ନୂଆଦିଲ୍ଲୀ : ଭାରତର ସ୍ବାଧୀନତାର ୭୫ ବର୍ଷ ପାଳନକୁ ସ୍ମରଣୀୟ କରିବା ପାଇଁ ତଥା ଏହାର ଗୌରବମୟ ଇତିହାସ, ସଂସ୍କୃତି ଓ ସଫଳତାର ସ୍ମୃତି ଚାରଣ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହା ବିକାଶଶୀଳ ଭାରତର ସାମାଜିକ-ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ପରିଚୟର ଏକ ନିଦର୍ଶନ ଅଟେ।
ଅମୃତ ମହୋତ୍ସବର ପାଳନ ସ୍ବରୂପ, ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ମିଶି ଦେଶର ବିଭିନ୍ନ ଭୌଗୋଳିକ ସ୍ଥାନର କଳାକାରମାନଙ୍କ ଦ୍ବାରା ତିଆରି ଫଟୋ ଚିତ୍ରର ଏକ ସିରିଜକୁ ପ୍ରଦର୍ଶିତ କରାଯିବ। ଏହି କଳାର ପ୍ରମୁଖ ବିଷୟବସ୍ତୁ ହେଉଛି ସ୍ବାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କୁ ସମ୍ମାନିତ କରିବା। ଏହି କଳାତ୍ମକ ଚିତ୍ରଣ ମାଧ୍ୟମରେ ଜନସାଧାରଣ ପ୍ରେରଣା ଗ୍ରହଣ କରିପାରିବେ। ଗଣତନ୍ତ୍ର ଦିବସ ୨୦୨୨ ଅବସରରେ ଦିଲ୍ଲୀର ରାଜପଥରେ ଏହି ଫଟୋ ଚିତ୍ର ଗୁଡ଼ିକୁ ପ୍ରଦର୍ଶିତ କରାଯିବ।
ପଞ୍ଚସ୍ତରି ମିଟର ଲେଖାଏଁ ଦଶଟି ସ୍କ୍ରୋଲ୍ (ଏହା୧୪-୧୫ଫୁଟ ଉଚ୍ଚତା ବିଶିଷ୍ଟ ହେବ) କୁ ଉପସ୍ଥାପିତ କରାଯିବ। ଏଥିରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ଫଟୋ ଚିତ୍ର ପ୍ରଦର୍ଶନୀ ଆଜାଦି କା ଅମୃତ ମହୋତ୍ସବର ମହାନ ଉତ୍ସବ ସମ୍ବନ୍ଧୀୟ ଅନ୍ତର୍ନିହିତ କଳାତ୍ମକ ଦୃଶ୍ୟକୁ ପ୍ରତିଫଳିତ କରିବ ଏବଂ ଆମର ଜାତୀୟ ଗର୍ବକୁ ମଧ୍ୟ ଉପସ୍ଥାପନ କରିବ।
ରାଜପଥରେ ଏହି ଚିତ୍ର ଗୁଡିକ ପ୍ରମୁଖ ସ୍ଥାନରେ ସମସ୍ତ ନାଗରିକଙ୍କ ପାଇଁ ଏକ ଖୋଲା ଗ୍ୟାଲେରୀ ଭାବରେ ଉପସ୍ଥାପନ କରାଯିବ ଏବଂ ଏହା ଭରତର ସମୃଦ୍ଧ ଜାତୀୟ ଐତିହ୍ୟ ଏବଂ ଭରତର ସଂସ୍କୃତି ବିଷୟରେ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ । ଏହି ଚିତ୍ରିତ କଳାକୃତି ଗୁଡିକ ଖୋଲା ଆକାଶ ତଳେ ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହିତ ଜାତୀୟ ଗର୍ବ ଏବଂ ଉତ୍କର୍ଷତାକୁ ପ୍ରକାଶ କରିବାର ଏକ ମାଧ୍ୟମ ଭାବରେ କଳାର ସୌନ୍ଦର୍ଯ୍ୟକୁ ଉପସ୍ଥାପିତ କରିବ।
ପାରମ୍ପରିକ କଳା ଏବଂ ସମସାମୟିକ ଅଭିବ୍ୟକ୍ତିକୁ ପ୍ରତିଫଳିତ କରିବାକୁ ଏହି ଫଟୋଚିତ୍ର ଗୁଡିକ ପ୍ରସ୍ତାବିତ, ଯାହାକି ଭାରତର ସମୃଦ୍ଧ ସାଂସ୍କୃତିକ ତଥା କଳା ଐତିହ୍ୟର ଗୁରୁତ୍ବ ପ୍ରଦର୍ଶନ କରିବା ସହିତ ଆମ ଦେଶ ତଥା ଏହାର ଲୋକମାନଙ୍କର ଗୌରବମୟ ଇତିହାସ ଏବଂ ଆମର ସ୍ବାଧୀନତା ସଂଗ୍ରାମୀମାନଙ୍କର ଅବଦାନକୁ ପ୍ରଦର୍ଶିତ କରିବ।