#କୁଲା : ଅରବିନ୍ଦଦାସ

ଠାକୁର ଘର କବାଟ ପଛ ପଟୁ ପୁରୁଣା କୁଲାଟା ବାହାର କରି,ମନୋରମାଙ୍କୁ ଡ୍ରଇଂ ରୁମକୁ ଆସିବାର ଦେଖି ନାତୁଣୀ ଟିନା ଦୌଡିଯାଇ କହିଲା,
– ଜେଜେମା, ମୁଁ ଚାଉଳ ପାଛୁଡିବି।ମୋତେ ଦିଅ।”
ସ୍ନେହରେ ନାତୁଣୀ ମୁଣ୍ଡକୁ ସାଉଁଳେଇ ଦେଇ ମନୋରମା କହିଲେ,
– ଏଇଟା ପୁରୁଣା କୁଲା ।ହେଇ ଦେଖୁନୁ ଦୁଇ କଣରେ ଦୁଇଟା କଣା।ଏଥିରେ କିଛି ପାଛୁଡ଼ି ହେଉନି।ଏଥର ଘର ପାଇଁ ନୂଆ ବଡ଼ କୁଲା,ବାପା ହାଟରୁ ଆଣିଲା ବେଳେ ତୋ ପାଇଁ ଗୋଟେ ଛୋଟ କୁଲା ଆଣିଦେବ।ସେଥିରେ ତୁ ପାଛୁଡ଼ିବା ଶିଖିବୁ।ତୁ ବାହାହୋଇକି ଶାଶୁ ଘରକୁ ଗଲେ ସେଠି ବସି ଚାଉଳ ପାଛୁଡ଼ିବୁ।”
ଖୁସିରେ ତାଳି ମାରି ଡେଉଁ ଡେଉଁ ଟିନା କହିଲା,
– ମୋ ଡଲର ବାହାଘର ତ ହେଉଛି।
ମୁଁ ମୋ କଣ୍ଢେଇ କୁ ଆଗେ ପାଛୁଡ଼ିବା ଶିଖାଇଦେବି।ଜେଜେମା,ମୋ ଡଲକୁ ବି ଆମ ପାଖରେ ବସାଇବା।ସେ ବି ଶିଖିବ।”
ଶାଢ଼ୀ କାନିଟା ମୁହଁରେ ଦେଇ ମନୋରମା ହସକୁ ଚାପି କହିଲେ,
– ମୁଁ ମରି ଯାଉଁ ଥାଏଲୋ।ମୋ ନାତୁଣୀର ଏତେ ବୁଦ୍ଧି ?ମୋ ଭାଗ୍ୟ;ଅଣନାତୁଣୀ ବାହାଘର ଆଗେ ଦେଖିବି।ତୋ ବାପାକୁ କହ କାର୍ଡ ଛପେଇବ।”
ସୋଫା ଉପରେ ବସି ଜେଜେମା,ନାତୁଣୀଙ୍କ ମଧୁର ବାର୍ତ୍ତାଳାପ ର ମଜା ନେଉଥିଲା ମିହିର।
ନିରୀହ ସ୍ୱରରେ ଟିନା କହିଲା,
– ମୋ ଡଲ ପାଇଁ ବି ଗୋଟେ କୁଲା ଆଣିବା ଜେଜେମା ?”
