33.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ : ଏବେ  ଦେଶବାସୀଙ୍କ ଚିନ୍ତା ବଢାଇଛି ତୈଳଦର ବୃଦ୍ଧି। ଭାରତରେ ଗତ ୧୨ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବାରୁ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଲାଣି। ଏହାରି ଭିତରେ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ତୈଳ ଦର ହ୍ରାସ କରିବାକୁ ସୋନିଆ ଚିଠିରେ ଉଲେଖ କରିଛନ୍ତି । ତୈଳ ଦର ହ୍ରାସ ପାଇଁ ସରକାର ଏହା ଉପରେ ଆଦାୟ କରୁଥିବା ଟିକସକୁ ହ୍ରାସ କରିବାକୁ କହିଛନ୍ତି। ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଦେଶବାସୀ କରୋନା ପାଇଁ ଦୁଃଖ ଓ ଦୁର୍ଦିନରେ କାଳାତିପାତ କରୁଥିବାବେଳେ ସରକାର ତୈଳ ଦର ବୃଦ୍ଧି କରି ଏହାର ଫାଇଦା ନେଉଛନ୍ତି। ସେ ଲେଖିଛନ୍ତି ‘ଗୋଟିଏ ପଟେ ଦେଶରେ ନିଯୁକ୍ତି ହ୍ରାସ ପାଇଚାଲିଥିବାବେଳେ ମଧ୍ୟବିତ୍ତ, ଚାକିରିଆ, କୃଷକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳ ଦର ବୃଦ୍ଧି ଯୋଗୁଁ ଏହି ସଂଘର୍ଷ ଏବେ କଷ୍ଟକର ହୋଇପଡିଛି।’ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନର କହିବା ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ବୃଦ୍ଧି ପାଇ ୯୦.୧୯ରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ଦର ୩୩ ପଇସା ବୃଦ୍ଧି ପାଇ ୮୦.୬୦ ପଇସାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ତେଲ କମ୍ପାନିଗୁଡ଼ିକ ଏହି ଦୁଇ ଇନ୍ଧନ ଦର ବଢ଼ାଉଥିବା କୁହାଯାଉଛି । କିନ୍ତୁ କରୋନା ସମୟରେ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଟିକସ ବୋଝ ଲଦିଥିଲେ ତାହାକୁ ଏପର୍ଯ୍ୟନ୍ତ କମାଉନାହାନ୍ତି ।  ଦେଶର ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳ ସରକାର ତୈଳ ଉପରକୁ ଅହେତୁକ ଟିକସ ଆଦାୟ କରୁଛନ୍ତି। ଅଶୋଧିତ ତୈଳ ଦର ଗତ ୧୮ବର୍ଷ ମଧ୍ୟରେ ସର୍ବକାଳୀନ କମ୍ ରହିଥିବାବେଳେ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ଟଙ୍କା ଛୁଇଁଥିବାବେଳେ ରନ୍ଧନ ଗ୍ୟାସ ଦର ସିଲିଣ୍ଡର ପ୍ରତି ୮୦୦ଟଙ୍କା ହେଲାଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking