ଦେଶ ଗଠନର ବିନ୍ଧାଣି ଶ୍ରମଜୀବୀ ଶ୍ରେଣୀ । ସ୍ୱଳ୍ପସଂଖ୍ୟକ ଦେଶରେ ଶ୍ରମଜୀବୀ ଶ୍ରେଣୀକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କୁ ମାଲିକ ଶ୍ରେଣୀ ଓ ସରକାର ଅତି ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି । ପ୍ରକୃତ ଉତ୍ପାଦନର ମାଲିକ ଶ୍ରମିକମାନେ କିନ୍ତୁ ପୁଞ୍ଜି ସଂଗ୍ରହକାରୀ ଓ ବିନିଯୋଗକାରୀ ମାଲିକ ବୋଲାଇ ତାଙ୍କ ଲାଭର ପାହାଡ଼କୁ ଆକାଶଚୁମ୍ବୀ କରାଇବାରେ ଲାଗିପଡ଼ିଛନ୍ତି । ଏଣେ ମାଟି ଉପରେ ରୁଟି, କପଡ଼ା, ମକାନ ପାଇଁ ଦିନ ରାତି ଖଟିଲେ ବି ଶ୍ରମିକଶ୍ରେଣୀ ପକ୍ଷରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ଼ କରିବା କାଠିକର ପାଠ ହୋଇଯାଇଛି ।
ବ୍ରିଟିଶ ଅମଳରୁ ଆଜି ପର୍ଯ୍ୟନ୍ତ ଶ୍ରମ ଆଇନ୍ଗୁଡ଼ିକ ଏତେ ଜଟିଳ ଯେ ଶ୍ରମଜୀବୀ ଶ୍ରେଣୀ ନ୍ୟାୟ ଅପେକ୍ଷାରେ ବର୍ଷବର୍ଷ ଚାତକ ଭଳି ଚାହିଁ ରହୁଛନ୍ତି । କେତେକ ବୃଦ୍ଧ ହୋଇଯାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଆଉ କେତେକ କୋର୍ଟ କଚେରୀ ଓକିଲ ପାଖକୁ ଧାଇଁ ଧାଇଁ ସର୍ବସ୍ୱାନ୍ତ ହୋଇ ପଡୁଛନ୍ତି । ଏହି ଦୃଷ୍ଟିରୁ ଜଟିଳ ଶ୍ରମଆଇନ୍ଗୁଡ଼ିକର ଶ୍ରମିକ ସ୍ୱାର୍ଥର ଚାହିଦା ଦୃଷ୍ଟିରୁ ଆଶୁସଂସ୍କାର ଏକାନ୍ତ ଆବଶ୍ୟକ ହୋଇପଡ଼ିଛି ।
ସାଂପ୍ରତିକ ଶ୍ରମ ଆଇନ୍ ଶ୍ରମିକମାନଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବାରେ କୌଣସି ସହାୟକ ହୋଇପାରୁନି । କେବଳ ନିର୍ମାଣ, ଫାର୍ମ, ଆତ୍ମନିଯୁକ୍ତି ଏବଂ ମାମୁଲି ଚାକିରି କିଛି ସୃଷ୍ଟି କରୁଛି । ଯାହା ସମୁଦ୍ରକୁ ମାତ୍ର ଶଙ୍ଖେ ପାଣି ଭଳି । ପୁଣି ଯାହାକିଛି ଆଇନ୍ ଅଛି ସେଥିରେ ବାରମ୍ବାର ସଂଶୋଧନ କରାଯାଇ ଅନେକ କଳାଆଇନ୍ ଯୋଡ଼ି ଦିଆଯାଉଛି । ଶ୍ରମଜୀବୀ ଶ୍ରେଣୀ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଭାବେ ଉନ୍ନତ ଚିନ୍ତା ଚେତନା ସୃଷ୍ଟି କରିବାରେ କୌଣସିଦଳ ଖାସ୍ ପଦକ୍ଷେପ ନେଇ ପାରୁନାହାନ୍ତି । ଶ୍ରମିକମାନଙ୍କୁ ଯେଉଁସବୁ ଟ୍ରେଡ୍ୟୁନିୟନ୍ମାନେ ସଂଗଠିତ କରୁଛନ୍ତି, ସେମାନେ ଦଳ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବେଶି ଉତ୍ସାହୀ – ଯାହା