ବାହାଘର ପରେ ଶଶୁରଙ୍କର ପ୍ରଥମ ଶ୍ରାଦ୍ଧ ।ମାର୍ଗଶିର ମାସ ଶୁକ୍ଳ ସପ୍ତମୀ ।ଶାଶୁଙ୍କ କଥା ହିସାବରେ ବିଶାଖା ଓ ଆଶୁତୋଷ ଚାରିଦିନ ଆଗରୁ ଆସି ପହଞ୍ଚି ଥାଆନ୍ତି ଗାଁ ରେ ।ଗାଁରେ ପାଦ ଦେଉ ଦେଉ ବିଶାଖା କୁ ଏକ ଆତ୍ମୀୟ ଆବେଗ ଜାବୁଡି ଧରେ ।ସ୍ନେହ ରଙ୍କୁଣୀ ବିଶାଖାକୁ ଶାଶୁ ପାଖରୁ ଦଣ୍ଡେ ଛାଡନ୍ତି ନାହିଁ ।ତା ଛଡା ସାଇ କୁଟୁମ୍ବରୁ ବି ଯା, ଖୁଡିଶାଶୁ ,ଦେଠେଇ ଶାଶୁ ଓ ପୁଣି କେବେ କେବେ ନଣନ୍ଦ ସମ୍ପର୍କୀୟ ହେବେ ତାକୁ ଦେଖିବାକୁ ଆସି ଘରେ ଭିଡ ଜମାନ୍ତି ।ନୂଆ ବାହାଘର ହେଇଥିବାକୁ ପୁଣି ସହରରୁ ଆସିଥିବାରୁ ସମସ୍ତେ ଖୁବ ଆଦର କରନ୍ତି ତାକୁ ।ସେ ବି ସମସ୍ତଙ୍କୁ ଯଥାମାନ୍ୟ କରେ ।
ଏଥରକ ସିଏ ପ୍ରଥମ ଥର ପାଇଁ ଶ୍ରାଦ୍ଧ ଦେବ ।ଏସବୁ ବିଷୟରେ ତାର ଆଦୌ ଧାରଣା ନାହିଁ କହିଲେ ଚଳେ।କାରଣ ପିଲାଦିନୁ ସେ ସହରରେ ଏକ ନ୍ୟୁକ୍ଳିଅର ପରିବାରରେ ବଢିଛି ।ହଷ୍ଟେଲ ରେ ରହି ଯୁକ୍ତ ଦୁଇ ପଢୁଥିଲାବେଳେ ତା ଜେଜେ ମା’ ର ଓ ଗ୍ରାଜୁଏସନ ଶେଷ ବର୍ଷ ଜେଜେ ବାପାଙ୍କର ବିୟୋଗ ହେଇଥିଲା ।ପୁଣି ସେଇ ହଷ୍ଟେଲରେ ରହି ପଢୁ ପଢୁ ତା ବାହାଘର ।ଏଣୁ ପ୍ରତ୍ଯକ୍ଷ ଭାବରେ ଶ୍ରାଦ୍ଧ ଦେବା ସେ କେବେ ଦେଖିନି ।ଏବେ କୁଳ ବଧୁ ହେଇ ଶଶୁରଙ୍କ ଶ୍ରାଦ୍ଧ ଦେବାକୁ ଆସିଥିବାରୁ ମନରେ ତାର ଅସୁମାରୀ ଆଗ୍ରହ ସହ କିଛି ମାତ୍ରାରେ ଭୟ ମଧ୍ୟ ।ଶ୍ରାଦ୍ଧ ପୂର୍ବ ଦିନ କୁଟୁମ୍ବର ଜଣେ ଦିଅରଙ୍କ ସଙ୍ଗେ ଆଶୁତୋଷ ଯାଇ ଭୋଜି ପାଇଁ ତଥା ଶ୍ରାଦ୍ଧ ପାଇଁ ଆବଶ୍ୟକୀୟ ଜିନିଷ ସବୁ କିଣିଆଣି ମଝି ଘରେ ଥୋଇଦେଲେ ।ଚିଠା ଟିଏ ତା ହାତକୁ ବଢେଇଦେଇ ସବୁ ଜିନିଷ ଆସିଛି କି ନାହିଁ ଦେଖିନିଅ କହି ଟେଣ୍ଟ ବାଲା ପାଖକୁ ଚାଲିଗଲେ ।ଜିନିଷ ସବୁକୁ ଚିଠା ସାଙ୍ଗରେ ମିଶଉ ମିଶଉ ସେଥିରେ ଦୁଇ ପେଟି ବିସ୍କୁଟ ଦେଖି ବିଶାଖା ଟିକିଏ ଚକିତ ହେଇ ଗଲା ।ଭାବିଲା କାଲି ଆସିବାକୁ ଥିବା ଅତିଥି ମାନଙ୍କ ପାଇଁ ବୋଧେ ଏ ବ୍ୟବସ୍ଥା ।ସେଦିନ ରାତିରେ ଶୀଘ୍ର ଖିଆ ପିଆ ସାରି ମୋତି ନାନୀ ସାଙ୍ଗରେ ଘର ଦ୍ଵାର ସବୁ ଧୁଆ ଧୋଇ ଲିପା ପୋଛା କରି ସମସ୍ତେ ଶୋଇବାକୁ ଗଲେ ।ଶାଶୁ ହାଣ୍ଡି ଶାଳରେ ମୁରୁଜ ପକେଇଦେଇ ଆସି କହିଲେ –
