ନୂଆପଡ଼ା: ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଏସଓଜି ଯବାନଙ୍କୁ ଗୁଳି ଲାଗିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଏବେ ଆହତ ଯବାନ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।
ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହେଉଛି। ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀମାନେ ଚଳପ୍ରଚଳ ହେଉଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଗତ ୧୮ ତାରିଖରେ ଦୁଇ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଏସଓଜି ଯବାନଙ୍କ ଟିମ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ପାଇଁ ଯାଇଥିଲା। ଏହି ଯବାନମାନେ କୋମନା ଥାନା ଭାଓସିଲ, ଝରଲାଆମ, ଶିବନାରାୟଣପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଇ ଦିନ ଧରି କମ୍ବିଂ ଅପରେସନ ଜାରି ରଖିଥିଲେ।
ରାତି ପ୍ରାୟ ୩ଟାରେ ଏସଓଜି ଯବାନମାନେ ଶିବନାରାୟଣପୁର ଗାଁ ନିକଟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଯବାନମାନେ ମୁଁହାମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଅନ୍ଧାଧୁନିଆ ଗୁଳି ଚାଳନା କରିଥିଲେ। ଏହି ସମୟରେ ଜଣେ ଏସଓଜି ଯବାନଙ୍କୁ ମାଓବାଦୀଙ୍କ ଗୁଳି ଲାଗିଥିଲା । ଫଳରେ ଏସଓଜି ଯବାନ ଜଣକ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସକାଳୁ ସାଥୀ ଏସଓଜି ଯବାନମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗରିଆବନ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିଥିଲେ। ସେଠି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଯବାନଙ୍କ ତଣ୍ଟିରୁ ଗୁଳି କଢା ଯାଇନଥିବା ସୂଚନା ମିଳିଛି। ଏବେ ବି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଶିବନାରାୟଣପୁର ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି । ଏନେଇ ଏସପି ଜିଆର ରାଘବେନ୍ଦ୍ରଙ୍କ ଯୋଗାଯୋଗ ହୋଇ ପାରିନାହିଁ ।