ଫେଁ କିନା ହସି ମନୋରମା ମିହିର ଉଦ୍ଦେଶ୍ୟରେ କହିଲେ,
– ତୋ ଝିଅ କଥା ଶୁଣୁଛୁଟି ?ଗୋଟେ ଛୋଟ କୁଲା ଆଣିଦେବୁ ତା ପାଇଁ।ମୋତେ ଆଉ ରଖେଇ ଉଠେଇ ଦେଉନି।ଘର ପାଇଁ ବି ବଡ଼ କୁଲା ଟେ ଆଣିବୁ।”
ଡାଇନିଂ ଟେବୁଲ ଉପରେ ମୋବାଇଲ ଦେଖୁ ଦେଖୁ ଲୀନା କହିଲା,
– ବୋଉ ,ପୁଣି କୁଲା କାହିଁକି କିଣା ହେବ ? ମୁଁ ପରା ପ୍ଲାଷ୍ଟିକ କୁଲା କିଣିକି ଆଣିଥିଲି।ସେଥିରେ ଆପଣ ପାଛୁଡୁ ନାହାନ୍ତି ?ଅଯଥାରେ ଆଳି ମାଳିକା ଜିନିଷ ରେ ଘର ଭର୍ତ୍ତି ହେଉଛି।ଶାଗ ଧୋଇକି,ପରିବା ପତ୍ର ଧୋଇକି ଆପଣ ସେ କୁଲାରେ ରଖନ୍ତି ବୋଲି ବାଉଁଶ କୁଲା ନଷ୍ଟ ହେଉଛି।ସେଇ ପ୍ଲାଷ୍ଟିକ କୁଲାଟା ୱାସେବଲ,ଧୋଇ ହେବ।ଏଇ ବାଉଁଶ କୁଲା ଭଳି ଜଲଦି ଅସନା କି ନଷ୍ଟ ହେବନି।”
ବୋହୁ ଆଡ଼କୁ ଅନାଇ ମନୋରମା କହିଲେ,
– ସେ ପ୍ଲାଷ୍ଟିକ କୁଲା ଟା ପୁରା ଖସରା, ମୋ ହାତରୁ ଖସୁଛି।ଭଲ କରି ସେଥିରେ ପାଛୁଡ଼ି ହେଉନି।ତା ଛଡା ଶୁଭ କାମରେ ବାଉଁଶ କୁଲା ହିଁ ଲାଗେ।ଆଗକୁ କୁଆଁର ପୁନେଇ ଆସୁଛି।ଭୋରୁ ଟିନା ଆଞ୍ଜୁଳି ଦେଲାବେଳେ,ଓ ସନ୍ଧ୍ୟାରେ ଚଉରା ମୂଳେ ଭୋଗରାଗ,ଚାନ୍ଦ ସଜାଡ଼ିଲା ବେଳେ ବାଉଁଶ କୁଲା,ଡାଲା ହିଁ ଦରକାର।”
ନାତୁଣୀ କୁ ଧରି ଛାତ ଉପରକୁ ଚାଲିଗଲେ ମନୋରମା ଫୁଲ ତୋଳିବା ପାଇଁ।
ଲୀନା ,ମିହିର ପାଖକୁ ଆସି କହିଲା
– ତମ ବୋଉଙ୍କ ପ୍ରକୃତି ଦେଖୁଛ ତ ?ଏମିତି ସବୁ ଫାଲତୁ ଜିନିଷ କିଣି ଟଙ୍କା ଖର୍ଚ୍ଚ କରିବେ।କିଏ ଦେଖୁଛି କୁଲା,ବାଉଁଶ ର କି ପ୍ଲାଷ୍ଟିକ ?ତା ଛଡା ଏବେ ସବୁ ଜିନିଷ ବଛାବଛି ହୋଇ ସୁନ୍ଦର ଭାବେ ପ୍ୟାକିଙ୍ଗ ହୋଇ ଆସୁଛି।ଗୋଡି,ପଥର କଣ ଅଛି ଯେ ତମେ ପାଛୁଡ଼ିବ।ସେ ଏମିତି କାମ କରନ୍ତି ବୋଲି ବାହାର ଲୋକଙ୍କୁ ଦେଖାଇହେବା ତମ ବୋଉଙ୍କର ଗୁଣ।”
ମିହିର ଟିକେ ଅନ୍ୟମନସ୍କ ହୋଇଗଲା।ପିଲାବେଳେ ସେ ଦେଖିଛି,ଜେଜେମା ସହ ମିଶି ଚାଉଳ ପାଛୁଡ଼ି ସେଥିରୁ ଗୋଡି,ଧୂଳି,ମଲା ଚାଉଳ ବାଛେ ବୋଉ।ଗହମ ପାଛୁଡ଼ି ,ଧୋଇ ଶୁଖାଇ ତାକୁ ବାପାଙ୍କ ହାତରେ ଅଟାକଳ ପଠାଏ।ମସଲା,ମସଲି ସବୁ ଚଲେଇ,ପାଛୁଡ଼ି ପରିଷ୍କାର କରି ରଖେ।ମା,ମନ କଣ ସହଜେ ବୁଝେ ?ପିଲାଙ୍କ ପାଟିକୁ ଯେମିତି ଗୋଟେ ଗୋଡି ନଯାଏ, ପିଲେ ସବୁ ଯେମିତି ପରିଷ୍କାର ଶୁଦ୍ଧ ଜିନିଷ ଖାଆନ୍ତୁ,ତାହା ସବୁ ମା ଙ୍କର ଚିନ୍ତା।
ଲୀନା କଥାରେ ଭାଵନା ରାଜ୍ୟରୁ ଫେରି ଆସିଲା ମିହିର।
– ପ୍ୟାକେଟ ଅଟା କେତେ ବଢିଆ ମିଳୁଛି।ମଲ୍ଟି ଗ୍ରେନ ବି ଆସୁଛି।କିନ୍ତୁ ତମ ବୋଉ ଙ୍କ ଜିଦି ଯୋଗୁଁ ଅଯଥାରେ ଗହମ କିଣା ହୋଇ ପେଶା ହେଉଛି।ହଳଦୀ,ଚାଉଳ,
ବେସନ ଏସବୁ ପେଶାଇବା କଣ ନିହାତି ଦରକାର ?”