–ଯା ମା ଶୋଇପଡ କାଲି ବହୁତ କାମ ।ଭୋର ଚାରିଟାରୁ ତତେ ଉଠିବାକୁ ପଡିବ ।କାଳେ ଉଠିପାରିବ କି ନାହିଁ ଭୟରେ ଆଶୁତୋଷ ଙ୍କୁ ରାତି ଚାରିଟାରେ ଆଲାର୍ମ ଦେବାକୁ କହି ଶୋଇବାକୁ ଚେଷ୍ଟା କଲା ବିଶାଖା ।ରାତି ସାରା ଏକଡ ସେକଡ ହେଲା ସିନା ଆଖିକୁ ନିଦ ଆସିଲାନି ।କେମିତି ଚାଉଁ ଚାଉଁଆଟା ଲାଗିଲା ।ଠିକ ଚାରିଟାରେ ଆଲାର୍ମ ବାଜିବା ପୂର୍ବରୁ ଶାଶୁ ଦୁଆର ଖଟ ଖଟ କରି ତାକୁ ଡାକିଦେଇ ଗାଧୁଆ ପାଧୁଆ ସାରେ କହି ନିଜେ କାମରେ ଲାଗିଗଲେ ।
ନୂଆ ବୋହୂ ସେ ।ଶାଶୁ ଘରେ ବି ବେଶି ଦିନ ଚଳିନି ।ଗାଧୁଆ ପାଧୂଆ ସାରି ଓଦା ଚୁଟିରେ ଗଣ୍ଠି ଟିଏ ପକେଇ କାମରେ ଲାଗିଗଲା ସେ ।ଶାଶୁ କହୁଥିଲେ ଆଜି କାଠ ଚୂଲିରେ ସବୁ ରୋଷେଇ ହେବ ।ମନରେ ଭୟ ଓ ଆଶଙ୍କା ନେଇ ଶାଶୁଙ୍କୁ ପଚାରି ପଚାରି ସବୁ କାମ କରି ଯାଉଥାଏ ସେ ।ଶାଶୁ ବି ପାଖେ ପାଖେ ରହି ସବୁ ବତେଇ ଦଉଥାଆନ୍ତି ।ପ୍ରଥମ ଥର ଲାଗି ବୋହୂ ପିଣ୍ଡ ରାନ୍ଧିବ ବୋଲି ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଯାଉଥାଏ ।ଶଶୁରଙ୍କ କଥା ମନେ ପକାଇ ପକାଇ କେତେ କଥା କହୁଥାନ୍ତି ।ବିଶାଖା ଶାଶୁଙ୍କର ଲୁହ ବତୁରା ମୁହଁ ଦେଖି ଭାବୁଥାଏ ସତରେ ଜଣେ ଗଲା ପରେ ଅନ୍ୟ ଜଣେ କେତେ ଶୂନ୍ୟ ସତେ ।
ସହରରେ ବଢିଥିବା ବିଶାଖା ଗାଁ ର ସଦ୍ଭାବ ଦେଖି ଖୁବ ଖୁସି ହେଉଥାଏ । କୁଟୁମ୍ବର ଦୁଇଜଣ ଯା’ ଆସି କଟାକଟିରେ ଲାଗିଗଲେଣି ସେତେବେଳକୁ ।ବାହାର ଖଳାରେ ଗାଁ ଭୋଜି ପାଇଁ ରୋଷେଇ ବାସ ଚାଲିଥାଏ ।ଧୀରେ ଧୀରେ ନଣନ୍ଦ ତଥା ଅନ୍ୟ ବନ୍ଧୁ ବାନ୍ଧବ ମାନେ ଆସି ପହଞ୍ଚିଯିବାରୁ ଘର ପୁରିଲା ପୁରିଲା ଲାଗୁଥାଏ ।ସବୁକାମ ସ୍ଵଛନ୍ଦରେ ଆଗେଇ ଚାଲିଥାଏ ।