ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହିଳା କଂଗ୍ରେସର ସାଙ୍ଗଠନିକ ବୈଠକ ସାଲିଆ ସାହିର ବାଜପେୟ ନଗରସ୍ଥିତ କମ୍ୟୁନିଟ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ମହିଳା କଂଗ୍ରେସର ସମ୍ପାଦିକା ଶ୍ରୀମତୀ ରୀତା ପଣ୍ଡା ଯୋଗ ଦେଇ କହିଲେ ଯେ, ଖୁବ୍ଶୀଘ୍ର ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର ଜିଲ୍ଲା କମିଟି, ବ୍ଲକ କମିଟି ଓ ବୁଥ୍ କମିଟି ଗଠନ ହେବ । ଭୁବନେଶ୍ୱରରେ ମହିଳା ମାନଙ୍କର ସୁରକ୍ଷା, ବସ୍ତି ବାସିନ୍ଦାଙ୍କ ଦୂରାବସ୍ଥା, ବିପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥା ଓ ଡ୍ରେନ ସମସ୍ୟା ଆରମ୍ଭ କରି ଉଠା ଦୋକାନୀଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ମହିଳା କଂଗ୍ରେସ ସାଧାରଣ ଜନତାର ଅଧିକାର ଓ ସୁରକ୍ଷା ପାଇଁ ଲଢ଼େଇ କରିବ । ବିଶେଷ କରି ଭୁବନେଶ୍ୱରରେ ମହିଳାମାନଙ୍କର ଅଧିକାର ଏବଂ ମହିଳାମାନଙ୍କର ଯେଉଁ ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ ହେବ । ଦୁର୍ଦ୍ଦଶାଗ୍ରସ୍ତ ମହିଳାମାନଙ୍କ ପାଖକୁ ମହିଳା କଂଗ୍ରେସ ନେତ୍ରୀମାନେ ଯାଇ ତାଙ୍କୁ ସାହାଯ୍ୟ ଯୋଗାଇଦେବେ । ମହିଳାମାନଙ୍କର ଅଧିକାର ପାଇଁ ଭୁବନେଶ୍ୱରରେ ଗଣବିପ୍ଳବ କରିବା ପାଇଁ ଜିଲ୍ଲା ମହିଳା କଂଗ୍ରେସ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ । ଏହି କାର୍ଯ୍ୟକ୍ରମରେ ୩୩ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ଦସ୍ତଖତ ଅଭିଯାନ ଏବଂ ମିସ୍ଡ କଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଆଜି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଅଖିଳ ଭାରତ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକ ଶ୍ରୀମତୀ ରୀତା ପଣ୍ଡା ଏବଂ ପ୍ରଦେଶ ମହିଳା କଂଗ୍ରେସ ଗଣମାଧ୍ୟମର ଅଧ୍ୟକ୍ଷା ଶ୍ରୀମତୀ ଜୟସ୍ମିତା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନାରୀମାନଙ୍କ ସମସ୍ୟା ଏବଂ ରାଜ୍ୟ ବିଜେପି ସରକାରର ଉଦାସୀନତା ସଂପର୍କରେ ଆଲୋକପାତ କରିଥିଲେ ।
ଶ୍ରୀମତୀ ପଣ୍ଡା କହିଥିଲେ ଯେ ବିଜେପି ଦଳ ମହିଳାଙ୍କୁ ସୁରକ୍ଷା ଏବଂ ସ୍ୱାବଲମ୍ବି କରିବେ ବୋଲି ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ ମହିଳାମାନଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ଓଡ଼ିଶାରେ ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମ ଶିକାର ହେଉଥିବାବେଳେ ପ୍ରଶାସନ ପୀଡିତାକୁ ନ୍ୟାୟ ଦେବାରେ ଉଦାସୀନତା ପ୍ରଦର୍ଶନ କରୁଛି । ଓଡ଼ିଶାରେ ୬୦ ହଜାର ମହିଳା ଓ ଶିଶୁ ନିଖୋଜ ଥିବାବେଳେ ସେମାନଙ୍କୁ ଖୋଜିବାକୁ ସରକାର ଚିନ୍ତିତ ନୁହଁନ୍ତି । ସରପଞ୍ଚ ଚାମେଲୀ ଓଝା ଘଟଣାରେ ସ୍ଥାନୀୟ ବିଧାୟକ, ବିଡିଓ, ଥାନା ଅଧିକାରୀଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର କାର୍ଯ୍ୟ କରିବା ପାଇଁ ବିଡିଓଙ୍କ ପାଖରେ ଦାବୀ କରୁଥିବାବେଳେ ବିଜେପିର ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିଲେ । ସେତେବେଳେ ସମଗ୍ର ମୋହନ ସରକାର ଚାମେଲୀ ଓଝାଙ୍କର ନିବେଦନ ଏବଂ ଗୁହାରିକୁ ଅଣଦେଖା କରିଥିଲେ । ସେହିପରି ବାଲେଶ୍ୱର ଫକୀର ମୋହନ ସ୍ୱୟଂସାଶିତ ମହାବିଦ୍ୟାଳୟରେ ଏ.ବି.ଭି.ପିର ଛାତ୍ରମାନଙ୍କର ଚାପରେ ଉକ୍ତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା କରିଥିଲା । ଏପରି ଅନେକ ଘଟଣା ମୋହନ ମାଝୀଙ୍କର ମହିଳା ବିରୋଧିନୀତିକୁ ପଦାରେ ପକାଇଛି ।
ଲୋକସଭାରେ ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ତୁରନ୍ତ ଲାଗୁ କରିବା ପାଇଁ ମହିଳା କଂଗ୍ରେସ କ୍ରମାଗତ ଦାବୀ କରିଆସୁଅଛି । ମାତ୍ର ବିଜେପି ସରକାର ବିଭିନ୍ନ ଆଳରେ ଏହାକୁ କରାଇ ଦେଉନାହିଁ । ତେଣୁ ମୟୁରଭଞ୍ଜ, ବାଲେଶ୍ୱର ଓ ନୟାଗଡ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୨ ଜୁଲାଇ ରୁ ୪ ଜୁଲାଇ ତାରିଖ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ରହିଛି ଏଥିରେ ମହିଳା ସଂରକ୍ଷଣ ମୁଖ୍ୟ ପ୍ରସଙ୍ଗ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି ।
ଏହି ଅବସରରେ ମହିଳା କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଲେ ଯେ, ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ପାଠ୍ୟ ପୁସ୍ତକରେ ରାଜ୍ୟ ସରକାର ଯେଉଁ ସାଙ୍ଘାତିକ ତ୍ରୁଟି କରିଛନ୍ତି ସେଥିରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଓଡ଼ିଆ ଜାତିର ସମ୍ମାନକୁ ଚରମ ଅପମାନ ଦିଆଯାଇଛି । ଆମେ ପିଲାବେଳେ “ତୁମ ପରି ଛୋଟ ପିଲାଟିଏ”, “ନିଧିବୁଢ଼ା ବାଡି ପଟେ ପଡିଛି ବିଚାର” ପ୍ରଭୃତି ଶିକ୍ଷଣୀୟ ଗୀତ ପାଠ୍ୟ ପୁସ୍ତକରେ ପଢ଼ୁଥିବାବେଳେ ଏବେ ହିନ୍ଦୀ ସିନେମା ଗୀତ “ନିମ୍ବୋଡା ନିମ୍ବୋଡା” ସ୍ଥାନିତ ହେବା ଦୁର୍ଭାଗ୍ୟଜନକ । ସେହିଭଳି ସମଗ୍ର ପୁସ୍ତକରେ ୨୨ ହଜାର ଭୁଲ୍ ପରିଲେକ୍ଷିତ ହୋଇଛି । ଓଡିଶା ସରକାର ଏ ରାଜ୍ୟ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚୀବ ଓଡ଼ିଶାବାସୀଙ୍କ ନିକଟରେ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ୍ । ଯେଉଁମାନେ ଏହି ତ୍ରୁଟି ପାଇଁ ଦାୟୀ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ବହି ଛାପାର ସମଗ୍ର ଅର୍ଥ ଦଣ୍ଡ ସେମାନଙ୍କ ଉପରେ ଲାଗୁ କରିବା ଉଚିତ୍ ।
ଆଜିର କାର୍ଯ୍ୟକ୍ରମରେ ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସିଲୀ ସେଠୀ, ଲଳିତା ନାୟକ, ମଞ୍ଜୁଶ୍ରୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।