ହସିଦେଇ ମିହିର କହିଲା,
– କିଣା ଜିନିଷ ଅପେକ୍ଷା ଏସବୁ ଢେର ଭଲ।ଟିକେ ପରିଶ୍ରମ,ହେଲେ ଶୁଦ୍ଧତା ଶହେ ପ୍ରତିଶତ ଓ ଖର୍ଚ୍ଚ ବି କମ।ନକଲି ବା ମିଶାମିଶି ନାହିଁ।ବୋଉମାନେ ପୁଅଙ୍କ ଟଙ୍କା ସଞ୍ଚୟ ପାଇଁ ସବୁବେଳେ ଚେଷ୍ଟା କରନ୍ତି।”
ମୁହଁ କୁ ମୋଡି ଲୀନା କହିଲା,
-କି ସଞ୍ଚୟ କରୁଛନ୍ତି ?ଡାଲି ବାଘାରିଲା ବେଳେ ଗୋଟାଏ ଜାଗାରେ ଦୁଇ ତିନିଟା ଶୁଖିଲା ଲଙ୍କା, ଭାଜିଲା ବେଳେ ଫୁଟଣ ବେଶୀ,ତମ ପାଇଁ ଆଳୁ ଭର୍ତ୍ତାରେ ଶୋରିଷ ତେଲ ଅଧିକ କାହିଁକି ପକାଉଛନ୍ତି ବୋଲି କହିଲାରୁ ମୁହଁ ଫୁଲାଉଛନ୍ତି।”
ଚମକି ପଡି ମିହିର କହିଲା,
– ଏସବୁ ଛୋଟ ଛୋଟ ଜିନିଷ ତମେ ବୋଉ କୁ ପଚାରୁଛ ?ତମକୁ ଖରାପ ଲାଗୁନି ?”
– ଆଛା,ମୋତେ ଖରାପ ଲାଗିବ ?ଫ୍ରିଜରେ ମୁଁ ଜନିଷ ଅଧିକ ଦିନ କାହିଁକି ରଖୁଛି,ଏତେ ଦିନ ରୋଷେଇ କରି ଚାଉଳ ଡାଲି ମାପ ମୋତେ କାହିଁକି ଆସୁନି ବୋଲି ମୋତେ କୁହନ୍ତି।ଲଙ୍କା ହେଉ କି ଫୁଟଣ କି କୁଲା,ସେସବୁ କିଣିବା ପାଇଁ ଖର୍ଚ୍ଚ ହେଉନି ?ଟଙ୍କା କଣ ଗଛରେ ଫଳୁଛି ?”
ଲୀନା ହାତ ଧରି ବେଡ଼ ରୁମକୁ ନେଇଯାଇ କପବୋର୍ଡ ଖୋଲି ମିହିର କହିଲା,
– ତମର ଏତେ ଡ୍ରେସ ଥାଉ ଥାଉ ସେଲ,ଡିସକାଉଣ୍ଟ ଅଛି ବୋଲି ଆମାଜନ,ଫ୍ଲିପକାର୍ଟରେ କାହିଁକି ମଗାଉଛ ? ବେଡ଼ସିଟ,ଦିୱାନ ସେଟ,ଘର ସଜା ଜିନିଷ କେତେ ଆଣୁଛ ତାର ହିସାବ ରଖିଛ ?ବୋଉର ଛୋଟ ଛୋଟ ଜିନିଷ ରେ ତମେ ଖୁଣ ବାହାର କରୁଛ ?ଖରାପ ଲାଗୁନି ତୁମକୁ ?ପିଲାବେଳେ ସବୁ ମା ନିଜ ପିଲାଙ୍କ ପ୍ରତ୍ୟେକଟି ଅଳି ଅର୍ଦ୍ଦଳି ମାନି ଜିନିଷ କିଣି ଦିଅନ୍ତି।ବେଲୁନ ହେଉ କି ମାଟିକଣ୍ଢେଇ କି ଖେଳନା,ସେମାନେ ପିଲାଙ୍କ ଖୁସି ପାଇଁ ନିଜର ସବୁ ସଞ୍ଚୟ ଖର୍ଚ୍ଚ କରି ଦିଅନ୍ତି।ମୋ ବୋଉ ତ କେତେଥର ତା ମାଟି କୁମ୍ପି ମୋ ପାଇଁ ଭାଙ୍ଗିଛି ତା ମୋର ମନେ ନାହିଁ।ସାମାନ୍ୟ କୁଲା ଟେ ପାଇଁ ବୋଉ କହୁଥିଲା।
ପୂଜା ବେଳେ ବାଉଁଶ କୁଲା,ଶିଳ ପୁଆ ରଖା ଯାଏ, ପ୍ଲାଷ୍ଟିକ କୁଲା କି ଗ୍ରାଇଣ୍ଡର ପୂଜା ହୁଏନା।କୁଲା,ବୋଉ ପାଇଁ ଗୋଟେ ଛୋଟ ଖୁସି ମାତ୍ର।ଏବେ ସେମାନଙ୍କ ଏଇ ଛୋଟ ଛୋଟ ଖୁସି କୁ ଆମେ ଫାଲତୁ ବୋଲି କହିବା ?ତମ ବୋଉ କେବେ ତମ ଜିଦି ରଖି ଏମିତି ଜିନିଷ କିଣି ନାହାନ୍ତି ?ଫାଲତୁ ଜିନିଷ ବା ଖର୍ଚ୍ଚ ର ହିସାବ ଦେଇଛନ୍ତି ତମ ବୋଉ ?”
