ଭୁବନେଶ୍ୱର: ଖୁବ୍ଶୀଘ୍ର ରାଜ୍ୟରେ ଆଳୁର ଦର ଅହେତୁକ ଭାବେ କମିବ। କେଜି ପ୍ରତି ୧୦ରୁ ୧୨ଟଙ୍କା ହୋଇଯିବ। ଏହାର ପ୍ରମୁଖ କାରଣ ହେଉଛି ସରକାର ଟ୍ରେନ ଯୋଗେ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣୁଥିବାବେଳେ ପଶ୍ଚିମବଙ୍ଗରୁ ବର୍ତ୍ତମାନ ସୁଦ୍ଧା ୪୦୦ ଟ୍ରକ୍ରେ ଆଳୁ ଆସିସାରିଲାଣି। ତେଣୁ ଆଳୁ ଦର ବୃଦ୍ଧି ନେଇ ଏତେ ଚିନ୍ତା ପ୍ରକଟ କରିବା ଠିକ୍ ନୁହେଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।
ଶନିବାର ପୂର୍ବ କଥା ଦୋହରାଇ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଆଳୁ ସମସ୍ୟା ପ୍ରାୟତଃ ଦୂର ହୋଇଛି। ଏବେ ପିଆଜ ଦର ହ୍ରାସ ପାଇଁ ବ୍ୟବସ୍ଥା ହେଉଛି। ନାଫେଡ୍ ସହ କଥା ହୋଇଛୁ। ସେମାନଙ୍କ ପାଖରେ ୨ଲକ୍ଷ ମେଟ୍ରିକ ଟନ୍ ପିଆଜ ଅଛି। ଯେତେ ଆବଶ୍ୟକ ସେତେ ପିଆଜ ଦେବାକୁ ନାଫେଡ୍ ସହମତି ପ୍ରକାଶ କରିଛନ୍ତି। ଏବେ ଦିନକୁ ନାଫେଡ୍ ଦୁଇ ଟ୍ରକ୍ ପିଆଜ ଦେବ। ଫଳରେ ପିଆଜ ଦର ଏବେ ସାମାନ୍ୟ ବଢ଼ିଥିଲେ ବି ଖୁବଶୀଘ୍ର ନିୟନ୍ତ୍ରଣକୁ ଅଣାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।