ଫଳରେ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା କରାଯାଇ ପାରୁନି । ପୁଣି ଦେଶର ବେଶି ଭାଗ ଶ୍ରମିକମାନଙ୍କର କୌଣସି ଟ୍ରେଡ୍ ୟୁନିୟନ ନାହିଁ । ଏମାନଙ୍କୁ ଐକ୍ୟବଦ୍ଧ କରି ଏକ ସଜାଗ ସଂଗଠନ ରୂପେ ଗଢ଼ିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଦେଶରେ ଶ୍ରମ ଓ ଶିଳ୍ପ ସଂପର୍କିତ ୪୪ଟି ଜାତୀୟ ଆଇନ୍ ଅଛି – ଏହା ବାଦ୍ ପ୍ରତ୍ୟେକ ରାଜ୍ୟରେ ଶହଶହ ସଂଶୋଧନ କରାଯାଉଛି । ଏହିସବୁ ଆଇନ୍କାନୁନ୍ ଦ୍ୱାରା ଶ୍ରମିକମାନଙ୍କ କ୍ଷେତ୍ରରେ ଶିଳ୍ପାନୁଷ୍ଠାନ କର୍ତୃପକ୍ଷ ମଧ୍ୟ ଅସାଧୁ ଆଚରଣ କରିବାକୁ ପଛାଉ ନାହାନ୍ତି । ଭାରତରେ ସାପ୍ତାହିକ ଶ୍ରମ ସମୟ ୪୮ଘଂଟା ଥିଲାବେଳେ ଚୀନ୍, ରୁଷରେ ୪୦ଘଂଟା ଅଛି । ଭାରତରେ ସର୍ବନିମ୍ନ ମଜୁରୀ ହାରାହାରି ୨୮% ଥିଲାବେଳେ ଚୀନ୍, ଭିଏତ୍ନାମରେ ୨୯%, ମାଲୟେସିଆରେ ୩୪%, ବ୍ରାଜିଲ୍ରେ ୩୮% ଅଛି । ମହିଳା ଶ୍ରମିକମାନଙ୍କ ପାଇଁ ପ୍ରସୂତିକାଳୀନ ସବେତନ ଛୁଟି ୧୨ ସପ୍ତାହ ଥିଲାବଳେ କଲମ୍ବିଆରେ ୧୪ ସପ୍ତାହ, ବ୍ରାଜିଲରେ ୧୭ସପ୍ତାହ ଅଛି । ଭାରତରେ ଅନ୍ୟାନ୍ୟ ଆଇନ୍କାନୁନ୍ ମଧ୍ୟ ଜଟିଳ । ସୁଫଳ ପାଇଁ ଅର୍ଥ ଓ ସମୟ ବରବାଦ ହୁଏ ।
ଏବେ ମାଲିକମାନେ ଠିକା ଶ୍ରମିକ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି । ଜଣେ ଶ୍ରମିକ ଶିଳ୍ପାନୁଷ୍ଠାନରେ ଲଗାତର ୯୦ଦିନ କାମ କଲେ ସ୍ଥାୟୀ ଶ୍ରମିକ ଭାବରେ ଗଣା ହେବା ପାଇଁ ବିଧି ଅଛି । ଠିକ୍ ୮୯ ଦିନ କାମ କଲା ପରେ ହଠାତ୍ ଛଟେଇ କରିଦିଅନ୍ତି । ହାୟାର୍ ଆଣ୍ଡ ଫାୟାର୍ ପଲିସିକୁ ମାଲିକ ଶ୍ରେଣୀ ବହୁତ ଭଲ ପାଆନ୍ତି । ସବୁଠାରୁ ଭୟଙ୍କର ବ୍ୟବସ୍ଥା ହେଲା – ମାଲିକମାନେ ସ୍ଥାନୀୟ ଅପରାଧୀମାନଙ୍କୁ ଶ୍ରମିକ ଯୋଗାଣ କାମର ଦାୟିତ୍ୱ ଦିଅନ୍ତି । ଯାହାଫଳରେ ମାଲିକ ଶ୍ରମିକମାନଙ୍କର ପ୍ରାପ୍ୟ ମଜୁରୀ ହରଣଚାଲ କରନ୍ତି । ଶ୍ରମିକ ଯୋଗାଣକାରୀ ଠିକାଦାରମାନେ ମଧ୍ୟ ମାଲିକ ଓ ଶ୍ରମିକମାନଙ୍କଠାରୁ କମିଶନ ପାଆନ୍ତି । ଟ୍ରେଡ୍ ୟୁନିୟନ୍ ଓ ସରକାରଙ୍କର ଶ୍ରମ ବିଭାଗ ସବୁ ଜାଣି ଅଜଣା ।
ସର୍ବନିମ୍ନ ମଜୁରୀ ଆଇନ୍, ଫାକ୍ଟ୍ରି ଆକ୍ଟ, ଶିଶୁଶ୍ରମିକ ଆଇନ୍ ପ୍ରମୁଖ ଆଇନ୍ କାର୍ଯ୍ୟକାରୀ କରିବାରେ ସଚେତନତା ସୃଷ୍ଟି କରାଯାଉନି ।
କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ଶିଶୁଶ୍ରମିକ, ଶିକ୍ଷାନବିସ୍ (ୟାପ୍ପ୍ରେନ୍ଟିସ୍) ଆଇନ୍ରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଅଛି । ବ୍ରିଟିଶ୍ ଅମଳର କିଛିକିଛି ଶ୍ରମ ଆଇନ୍ କେବଳ ସଂଶୋଧନ କରାଯାଇଛି । ସର୍ବନିମ୍ନ ମଜୁରୀ ଆଇନ୍ରେ ଶ୍ରମିକମାନଙ୍କ ପାଇଁ ବହୁବିଧ ସୁଯୋଗସୁବିଧା ଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନି । ଦେଶର କୋଟିକୋଟି ଶ୍ରମିକ ଏବେବି ସର୍ବନିମ୍ନ ମଜୁରୀ ପାଇ ପାରୁ ନାହାନ୍ତି । ସେମାନଙ୍କ ସୁରକ୍ଷା ତଥା ନ୍ୟାୟୋଚିତ ମଜୁରୀ ଦେବାରେ ଏ ପର୍ଯ୍ୟନ୍ତ ସବୁ ସରକାର ବ୍ୟର୍ଥ ହୋଇଛନ୍ତି । ଆଇନ୍ଭଂଗକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରୁନି ।
ଶିଶୁ ଶ୍ରମିକ ପ୍ରଥା ଏକ ଜାତୀୟ ଲଜ୍ଜା । ଶିଶୁଶ୍ରମିକ ଉଚ୍ଛେଦ ପାଇଁ ସରକାରମାନେ ବାରମ୍ବାର କଣ୍ଠଫଟାଇ ଚିତ୍କାର କଲେ ମଧ୍ୟ କୁମ୍ଭୀର କାନ୍ଦଣାରେ ପରିଣତ ହେଉଛି । ଘରଠାରୁ ଆରମ୍ଭ କରି ଦୋକାନବଜାର, କଳକାରଖାନା, ଖଣିଖାଦାନରେ ଶିଶୁଶ୍ରମିକମାନଙ୍କୁ ହାଡ଼ଭଙ୍ଗା ଖଟଣି ଖଟିବାକୁ ହୁଏ । ଯେଉଁ ବୟସରେ ସେମାନେ ଖେଳିବୁଲି, ପାଠପଢି ଭବିଷ୍ୟତ ଗଠନ କରିବାର ମୂଳଦୁଆ ପଡ଼ନ୍ତା ସେ ବୟସରେ ସେମାନଙ୍କୁ ମୂଲ ଲାଗିବାକୁ ପଡ଼େ । ଏହି ପ୍ରଥା ସଂପୂର୍ଣ୍ଣ ଲୋପ କରାଯାଇ ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତ ଗଠନ ପାଇଁ ସକାରାତ୍ମକ ବାସ୍ତବ ପଦକ୍ଷେପ ନେବାର ସମୟ ଆସି ଯାଇଛି ।
ଆମ ଦେଶରେ ଶିକ୍ଷାନବିସ୍ ଆଇନ୍ ଅଛି, ପ୍ରଥମେ ଶିକ୍ଷାର୍ଥୀ ଟ୍ରେନିଂ ନେଲା ପରେ ନିଯୁକ୍ତି ଦିଆଯିବାର ଆଇନ୍ ଅଛି । କିଂତୁ ଶିକ୍ଷାନବିସ୍ମାନେ ଧାର୍ଯ୍ୟ ସମୟ ଶେଷ କଲା ପରେ ଚାକିରି ମିଳୁନି । ଆମ ଦେଶରେ ଲକ୍ଷଲକ୍ଷ ଶିକ୍ଷାନବିସ୍ ଟ୍ରେନିଂ ଶେଷ କଲା ପରେ ମଧ୍ୟ ଚାକିରି ନପାଇ ବେକାର ଜୀବନ ବିତାଉଛନ୍ତି । ଏହି ୩ଟି ଆଇନ୍କୁ ସରକାର ବଦଳାଇବା ପାଇଁ ପ୍ରସ୍ତାବ ରଖିଛନ୍ତି । ଏହି ଆଇନ୍ଗୁଡ଼ିକ ଶ୍ରମଜୀବୀ ଶ୍ରେଣୀର ସ୍ୱାର୍ଥରେ ଯେଭଳି ବାସ୍ତବ କାର୍ଯ୍ୟକାରୀ ହେବ -ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ।
ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଯେଉଁସବୁ ଆଇନ୍ ଅଛି- ବିଶେଷ କରି ଭବିଷ୍ୟନିଧି ପାଣ୍ଠି, ତାହା ପ୍ରାୟ ଅଚଳଅବସ୍ଥାକୁ ଆସିଯାଇଛି । ଶ୍ରମିକ କର୍ମଚାରୀମାନଙ୍କଠାରୁ ଇପିଏଫ୍ କାଟିରଖିଲାବେଳେ ମାଲିକମାନେ ସମପରିମାଣରେ ଅର୍ଥ ଶ୍ରମିକମାନଙ୍କ ନାଁରେ ରଖିବା ନିୟମ ଅଛି । ଅଧିକାଂଶ କ୍ଷେତ୍ରରେ ମାଲିକମାନେ ତାଙ୍କ ସର୍ତ ରକ୍ଷାକରୁ ନାହାନ୍ତି । ଇପିଏଫ୍ ଫଣ୍ଡକୁ ଟଙ୍କାଯାଉନି । ଲକ୍ଷଲକ୍ଷ ଟଙ୍କା ଠକି ଚାଲିଛନ୍ତି । ଇପିଏଫ୍ ଫଣ୍ଡରେ ଶ୍ରମିକମାନଙ୍କର କୋଟିକୋଟି ଟଙ୍କା ମଧ୍ୟ ଫେରି ପାଉ ନାହାନ୍ତି । ବହୁ ଶ୍ରମିକ ସଚେତନତା ଅଭାବରୁ ଇପିଏଫ୍ ଫଣ୍ଡ ଉଠାଇ ପାରୁ ନାହାନ୍ତି । ଏହା ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପରିବର୍ତେ କ୍ଷତି ସାଧନ କରୁଛି । ସଂପ୍ରତି ପ୍ରଚଳିତ ପୁଂଜିବାଦୀ ବ୍ୟବସ୍ଥାରେ ଶ୍ରମିକଶ୍ରେଣୀ ଅର୍ଥନୈତିକ ସୁବିଧାବାଦର ଶିକାର ହୋଇ ପଡ଼ିଛନ୍ତି । ଦେଶର ସଂଖ୍ୟାଧିକ ଶ୍ରମିକନେତା ଏବେ ମାଲିକମାନଙ୍କର ସ୍ୱାର୍ଥ ପାଇଁ କାମ କରୁଛନ୍ତି ।
ସାଂପ୍ରତିକ ସମାଜବ୍ୟବସ୍ଥାରେ ଅତ୍ୟଧିକ ମୁନାଫା ଲାଳସା ପାଇଁ ଶ୍ରମଭିତିକ ଶିଳ୍ପକୁ ପୁଂଜିଭିତିକ ଶିଳ୍ପରେ ପରିଣତ କରାଯାଇଛି ଯାହା ଫଳରେ ବ୍ୟାପକ ମେସିନ୍, କମ୍ପ୍ୟୁଟର ପ୍ରଚଳନ ଯୋଗୁ ଶ୍ରମିକ ଛଟେଇ ଏକପ୍ରକାର ସାଧାରଣ ଘଟଣା ପାଲଟିଯାଇଛି ଓ ନୂଆନୂଆ ନିଯୁକ୍ତି ସୃଷ୍ଟି ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି । ଶ୍ରମଜୀବୀମାନଙ୍କୁ ନ୍ୟାୟୋଚିତ ମଜୁରୀ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାର କିମ୍ବା ଆଇନ୍କାନୁନ୍ କାର୍ଯ୍ୟକାରୀ ପଦକ୍ଷେପ ନେଇ ପାରୁ ନାହାନ୍ତି । ମାତ୍ର ମନେରଖିବାକୁ ପଡ଼ିବ ଯେ ଶ୍ରମମେବ ଜୟତେ ହିଁ ପ୍ରକୃତରେ ସତ୍ୟମେବ ଜୟତେ – ଶ୍ରମକୁ ସଂଭ୍ରମ ନ ଦେଲେ ସଭ୍ୟତାର ଜୟଯାତ୍ରା ହେବ ଭ୍ରମ ସଂକୁଳ । ଆସନ୍ତା କାଲିର ଅଗ୍ରଗତି ନିମନ୍ତେ ଏହା ହିଁ ଆଜିର ଆହ୍ୱାନ – ଶ୍ରମମେବ ଜୟତେ । ପୃଥିବୀର ପ୍ରତ୍ୟେକ ପ୍ରାନ୍ତ ଆଜି ଏହି ବିଜୟର ଅପେକ୍ଷାରେ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