ଚମକି ପଡିଲା ଲୀନା।ବୋଉ ମୁହଁ ଟା ଆଖି ଆଗରେ ଭାସି ଉଠିଲା।କେତେ ଫାଲତୁ ଜିନିଷ ପାଇଁ ସେ ଜିଦି କରେ ?ଟିନା ବି କରୁଛି।ଆହା,ବୋଉଙ୍କ ମନକୁ ନିଶ୍ଚେ ବାଧିଥିବ।ଅନୁତାପ କରୁଥିଲା ମନେମନେ।ଚୁପ କିନା ଲୀନା ଚାଲିଗଲା ରୋଷେଇ ଘରକୁ।
ପରଦିନ ରବିବାର ଥିଲା। ବାହାରେ କାହାର ପାଟି ଶୁଭିଲା,
-କୁଲା,ବାଉଁଶିଆ,ଟୋକେଇ ରଖିବ କି ମା ?”
ମିହିର ଦେଖିଲା,ସାଇକେଲ ଉପରେ ବାଉଁଶ ପାତିଆ ରେ ତିଆରି ଜିନିଷ ଲଦି ଗେଟ ପାଖରେ ଠିଆ ହୋଇଛି ଲୋକଟିଏ।
ଟିନା ଦୌଡ଼ି ଆସି କହିଲା,
– ବାପା,କୁଲା ଆସିଛି।ମୋ ପାଇଁ କିଣି ଦିଅ।”
ପଛ ପଟୁ ମନୋରମା ଆସି କହିଲେ,
-ଏଇ ବୁଲା ବିକାଳି ଗୁଡାକ ଅଧିକ ଦାମ କହିବେ।ତୋ ବାପା ବଡ଼ ହାଟରୁ ଆଣିଦେବ।ତା ଛଡା ପ୍ଲାଷ୍ଟିକ କୁଲା ତ ଅଛି,କାମ ଚଳିବ।”
ମନେ ମନେ ହସୁଥିଲା ମିହିର।ପୁଅର ଟଙ୍କା ପାଇଁ ମା ମନ ସବୁବେଳେ ଏମିତି।ଲୀନା ଆଡ଼କୁ ଅନେଇଲା।ତା ଇସାରା ଠିକ ବୁଝୁଥିଲା ଲୀନା।
ଆଗକୁ ଆସି କହିଲା,
– ନାଇଁ ବୋଉ,ୟାଙ୍କୁ କଣ ଭଲ,ମଜଭୁତ କୁଲା ବାଛି ଆସିବ ?ଆସନ୍ତୁ ଆମେ ୟାରି ପାଖରୁ ନେଇ ଆସିବା।”
ଆବାକାବା ହୋଇ ଅନାଇ ଥିଲା ମିହିର।କିଛି ସମୟ ପରେ ଛୋଟ ବଡ଼ ହୋଇ ଚାରିଟା କୁଲା ସେଟ ଧରି ଫେରିଲେ ଶାଶୁ,ବୋହୁ,ନାତୁଣୀ।ଗୋଟେ ବାଉଁଶିଆ ବି ଥିଲା।ଟିନା ହାତରେ ଗୋଟେ ଛୋଟ କୁଲା ଏବଂ ଆଉ ଗୋଟେ ଏକଦମ କୁନି ରଙ୍ଗୀନ ଖେଳନା କୁଲା ବି ଥିଲା।
– ବାପା ଦେଖ ଏଇ ଛୋଟ କୁଲା ମୋର ଆଉ ଏଇ କୁନି ଖେଳନା କୁଲା ମୋ ଡଲ ର।”ଟିନା ଖୁସି ହୋଇ କହୁଥିଲା।
– ଆଉ ଏଇ ଦୁଇଟା ?”
