ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଡ. ରାମନାଥ କୋବିନ୍ଦ ୨୫ ଜୁଲାଇରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଡ଼ୋଶୀ ହେବେ । କେନ୍ଦ୍ର ସହର ଏବଂ ଆବାସ ମନ୍ତ୍ରଣାଳୟ ସୂତ୍ର ଅନୁସାରେ ଚଳିତ ମାସରେ ଅବସର ଗ୍ରହଣ କରିବାକୁ ଥିବା ଡ. କୋବିନ୍ଦଙ୍କ ପାଇଁ ୧୨ ଜନପଥରେ ଏକ ବଙ୍ଗଳା ଆଲଟ୍ କରାଯାଇଛି, ଯାହା ସୋନିଆ ଗାନ୍ଧୀଙ୍କ ବଙ୍ଗଳାର ବିଲ୍କୁଲ୍ ନିକଟରେ ରହିଛି । ଜନପଥର ସବୁଠୁ ଚର୍ଚ୍ଚିତ ଏବଂ ନିକଟରେ ସବୁଠୁ ବିବାଦୀୟ ହୋଇଥିବା ଏହି ବଙ୍ଗଳା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଆଲଟ୍ କରାଯାଇଥିଲେ ମଧ୍ୟ ସେ ଏଠାରେ ବସବାସ କରିନଥିଲେ । ଏହି ବଙ୍ଗଳାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ତିନି ଦଶକ ଧରି ଅବସ୍ଥାନ କରିଥିଲେ।
ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଚିରାଗ ପାଶ୍ୱାସଙ୍କ ସହ ବହୁ ବିବାଦ ପରେ ଏହି ବଙ୍ଗଳା ୨୦୨୨ ମାର୍ଚ୍ଚ ୩୦ ତାରିଖରେ ଖାଲି କରାଯାଇଥିଲା । ସୂତ୍ର ଅନୁସାରେ ବଙ୍ଗଳାର କିଛି ଅଂଶ ସଫାସୁତୁରା ସହ ପେଣ୍ଟିଂ କରାଯାଉଛି । ଜୁଲାଇ ୧୫ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବାର ଟାର୍ଗେଟ୍ ରହିଛି । ଡ. କୋବିନ୍ଦ ନିଜ ପତ୍ନୀଙ୍କ ସହ ଜୁଲାଇ ୨୫ ତାରିଖରେ ଏଠାକୁ ଶିଫ୍ଟ ହେବେ । ତେବେ ଜନପଥକୁ ଶିଫ୍ଟ ହେବା ପରେ ସେ କିଛିଦିନ ପାଇଁ କାନପୁର ଦେହାତସ୍ଥିତ ନିଜ ଗାଁ ପରଖୱାଁ ଯିବାର କାର୍ଯ୍ୟକ୍ରମ ଥିବା ତାଙ୍କ ଗାଁ ସୂତ୍ରରୁ ଜଣାଯାଇଛି । ନିଜ ଲୋକମାନଙ୍କ ସହ ସେଠାରେ କିଛି ସମୟ କଟାଇବା ସହ କୂଳଦେବୀଙ୍କ ଦର୍ଶନ କରିବେ । ସେହିପରି ତାଙ୍କ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ପାଇଁ ଏକ କାର୍ଯ୍ୟକ୍ରମ ରଖିବାକୁ ଚାହିଁଛନ୍ତି । ତେବେ ଜନପଥ ଶିଫ୍ଟ ହେବାର ତୁରନ୍ତ ପରେ କିମ୍ବା ନୂଆ ବଙ୍ଗଳାରେ କିଛିଦିନ ବିତାଇବା ପରେ ଡ. କୋବିନ୍ଦ ଗାଁକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।