଇ ଦିଆଯାଉଛି l ସେହିପରି ଘର ଛାଡି ରିଲିଫ୍ କେନ୍ଦ୍ରକୁ ଆସିବାକୁ ରାଜି ନଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ବୁଝାଯାଇ ସଚେତନ କରାଯାଇ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଛି ; ପାଣିଘେରରେ ନିଜ ଘରେ ଥିବା ଲୋକମାନଙ୍କ ପାଖେ ମଧ୍ଯ ଶୁଖିଲା ଖାଦ୍ୟ ପହଞ୍ଚାଯାଉଛି l
ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତ୍ତନ ସ୍ତର କ୍ରମଶଃ ହ୍ରାସ ପାଇଥିଲା ବେଳେ ମହାନଦୀର ଜଳପତ୍ତନ ସ୍ତର ବିପଦସଙ୍କେତଠୁଁ ସାମାନ୍ୟ ଅଧିକ ରହିଛି l ସେହିପରି ଶୁକ୍ରବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ଥିବା ବେଳେ ମୁଣ୍ଡଳି ଠାରେ ୮,୬୫,୪୭୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା l ତେବେ, ପରେ ପରେ ଆଉ ୧୦ଟି ଗେଟ୍ ଖୋଲା ଯାଇ ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହି ଜଳ ହୀରାକୁଦରୁ ଆସି ମୁଣ୍ଡୁଳି ଠାରେ ପହଞ୍ଚିବାକୁ ପାଖାପାଖି ଚାଳିଶ ଘଣ୍ଟା ସମୟ ଲାଗିବ l ତେବେ ସେତେବେଳକୁ ମୁଣ୍ଡୁଳିଠାରେ ମହାନଦୀର ଜଳସ୍ତର ଅପେକ୍ଷାକୃତ କମ୍ ହୋଇ ଯାଇଥିବାରୁ ଏହି ବନ୍ୟାଜଳ ଦ୍ଵାରା ବିଶେଷ ବିପଦ ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି l ତେବେ ମହାନଦୀର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ସହ ସମନ୍ଵୟ ରକ୍ଷା କରି ଦୃଢ଼ ନଜର ରଖାଯାଇଥିଲା ବେଳେ ଅବବାହିକା ଅଞ୍ଚଳ ତଥା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାମାନଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ସବୁଠି ନିୟୋଜିତ ଅଛନ୍ତି l ରାଜ୍ୟରେ ୧୭ଟି ଓଡ୍ରାଫ୍, ୬ଟି ଏନଡିଆରଏଫ୍ ଏବଂ ୧୧୨ଟି ଅଗ୍ନିଶମ ତଥା ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ସହ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ରିଲିଫ୍ ସମାଗ୍ରୀ ପ୍ରଦାନ କାର୍ଯ୍ୟ ନିରବଚ୍ଛିନ୍ନ ରହିଛି l
ବୈଠକରେ ଯେଉଁ ପର୍ଯ୍ୟନ୍ତ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇ ମାଟି ଶୁଖିଲା ନ ହୋଇଛି, ସେ ପର୍ଯ୍ୟନ୍ତ ସମସ୍ତ ରିଲିଫ କେନ୍ଦ୍ରରେ ସେବା ପ୍ରଦାନ କରି ରଖିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବନ୍ୟା ଜଳ ଛାଡ଼ିବା ପରେ ବିଭିନ୍ନ ରୋଗ ସଂକ୍ରମଣ ତଥା ସାପକାମୁଡା ଆଦି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବାରୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡାକ୍ତର୍, ଆଣ୍ଟି ଭେନମ୍ ଇଞ୍ଜେକସନ୍, ମେଡିସିନ୍ ଆଦି ମହଜୁଦ ରଖାଯାଇଛି l ସେହିପରି ବ୍ଲିଚିଙ୍ଗ୍ ପାଉଡର୍, କ୍ଲୋରିନ୍ ଟାବଲେଟ୍ ଆଦି ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରଖାଯାଇଛି l ଏହି ପରିପ୍ରେକ୍ଷୀରେ ଦୂଷିତ ଜଳ ନ ପିଇ ପାଣି ଫୁଟାଇ ପିଇବାକୁ ଏବଂ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସଚେତନତା ଅବଲମ୍ବନ କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ବନ୍ୟା ଜଳ ଛାଡ଼ିବା ମାତ୍ରକେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ବିଭାଗ ଦ୍ଵାରା ସମସ୍ତ ନଳକୂପ ତଥା ଅନ୍ୟାନ୍ୟ ପାନୀୟ ଜଳ ଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଆବଶ୍ୟକ ମରାମତି କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ପାଣିଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ବିଷୁଦ୍ଧ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରାଯାଇଛି l
ସେହିପରି ବନ୍ୟା ଜଳ ଛାଡିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମନ୍ଵିତ ଭାବେ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ମିଳିତ ସହଯୋଗ ତଥା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l କୃଷକଭାଇଭଉଣୀମାନଙ୍କୁ କ୍ଷୟକ୍ଷତି ପାଇଁ ଆଦୌ ବ୍ୟସ୍ତ ନ ହୋଇ ଏପରି ପ୍ରତିକୂଳ ସମୟରେ ସେମାନଙ୍କ ସହ ରାଜ୍ୟ ସରକାର ଚଟାଣ ପରି ଛିଡ଼ା ହୋଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ଧାନ ତଥା ଶସ୍ଯ ଜାତୀୟ ଫସଲ କିମ୍ବା ପନିପରିବା ସମସ୍ତ ପ୍ରକାର ଚାଷ ନିମନ୍ତେ କ୍ଷତିପୂରଣ ପ୍ରଦାନ ସହିତ ଆବଶ୍ୟକସ୍ଥଳେ କୃଷକମାନଙ୍କୁ ସ୍ଵଳ୍ପ ମିଆଦୀର ବିହନ ମଧ୍ଯ ଯୋଗାଇ ଦିଆଯିବ ବୋଲି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି l
ଏଥିସହିତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ତଥା କୋଠାବାଡ଼ିର ମରାମତି ସହ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି କୌଣସି ବି କ୍ଷତିଗ୍ରସ୍ତ ହୋଇଥିଲେ ତାହାର ମରାମତି ସହ ଆବଶ୍ୟକ ପଦକ୍ଷେପ ନିଆଯିବ l ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ପୋଲ ଆଦିର ମରାମତି ନିମନ୍ତେ ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଥିଲା ବେଳେ ଆଗାମୀ ଦିନରେ ବିପଦପ୍ରବଣ ଅଞ୍ଚଳରେ ରାସ୍ତାମାନଙ୍କର ଉଚ୍ଚତା ବୃଦ୍ଧି କରି ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି l
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡଙ୍ଗୀ, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅସ୍ବତୀ ଏସ୍., ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପାନୀୟ ଜଳ ଯୋଗାଣ ବିଭାଗ, ଜଳସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ l










