27.1 C
Bhubaneswar
Saturday, July 20, 2024
Homeଓଡିଶା### ପିଜୁଳି ###

### ପିଜୁଳି ###

ସକାଳୁ ଉଠି ଛାତ ଉପରେ ବ୍ୟାୟାମ କଲା ବେଳେ ଅଭୟ’ର ଆଖି ପଡ଼ିଲା ପିଜୁଳି ଗଛରେ ଓହଳି ଥିବା ଦୁଇଟା ବଡ଼ ବଡ଼ ପାଚିଲା ପିଜୁଳି ଉପରେ।

ଛଅ ମାସ ହେଲାଣି ଏଇ ଉପର ମହଲାରେ ଥିବା ଏକ ବଖୁରିଆ ଭଡାଘରେ ରହୁଛି ଅଭୟ;ଫରନିସଡ଼ ଆକୋମୋଡେସନ।ସାଙ୍ଗରେ ଆଟାଚ୍ ଲାଟିନ ବାଥ ଓ ଗୋଟେ ଛୋଟ ରୋଷେଇ ଘର।ଏକୁଟିଆ ମଣିଷ ପାଇଁ ଢେର।
ତଳ ମହଲାରେ ଘର ମାଲିକ ଜୟନ୍ତ ବାବୁ ଓ ମାଲିକାଣୀ ଗାୟତ୍ରୀ ଦେବୀ।ଶ୍ରଦ୍ଧାରେ ସେମାନଙ୍କୁ ମଉସା,ମାଉସୀ ବୋଲି ଡାକେ।
ମଉସା,ମାଉସୀ ଭାରି ସ୍ନେହୀ।
ପିଜୁଳି ଦୁଇଟା ଦେଖୁ ଦେଖୁ,ଘର ସାମ୍ନାରେ ଥିବା ପାନ ଦୋକାନୀ କଥା ମନେ ପଡ଼ିଗଲା ଅଭୟ’ର।
-ବୁଢ଼ୀ ଟା ଭଲ,ହେଲେ ଭାରି କାମ୍ପି।ଦେହରୁ ମଳି ଟିକେ ଦେବନି।ଏଇ ପିଜୁଳି ଗଛକୁ ଜଗିଥିବ।ତାଙ୍କ ପୁଅ ପିଜୁଳି ଭଲ ପାଏ ବୋଲି କାହାକୁ ହାତ ମରାଇ ଦିଅନ୍ତିନି।”
– କିନ୍ତୁ ପିଜୁଳି ତ ବହୁତ ଫଳୁଥିବ।କଣ କରନ୍ତି ?”
– ପିଜୁଳି ଜାମ୍,ଜେଲି କରିକି ରଖେ ବୋଲି ଶୁଣିଛି।ରାତିରେ ବାଦୁଡି ,ଶୁଆ ଖାଇଲେ କିମ୍ବା ଦିନବେଳା କାଉ,ଗୁଣ୍ଡୁଚିମୂଷା ଖାଇଲେ ସେମାନଙ୍କୁ ବି ଗାଳି କରେ ବୁଢ଼ୀ।”
ମନେ ମନେ ହସୁଥିଲା ଅଭୟ।ସବୁ ମା ମାନେ ସେମିତି।ସବୁ ଜିନିଷ ପିଲାଙ୍କ ପାଇଁ ସାଇତିବେ।ବାରି ପିଜୁଳି ବି ଗୋଟେ ଅଦ୍ଭୁତ ମୋହ ଲଗାଏ।ଯାହା ଘରେ ପିଜୁଳି ଗଛ ଥାଏ ସେ କଣ କେବେ ଭୁଲିପାରେ ପିଜୁଳି ଗଛରେ ମାଙ୍କଡ଼ ଭଳି ଚଢି ପିଜୁଳି ତୋଳିବା ଓ ଖାଇବା !