ଆଶୁତୋଷ ପଇତା ବଦଳେଇ ତର୍ପଣ ସାରି ଶ୍ରାଦ୍ଧ ପାଇଁ ପୁରୋହିତଙ୍କ ପାଖରେ ବସିଲେ ।ସେ ବି ଯଥା ସମ୍ଭବ ହାତ ଚଞ୍ଚଳ କରି ମୁଗ ଡାଲି, କଦଳୀ ଭଜା,ଶାଗ, ଓଉ ଖଟା, ଶ୍ରାଦ୍ଧ ତରକାରୀ ,କାକରା ଖିରୀ ଇତ୍ୟାଦି କରିସାରିଲାଣି ।ଶେଷରେ ଭାତ ବସିଛି ମାଟି ହାଣ୍ଡିରେ ।ଗାଳିବା ପାଇଁ ଛାତି ଧଡ ପଡ ହେଲା ବେଳକୁ କୁଟୁମ୍ବର ଯା’ ଆସି ଗାଳିଦେଲେ ।କହିଲେ ତୁ ଖାଲି ମୋ ହାତକୁ ଛୁଇଁଥା ।ପୁରୋହିତ ଡାକିଲେ ନେଇ ବାଢିଦେବୁ ।ଏକ ନୂଆ ଅନୁଭବ ନୂଆ ଉଦ୍ଦୀପନା ଭିତରେ ଶ୍ରାଦ୍ଧ କାର୍ଯ୍ୟ ସରିଗଲା ।
ଶ୍ରାଦ୍ଧ ସରୁ ସରୁ ଦିନ ପ୍ରାୟ ଗୋଟାଏ ହେଲାଣି ।ଖଳାରେ ଲୋକମାନେ ଭୋଜି ଖାଇ ବସିଲେ ।ଏତିକି ବେଳେ ସାନ ନଣନ୍ଦ ,ଆସ ଭାଉଜ ଆମ ଗାଁ ଭୋଜି ଦେଖିବ କହି ଧୀରେ ଡାକିନେଲେ ଏକ ଝରକା ପାଖକୁ ।ଝରକା ଦେଇ ବିଶାଖା ଦେଖିଲା ଖଲି ପତ୍ର ପକେଇ ସମସ୍ତେ ଶୃଙ୍ଖଳିତ ହେଇ ବସିଛନ୍ତି ।ସମସ୍ତଙ୍କ ପତ୍ରରେ ଭୋଜିର ସବୁ ଆଇଟମ ସହିତ ଜଣେ କ୍ରିମ ବିସ୍କୁଟ ଗୋଟିଏ ଗୋଟିଏ ଦେଇ ଚାଲିଛି ।ସେ ଆଶ୍ଚର୍ଯ୍ୟ ହେଲା ।ବିଶାଖାକୁ ଏକଥା ନୂଆ ଲାଗିଲା ।ଭୋଜିରେ ପୁଣି କ୍ରିମ ବିସ୍କୁଟ !!!ମିଠା ଓ ଖିରୀ ତ ହେଇଛି ।ସେଥିରେ ପୁଣି ଏ କ୍ରିମ ବିସ୍କୁଟ ଦେବାର ବା ଆବଶ୍ୟକତା କଣ ।ମନର ପ୍ରଶ୍ନ ମନ ଭିତରେ ଥାଏ ।ଦିନ ଗଡିବା ସହିତ ଭୋଜି ଭାତ ଭଲରେ ଭଲରେ ସରିଗଲା ।ଅଧାରୁ ବେଶି କୁଣିଆ ମଇତ୍ର ବି ଚାଲି ଗଲେ ।ରାତିରେ ଶୋଇଲାବେଳେ ମନରେ ଥିବା ଜିଜ୍ଞାସା କୁ ଚାପି ନପାରି ଆଶୁତୋଷ ଙ୍କୁ ପଚାରିଲା –
–ତମ ଆଡ଼େ କଣ ଭୋଜିରେ କ୍ରିମ ବିସ୍କୁଟ ଦେବାର ନିୟମ ଅଛିକି ?ମୁଁ ତ କାଇଁ ଆଉ କୋଉଠି ଏ ପ୍ରଥା ଦେଖିନି ।ଆଶୁତୋଷ ହସି କହିଲେ –
–ବିଶାଖା, ଏଇ କ୍ରିମ ବିସ୍କୁଟ କୁ ଭୋଜିରେ ଲଗେଇବାକୁ ତମେ ମୋର ଭାବ ପ୍ରବଣତା ବୋଲି ଭାବିପାର ।ଏଇଟି ମୋର ବ୍ୟକ୍ତିଗତ ଇଛା । ଏହା ପଛରେ ଏକ କାହାଣୀ ଅଛି ।
–କି କାହାଣୀ?