– ଗୋଟେ ଜେଜେମା ଙ୍କର ଆଉ ଗୋଟେ ମମି ର।”
– ନାଇଁମ,ପୂଜା ପାଇଁ କୁଲା ଓ ବାଉଁଶିଆ ବି ନେଇ ଆସିଲି।ପ୍ଲାଷ୍ଟିକ କୁଲା ପରା ପୂଜାରେ ଲାଗିବନି।”
ହସିଦେଇ ମିହିର କହିଲା,
– ତା ହେଲେ ,ଘରେ ଥିବା ଦୁଇଟା କୁଲା ନଷ୍ଟ ହେବ ?
ହସିଦେଇ ମନୋରମା କହିଲେ,
– ନାଇଁ ମ,ଲୀନା ପରା ଜିଦି କରି ଏଇ ମଝିଲା ସାଇଜ ର କୁଲା ଓ ବାଉଁଶିଆ ପୂଜା ପାଇଁ ରଖିବାକୁ କହିଲା।ଭଲକି ବାର୍ଗେନିଂ କଲି ବୋଲି ଏଇ ଖେଳନା କୁଲା ମାଗଣାରେ ଦେଲା।ଘରେ ଥିବା ସେଇ ପୁରୁଣା ବାଉଁଶ କୁଲା ଓ ବୋହୁ ଆଣିଥିବା ପ୍ଲାଷ୍ଟିକ କୁଲା ପଛପଟେ ବଡି ପକେଇ ହେବ ।”
କିଛି ସମୟ ପରେ ଲୀନା ଓ ମିହିର ଦେଖୁଥିଲେ ଟିନା ,ମନୋରମାଙ୍କ ପାଖରେ ବସି ପାଛୁଡା ଶିଖୁଛି।ତା କୁଲାରେ ଅଳ୍ପ କିଛି ଚାଉଳ ଦେଇଛି ବୋଉ।ପାଖରେ ନିଜ କଣ୍ଢେଇ କୁ ବି ବସେଇଥିଲା ଟିନା।
ଲୀନା ଆଖିରେ ବି ଖୁସିର ଲୁହ ଚିକମିକ କରୁଥିଲା।
ମୁରୁକି ହସି ମିହିର କହିଲା,
– ଦେଖ ବୋଉ ଓ ଟିନା ମୁହଁରେ କୁଲାଏ ଖୁସି।”
ଆଖି ପୋଛି ପକାଇ ଲୀନା ପଚାରିଲା
– କୁଲାଏ ଖୁସି ?”
ଦୀର୍ଘ ନିଶ୍ୱାସ ନେଇ ମିହିର କହିଲା,
– କିଛି ଖୁସିକୁ ମାପି ହୁଏନା।କେବଳ ଅନୁଭବି ହିଁ ବୁଝିପାରେ।କୁଲା, ଚାଉଳରୁ ଗୋଡି ଅଲଗା କଲା ଭଳି, କିଛି ଛୋଟ ଛୋଟ ଖୁସି ଆମ ଜୀବନରୁ ବଡ଼ ଦୁଃଖକୁ ବି ଅଲଗା କରିଦିଏ।ବୁଝିଲ, କୁଲା ଗୋଟେ ଛୋଟ ଜିନିଷ ନୁହେଁ, ବରଂ ଗୋଟେ ଖୁସି; ନିଆରା ଅନୁଭୂତି।ବାହା ସାହା ହୋଇଗଲା ପରେ ଅନ୍ୟ କିଛି କହୁ କି ନ କହୁ, ଆମ ଝିଅ,ତା ପିଲାଙ୍କୁ ନିଶ୍ଚୟ ଏଇ କୁଲା ର ଅନୁଭୂତିର କାହାଣୀ ଶୁଣାଇବ।ଜେଜେମା ଓ ନାତୁଣୀଙ୍କ ଖୁସି କୁ ଦେଖ।କିଛି ଖୁସି ଅମାପ, ଅପାସୋରା,ଅବର୍ଣ୍ଣନୀୟ ;ଠିକ ଏଇ କୁଲା ଭଳି।”
(©ଅରବିନ୍ଦ ଦାସ)

LEAVE A REPLY

Please enter your comment!
Please enter your name here