ଅଭୟ ର ମାନେପଡୁଥିଲା ଗାଁ ରେ ତାଙ୍କ ଅଗଣାରେ ଥିବା ପିଜୁଳି ଗଛ କଥା।ପିଜୁଳି ଭାରି ପ୍ରିୟ ଥିଲା ତା’ର।ସାନ ଭଉଣୀ ଓ ଭାଇଙ୍କ ସହ ବାଦ କରି କାଳେ ସେମାନେ ଖାଇଦେବେ ବୋଲି,ଗଛରେ ଓହଳିଥିବା ପିଜୁଳି ନିଜେ ଖାଇ ଅଧା ଖଣ୍ଡିଆ କରି ଛାଡିଦିଏ ବୋଲି ବୋଉଠୁ ଗାଳି ଶୁଣେ।ମାଡ଼ ବି ଖାଏ।
ବୋଉ ଉପରେ ଅଭିମାନ ବି କରେ ଅଭୟ।ବୋଉ ବି ଅଦ୍ଭୁତ ମଣିଷ।ହଷ୍ଟେଲରେ ରହି ପଢିଲା ବେଳେ ବାପାଙ୍କ ହାତରେ ଗାଁ ରୁ ପିଜୁଳି ପଠାଏ।ହଷ୍ଟେଲ ରେ ବାରି ପିଜୁଳି ଖାଇଲା ବେଳେ କାହିଁକି କେଜାଣି ଅଭୟ ଆଖିରେ ଲୁହ ଆସିଯାଏ।
– ପିଜୁଳି ହେଉଛି ସମ୍ପର୍କ ର ଏକ ତ୍ରିଭୁଜ।
କୋଣାର୍କ ମନ୍ଦିର ତିଆରି ହେଲାବେଳେ,
ଧର୍ମପଦ ପରା ନିଜ ବାପାଙ୍କୁ ଭେଟିବାକୁ ଗଲାବେଳେ ନିଜ ପରିଚୟ ଦେବାପାଇଁ, ସାଙ୍ଗରେ ବଳିଆ କୁକୁର ଓ ମା ଦେଇଥିବା ବାରି ପିଜୁଳି ହିଁ ନେଇଥିଲା।”
ହଷ୍ଟେଲ ବନ୍ଧୁ ମନମୋହନ ଥରେ ମଜାରେ କହିଥିଲା।
-ଆବେ,ପିଜୁଳି ନୁହେଁ,ବାରି ବରକୋଳି।ବରଂ ପିଜୁଳି ଦେଖିଲେ ଆମର ଘରକଥା ମନେପଡେ।”
ଆଜି ପିଜୁଳି ଦେଖି ବୋଉ କଥା ମନେପଡୁଥିଲା ଅଭୟ ର। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି।ତେବେ ନିଜ ଖର୍ଚ୍ଚ ଉଠାଇବା ପାଇଁ ଅନଲାଇନ କୁରିଅର ଡେଲିଭରି ବୟ କାମ ଏବେ ହାତକୁ ନେଇଛି ସେ।
ସେଦିନ କାମକୁ ବାହାରିଲା ପୂର୍ବରୁ ଜୟନ୍ତ ମଉସା ତାକୁ କହିଲେ,
– ଆମେରିକାରୁ ପୁଅ ଔଷଧ ଗୋଟେ ପଠାଇଥିଲା ତମ ମାଉସୀ ପାଇଁ,ହେଲେ କାହିଁକି ପହଁଚିନି ଟିକେ ଚେକ୍ କରିଦେବ।ଟୋକା ନିଜେ ନଆସି କାହିଁକି କେଜାଣି ଜିନିଷ ପଠାଉଛି ?ଏଠି କଣ ଔଷଧ ମିଳୁନି ?ଫ୍ଲାଇଟ ତ ଆରମ୍ଭ ହେଲାଣି,ବୁଢୀକୁ ନେଇ ସାଙ୍ଗରେ ପକେଇଲେ ମୋର ଶାନ୍ତି।କିଏ ୟା ସାଙ୍ଗରେ ଖେଟ୍ ଖେଟ୍ ହେବ ?ସକାଳୁ ମୋତେ ଦଶ ଥର କହିଲାଣି ଅଭୟକୁ କୁହ ପ୍ୟାକେଟ କଥା।”
ଅଭୟ କିଛି କହିବା ପୂର୍ବରୁ, ପଛପଟୁ ମାଉସୀ ଅଭିମାନ ଭରା ସ୍ୱରରେ କହୁଥିଲେ,