–ମୋ ଅଙ୍ଗେ ନିଭେଇଥିବା କାହାଣୀ ।ମନେ ପଡିଲେ ଏବେବି ଆଖି ଓଦା ହେଇଯାଏ ।ଛୋଟ ବେଳେ ମୁଁ ଆଦୌ ଚୁଡା ମୁଢି କି ଛତୁଆ ଖାଉ ନଥିଲି ।ସକାଳୁ ରୁଟି ନ ହେଲେ ବିସ୍କୁଟ ନମିଳିଲେ ପାଟି କରି ଘର କମ୍ପାଏ ।ଏତେ ଜଞ୍ଜାଳ ଭିତରେ ସବୁଦିନ ରୁଟି କରିବା ବୋଉ ପକ୍ଷରେ ସମ୍ଭବ ହୁଏନି ।ଏଣୁ ମୁଁ ପ୍ରାୟ ସମୟ ବିସ୍କୁଟ ହିଁ ଖାଉଥିଲି ।ସେଇଟା ବି ଖୁବ ଦୁର୍ଲଭ ଥିଲା ସେତେବେଳେ ।ମାତ୍ର ଚାରିମାଣ ଜମିରେ ଆଠ ପ୍ରାଣୀ କୁଟୁମ୍ବ ଚଳଉଥିବା ବାପାଙ୍କୁ ମୋ ପାଇଁ ନିତି ବିସ୍କୁଟ ପ୍ଯାକେଟ ଟିଏ ଯୋଗାଡ କରିବା ବି କେତେ କଷ୍ଟ ହେଉ ନଥିବ ସତେ ।ଯାହା ହେଇଯାଉ ନା କାହିଁକି ମୋ ପାଇଁ ପାଞ୍ଚ ଟଙ୍କିଆ ବିସ୍କୁଟ ପ୍ଯାକେଟ ଟିଏ ସକାଳୁ ନିହାତି ଥୁଆ ହେଇଥାଏ ।କେବେ କିଛି ଦେହ ଖରାପ ହେଉନଥିବା ବାପାଙ୍କୁ ଥରେ ଟାଇଫଏଡ ଜର ହେଇଥିଲା ।ରଘୁ କକେଇ ଗାଁ କମ୍ପାଉଣ୍ଡରଙ୍କୁ ପଚାରି ବାପାଙ୍କ ପାଇଁ ଔଷଧ ଆଣି ଦେଲାବେଳେ କହିଲେ –
–ଭାଇନା ,ଔଷଧ ସହ ପଥିକୁ ବି ଟିକିଏ ଧ୍ୟାନ ଦେଉଥିବ ।ପାଉଁରୁଟି ବିସ୍କୁଟ ପରି ହାଲକା ଜିନିଷ ଖାଇବାକୁ କମ୍ପାଉଣ୍ଡର ବାବୁ କହିଛନ୍ତି ।ମୋ କାନରେ ଏ କଥା ପଦକ ପଡିଥିଲା ।ବାପା ସବୁଦିନ ନାଲି ଚା ସହ ଚୁଡା ଭଜା କି ମୁଢି ଖାଆନ୍ତି ।ହେଲେ ସେଥର ଜର ପାଇଁ କି କଣ ଚୁଡା ଭଜା କି ମୁଢି ପାଟିରେ ଦଉ ଦଉ ବାନ୍ତି କରି ପକାଉଥିଲେ ।ଏଣୁ ମୁଁ ମୋ ପାଇଁ ଥିବା ବିସ୍କୁଟ ପ୍ଯାକେଟ ରୁ ବିସ୍କୁଟ ଟିଏ କାଢି ତାଙ୍କ ପାଟିରେ ଦଉ ଦଉ କହିଲି ବାପା ତୁମକୁ ପରା ବିସ୍କୁଟ ପାଉଁରୁଟି ଖାଇବାକୁ କୁହା ହେଇଛି ।ନିଅ ଏଇଟା ଖାଇଦିଅ।ବାପା ମତେ ଟାଣି ନେଇ କୋଳରେ ବସେଇ ମୋ ପାଟିରେ ସେଇ ବିସ୍କୁଟ ଟିକୁ ଗେଞ୍ଜି ଦେଇ କହିଲେ –
