ନୂଆଦିଲ୍ଲୀ : ଅଲ୍ଟ ନ୍ୟୁଜ୍ର ସହସଂସ୍ଥାପକ ମହମ୍ମଦ ଜୁବେର୍ଙ୍କ ଜାମିନ ଆବେଦନ ଶନିବାର କୋର୍ଟରେ ଖାରଜ ହୋଇଯାଇଛି । ଏହା ସହିତ ୨୦୧୮ରେ ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କରିଥିବା ଆପତ୍ତିଜନକ ଟ୍ୱିଟ୍ ମାମଲାରେ ଅଦାଲତ ତାଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ରିମାଣ୍ଡ ଶେଷ ହେବାପରେ ଦିଲ୍ଲୀ ପୁଲିସ ତାଙ୍କୁ ପତିଆଲା ହାଉସ୍ସ୍ଥିତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସ୍ନିଗ୍ଧା ସରବରିଆଙ୍କ କୋର୍ଟରେ ହାଜର କରାଇଥିଲା । ଏହା ସହିତ ଜୁବେରଙ୍କୁ ହାଜତକୁ ପଠାଇବା ପାଇଁ ପୁଲିସ ଅନୁରୋଧ କରିଥିଲା, ଯାହାକୁ କୋର୍ଟ ସ୍ୱୀକାର କରିଥିଲେ ।
ଦିଲ୍ଲୀ ପୁଲିସ ଜୁବେର୍ ବିରୋଧରେ ପ୍ରମାଣ ନଷ୍ଟ କରିବା, ଷଡ଼ଯନ୍ତ୍ର ରଚିବା ଏବଂ ବିଦେଶରୁ ଚାନ୍ଦା ନେବା ଅଭିଯୋଗରେ ଆଉ ତିନିଟି ନୂଆ ଧାରା ସାମିଲ କରିଛି । ଏହି ଧାରାଗୁଡ଼ିକ ହେଲା ୨୦୧, ୧୨୦ବି, ୩୫ ଏଫ୍ସିଆର୍ଏ । ଏହା ସହିତ ଜୁବେର୍ର ମୋବାଇଲ୍ ଫୋନ୍ ଓ ହାର୍ଡଡିସ୍କ ଜବତ କରିଥିବା ପୁଲିସ କୋର୍ଟଙ୍କୁ ସୂଚନା ଦେଇଥିଲା । ଏହା ବ୍ୟତୀତ ଦିଲ୍ଲୀ ପୁଲିସ ଜୁବେର୍ର ବ୍ୟାଙ୍କ ଡିଟେଲ୍ ସୂଚନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ପ୍ରଦାନ କରିଛି । ଏହା ସହିତ ଏଫ୍ଆଇଆର୍ କପି ମଧ୍ୟ ଦାଖଲ କରିଛି । ଜୁବେର୍ ବ୍ୟାଙ୍କ ଆକାଉଣ୍ଟକୁ ଗତ ତିନିମାସ ମଧ୍ୟରେ ବିଦେଶରୁ ୫୬ ଲକ୍ଷ ଟଙ୍କା ଆସିଛି । ଏହି ଅର୍ଥ ପାକିସ୍ତାନ, ସାଉଦି ଆରବ ଏବଂ ସିରିୟାରୁ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା କୁହାଯାଉଛି ।