-ଆମେରିକା ଔଷଧ ବେଶୀ ଭଲ।ଗତଥର ଆଣ୍ଠୁ ଦରଜ ମଲମ ପଠାଇଥିଲା ଯେ ଦିନ କରେ ମୋ ଦରଜ ଭଲ ହୋଇଗଲା ।ସେଠୁ ଏବେ କେମିତି ଆସିବ ଅଭି ? ଫୋନ ରେ କହୁଥିଲା ବହୁତ କାମ ପଡୁଛି ତା ଉପରେ।ସେଥିରେ ପୁଣି ଏଇ ନିଆଁଲଗା କରୋନା।ଏତେବାଟ ଫ୍ଲାଇଟ ରେ ବସି ଆସିଲା ଭିତରେ ତାକୁ ଯଦି ଏଇ କରୋନା….।ସିଏ ସେଇଠି ଥାଉ।ଆମର କଣ ଅସୁବିଧା ହେଉଛି କି ?ଦରକାର ପଡିଲେ ପାଖରେ ତ ଅଭୟ ଅଛି।ସିଏ କଣ ଆମ ପୁଅ ନୁହେଁ କି ?ସଂଯୋଗ ଦେଖ,ୟା ନାଁ ବି ଅଭି।”
ଅଭୟ ଏକ ଲୟରେ ଅନାଇଥିଲା ଗାୟତ୍ରୀଙ୍କୁ।ବୋଉ ମୁହଁଟା ଆଖି ଆଗରେ ଭାସି ଉଠିଲା।ସବୁ ମା’ମାନଙ୍କ ମୁହଁରେ ମମତା ଝଲକେ;ସବୁ ମା ମାନଙ୍କ ମୁହଁ , ସ୍ୱର ଏକାଭଳି ଲାଗେ ବେଳେବେଳେ।ଆଖିଟା ଜକେଇ ହୋଇ ଆସୁଥିଲା।କଥା ବୁଲାଇବା ପାଇଁ ସେ କହିଲା,
– ପିଜୁଳି ଦୁଇଟା ବନିଯାଇଛି।ତୋଳି ଦିଅନ୍ତୁ।”
ହସିଦେଇ ମଉସା କହିଲେ,
– ତୋ ମାଉସୀ କଣ କାହାକୁ ହାତ ମରାଇଦେବ ?ପୁଅ ପାଇଁ ସାଇତିବ।”
ଓପରଓଳି ଘରକୁ ଫେରିଲାବେଳକୁ ଅଭୟ ଗୋଟେ ପ୍ୟାକେଟ ଧରାଇଦେଲା ଜୟନ୍ତ ମଉସାଙ୍କୁ।ମାଉସୀ ଆଗତୁରା କହିଲେ
– ଅଭି ପଠାଇଥିବ।ଦେଖିଲ,ତମେ ଅଯଥାରେ ମୋ ପାଇଁ ଇନହେଲର କିଣିଥାନ୍ତ।”
ପ୍ୟାକେଟଟା ଖୋଲି ମଉସା ଇନହେଲର ବାହାର କରି ସାନିଟାଇଜର ରେ ପ୍ରଥମେ ପୋଛି ମାଉସୀଙ୍କ ହାତକୁ ଧରାଇ ଦେଉ ଦେଉ କହିଲେ,
– ଏଇନା ତମ ପୁଅକୁ ଫୋନ କରିବନି।ରାତି ହୋଇଥିବ ସେଠି।ଶୋଇଥିବ ଅଭି।”
ଛୋଟ ପିଲାଙ୍କ ଭଳି ଇନହେଲରଟାକୁ ଧରି ମାଉସୀ ଏତେ ଖୁସି ହୋଇଗଲେ ଯେ,ସତେ ଯେମିତି ତାଙ୍କ ପୁଅକୁ ପାଖରେ ପାଇଛନ୍ତି।ମା ମାନେ ସବୁବେଳେ ଭାବପ୍ରବଣ।
ଅଭୟର ମନେ ପଡୁଥିଲା ତାର ଟିକେ ମୁଣ୍ଡ ବିନ୍ଧିଲେ ,ଥଣ୍ଡା ହେଲେ ବୋଉ ଅମୃତାଞ୍ଜନ କି ଭିକ୍ସ ବୋତଲ ଟା ଆଣି ମାଲିସ କରୁ କରୁ ଆଗେ କାନ୍ଦେ।
-ଅନେକ ଧନ୍ୟବାଦ ପୁଅ।”ମଉସାଙ୍କ କଥାରେ ଭାବନାରାଜ୍ୟରୁ ଫେରି ଆସିଲା ଅଭୟ।
ତରଵର ହୋଇ ଉପର ମହଲାକୁ ଆସି ଲୁଗାପଟା ବଦଳାଇଲା ବେଳେ ମୋବାଇଲ ବାଜିଲା।
-ହ୍ୟାଲୋ ?