–ଆରେ ମୋ ବାଇଆ ର କେତେ ବୁଦ୍ଧି ହେଲାଣି ରେ ।ଜାଣିଲୁ ଆଶୁ ଏ ବିସ୍କୁଟ ଠେଇଁ ମୋର ଆଦୌ ଲୋଭ ନାହିଁ ।ତୁ ବଡ ହେଇ ଚାକିରି କଲେ ମୋ ପାଇଁ ଦାମୀ କ୍ରିମ ବିସ୍କୁଟ ଆଣିଦେବୁ ଯେ ମୁଁ କ୍ଷୀର ଚା’ ସାଙ୍ଗରେ କ୍ରିମ ବିସ୍କୁଟ ଖାଇବି ।ହେଲେ ଦୁର୍ଭାଗ୍ୟ ମୋ ଚାକିରି ପୂର୍ବରୁ ବାପା ଚାଲିଗଲେ ।ଅଧା ପେଟ ରହି ମୋର ସବୁ ଅଳି ଅର୍ଦ୍ଦଳିକୁ ପୂରଣ କରୁଥିବା ବାପାଙ୍କୁ ସାଧାରଣ କ୍ରିମ ବିସ୍କୁଟ ଟିଏ ବି ଖୁଏଇବାର ସୌଭାଗ୍ୟ ମିଳିଲାନି ମତେ ।ମାତ୍ର ସେ ବଞ୍ଚିଥିବା ଯାଏଁ ମୋ ପାଇଁ ବିସ୍କୁଟ କିଣିବାରେ କେବେହେଲେ ହେଳା କରିନଥିଲେ ।ଏଇଥି ପାଇଁ ପ୍ରତିଥର ତାଙ୍କ ପୁଣ୍ୟ ତିଥିରେ ଭୋଜ୍ୟ ଦେଇସାରି ଭୋଜିରେ କ୍ରିମ ବିସ୍କୁଟ ଲଗାଏ ।ତୁମେ ଆସିଲା ପରେ ଏଥରକ ପ୍ରଥମ ଥର ପାଇଁ ଅନ୍ନ ପିଣ୍ଡ ପଡିଲା ।ଲୋକମାନେ ବିସ୍କୁଟ ଖାଇବାର ଦେଖିଲେ ମତେ ଲାଗେ ଯେମିତି ମୋ ବାପା କ୍ରିମ ବିସ୍କୁଟ ଖାଉଛନ୍ତି ।ଏଇଥିପାଇଁ ତ ତାଙ୍କ ଜନ୍ମ ତିଥିରେ ବୃଦ୍ଧାଶ୍ରମ ରେ କ୍ରିମ ବିସ୍କୁଟ ବାଣ୍ଟେ।ମତେ ଏଥିରେ ଏକ ନିଆରା ଆତ୍ମ ସନ୍ତୋଷ ମିଳେ ।ହଁ ଆଉ ଗୋଟିଏ କଥା ।ବାପାଙ୍କୁ ଖୁଏଇ ନ ପାରିବାର ଦୁଃଖରେ ମୁଁ କ୍ରିମ ବିସ୍କୁଟ ଖାଇବା ସବୁଦିନ ପାଇଁ ଛାଡି ଦେଇଛି ।
ଅନ୍ଧକାର ଭିତରେ ବି ବିଶାଖା ଜାଣୁଥିଲା ଆଶୁତୋଷ ଙ୍କ ଆଖିରୁ ବହି ଗଲାଣି ଦୁଇ ଧାର ଲୁହ ।ତାଙ୍କ ହୃଦୟରେ ଥିବା ବାପାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ କୁ ଠିକ ଭାବରେ ମାପି ପାରୁଥିଲା ସେ ।ହାତ ବଢେଇ ଆଶୁତୋଷ ଙ୍କ ଲୁହ ପୋଛିଲା ବେଳକୁ ଆଶୁତୋଷ ଙ୍କ ହାତ ବି ପ୍ରସରୀ ଆସିଥିଲା ତା ଲୁହ ପୋଛିବାକୁ ।