ଆରପଟୁ ସେଇ ଚିହ୍ନା ସ୍ୱର
– କେବେ ଆସିବୁ ?ତୋ କଥା ଭାରି ମନେ ପଡୁଛି।ହୁସିଆରି ହୋଇ ଚଳୁଥିବୁ।ଗଛରେ ପିଜୁଳି ସବୁ ପାଚିଲାଣି।ସେଠି ପିଜୁଳି ମିଳୁଛି ?
– ହଁ ପିଜୁଳି ମିଳୁଛି।ତୁ ବ୍ୟସ୍ତ ହଅନା।”
– କିଣା ପିଜୁଳି କଣ ବାରି ପିଜୁଳି ଭଳି ହୋଇଥିବ ?”
ପଛପଟୁ କାହାର ପାଦ ଶବ୍ଦ ଶୁଣି ଚମକି ପଡ଼ିଲା ଅଭୟ।ଜୟନ୍ତ ମଉସା ହାତରେ ଦୁଇଟା ପିଜୁଳି ନେଇ ଠିଆ ହୋଇଥିଲେ।
ନିଜ ଫୋନ ର ସ୍ପିକର ଅନ କଲା ଅଭୟ।
-ହ୍ୟାଲୋ,ଅଭି, ତୋ ବାପା ଏଇନା ମୁଁ ଫୋନ କରୁଛି ଦେଖିଲେ ରାଗିବେ।ହଁ,ତୁ ପଠାଇଥିବା ଇନହେଲର ପାଇଲି।ବାପା ଓ ମୁଁ ଭଲ ଅଛୁ।ତୋ ଦେହ ପା ଭଲ ଅଛି ତ ?ତୋ ତଣ୍ଟି ସେଦିନରୁ ସେମିତି ବସିଛି ?ସ୍ୱର ଅଲଗା ଶୁଭୁଛି।ଔଷଧ ନିଜେ ଟିକେ ଖା। ହଉ ତୁ ଶୋଇ ପଡ।”
ସ୍ପିକର ବନ୍ଦ କରି ଫୋନ ଅଫ କଲା ଅଭୟ।ମଉସାଙ୍କ ଆଖି ଲୁହ ଛଳଛଳ।କିଛି ନକହି ପିଜୁଳି ଦୁଇଟା ଅଭୟ ହାତରେ ଦେଇ ତାକୁ କୁଣ୍ଢାଇ ପକାଇ କାନ୍ଦୁଥିଲେ।
ଅଭୟ ବି କାନ୍ଦୁଥିଲା।ଚାରି ମାସ ତଳୁ ଆମେରିକାରେ ଜୟନ୍ତ ମଉସାଙ୍କ ପୁଅ ଅଭୟର ଦେହାନ୍ତ କରୋନାର ହୋଇଗଲାଣି।ଗାୟତ୍ରୀ ମାଉସୀ ହାର୍ଟ ପେସେଣ୍ଟ ବୋଲି ତାଙ୍କୁ କିଛି ଜଣାଇନାହାନ୍ତି।ମଉସାଙ୍କ ଅନୁରୋଧରେ ଅଭୟ ତାଙ୍କ ପୁଅ ଅଭିନୟ କରୁଛି।
ନିଶବ୍ଦ ରେ ଫେରିଗଲେ ଜୟନ୍ତ ମଉସା ତଳ ମହଲାକୁ।
ଆଖି ପୋଛି ଅଭୟ ଅନାଇଲା କାନ୍ଥକୁ। କାନ୍ଥରେ କର୍ପୁରମାଳ ଦିଆ ଝୁଲା ହୋଇଥିବା ନିଜ ବୋଉର ଫଟ।ପାଞ୍ଚ ବର୍ଷ ହୋଇଗଲାଣି ବୋଉର ସ୍ବର୍ଗବାସକୁ ।ଆଜି ପୁଣି ତା ହାତରେ ଦୁଇଟା ପିଜୁଳି।
ଓଃ….ଏଇ ପିଜୁଳି ବି ବେଳେବେଳେ
ଯୋଡିଡିଏ ସମ୍ପର୍କ ର ତ୍ରିଭୁଜ।
ଦୁଇ ଟୋପା ଲୁହ ଖସି ପଡ଼ିଲା ସେ ଧରିଥିବା ପିଜୁଳି ଉପରେ।
(©ଅରବିନ୍ଦଦାସ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking