18.1 C
Bhubaneswar
Sunday, December 29, 2024
HomeUncategorizedମାଟିହାଣ୍ଡି : ଅରବିନ୍ଦଦାସ

ମାଟିହାଣ୍ଡି : ଅରବିନ୍ଦଦାସ

“ଏଠାରେ ପ୍ରସିଦ୍ଧ ମାଟିହାଣ୍ଡି ଖାସୀମାଂସ ମିଳେ”
ହାଇୱେ କଡ଼ରେ ଥିବା ଢ଼ାବା ସାମ୍ନାରେ ଲଗାହୋଇଥିବା ବିଜ୍ଞାପନଟିକୁ ଦେଖାଇ ବିଶ୍ଵଜିତ ଗାଡି ଅଟକାଇ ମୋତେ କହିଲା,
-ଏଇ ଢ଼ାବା ଓ ଏଠିକା ମାଂସ ତରକାରୀର ନାଁ ବହୁତ ଶୁଣିଛି।ଚାଲ ଆଜି ଟେଷ୍ଟ କରିବା।”
ମୁହଁରେ ଟିକେ ହସ ଖେଳାଇ ପଚାରିଲି,
– ସତରେ କଣ ମାଟି ହାଣ୍ଡିରେ ରାନ୍ଧୁଥିବେ ?”
-ତୋ ଭଳି ଲୋକଙ୍କୁ ତ ପ୍ରମାଣ ଦରକାର,ତା ପୁଣି ବିଜ୍ଞାନ ସମ୍ମତ।ନିଶ୍ଚେ ମାଟିହାଣ୍ଡି ରେ ରାନ୍ଧୁଥିବେ, ନହେଲେ ଏମିତି ପୋଷ୍ଟର କଣ ମାରନ୍ତେ ? ଭୋକ ବହୁତ ହେଲାଣି।ଖାଇଲାବେଳେ ଚର୍ଚ୍ଚା କରିବା।”
ଗାଡିରୁ ଓଲ୍ହାଉ ଓଲ୍ହାଉ କହିଲି,
– ଆଜିକାଲି ଏମିତି ମାଟିହାଣ୍ଡି ମଟନ ପରଷୁ ଥିବା ହୋଟେଲ ଛତୁ ଫୁଟିଲା ଭଳି ରାସ୍ତା କଡରେ କାୟା ବିସ୍ତାର କଲେଣି।ହେଲେ ଅସଲ….
ବିଶ୍ଵଜିତ ବୋଧେ ମୋ କଥା ଶୁଣିବା ମୁଡ଼ରେ ନଥିଲା।ଢ଼ାବା ଭିତରୁ ବଢିଆ ବାସ୍ନା ଭାସିଆସି ପେଟର ଭୋକକୁ ଆହୁରି ଉଚ୍ଚାଟ କରୁଥିଲା। ମାଲିକ ଭଳି ଦିଶୁଥିବା କ୍ୟାସ କାଉଣ୍ଟରରେ ବସିଥିବା ଲୋକଟାକୁ ବିଶ୍ଵଜିତ ପଚାରିଲା,
-ତମର ଏଠି ମାଂସ ମାଟି ହାଣ୍ଡିରେ ରନ୍ଧା ହେଉଛି ନା ନାହିଁ ?ମୋ ସାଙ୍ଗ ଡାଉଟ କରୁଛି।”
ପାନ ଚୋବାଉ ଚୋବାଉ ଲୋକଟା ମୋ ଉପରେ ଏକ ତୀକ୍ଷ୍ଣ ଚାହାଣୀ ବୁଲାଇଆଣି ବିରକ୍ତିଭରା ସ୍ୱରରେ କହିଲା,
– ମନ୍ଦିରରେ ମାଟି କୁଡୁଆ ଓ ଆମ ଢ଼ାବାରେ ମାଟିହାଣ୍ଡି ,ଏକଦମ ଗ୍ୟାରେଣ୍ଟେଡ଼। ଆମ ହାତରେ କଣ ଅଛି ଆଜ୍ଞା?ସବୁ ସେଇ ନିଆଁ,ପାଣି,ମାଟି ଉପରେ ନିର୍ଭର କରେ।ବାସ ଆଉ କିଛି ମୁଁ କହିବିନି।”
ଢ଼ାବା ମାଲିକଙ୍କ କଥା ଶୁଣି ଚମକି ପଡିଲି। ମୋର କାହା କଥା ହଠାତ ମନେପଡୁଥିଲା।ବୋଉ!!
ଠିକ ଏଇ କଥାପଦକ ତ ବୋଉ କୁହେ….
ଫ୍ୟାନତଳ ଗୋଟେ ଟେବୁଲ ବାଛି,ଦୁଇଟା ମଟନ ମିଲ ଅର୍ଡର ଦେଇ ଆମେ ଦୁହେଁ ଅନ୍ୟ ଟେବୁଲକୁ ଅନାଇଲୁ।କିଛି ଟେବୁଲ ଉପରେ ଛୋଟ ଛୋଟ ହାଣ୍ଡି ସବୁ ଥୁଆ ହୋଇଥିଲା। ଆମ ଟେବୁଲ ଉପରେ ବି ୱେଟର ଆଣି, ସିଲଭର ଫଏଲରେ ଢ଼ଙ୍କା ଦୁଇଟି ଛୋଟ ମାଟି ହାଣ୍ଡି ଆଣି ଥୋଇଦେଲା।
ୱେଟର କୁ ମୁଁ ପଚାରିଲି,
-ଦିନକୁ ତ ବହୁତ ମଟନ ରନ୍ଧା ହେଉଥିବ।ଏତେ ବଡ଼ ମାଟିହାଣ୍ଡି କେଉଁଠୁ ଆଣ ?”
ପିଲାଟି ପାଣି ଜଗରୁ ଗ୍ଲାସରେ ପାଣି ଢାଳୁ ଢାଳୁ କହିଲା,
-ଏତେ ବଡ଼ ମାଟିହାଣ୍ଡି କେଉଁଠୁ ମିଳିବ ସାର ? ବଡ଼ ହଣ୍ଡାରେ ରାନ୍ଧି,ମଟନ ଅଶୀ ନବେ ଭାଗ ହୋଇଗଲା ପରେ ତାକୁ ଛୋଟ ଛୋଟ ମାଟି ହାଣ୍ଡିରେ କାଢି,ସିଲଭର ଫଏଲ ଦେଇ ନିଆଁ ପାଖରେ ରଖାହୁଏ,ନିଆଁ ଧାସ ଓ ବାମ୍ଫରେ ସିଝିବା ପାଇଁ। ଆଗରୁ ଗାଁ ମାନଙ୍କରେ ଘରେ ହେଉଥିଲା ମାଟି ହାଣ୍ଡିରେ ରୋଷେଇ,ଆଜିକାଲି କିଏ କରୁଛି ?ତେବେ
ମାଟିହାଣ୍ଡି ପରା ଲୋକଙ୍କ ଡିମାଣ୍ଡ ବୋଲି ଟେବୁଲ ଉପରେ ବି ହାଣ୍ଡି ଭିତରେ ମଟନ ପରଶା ହେଉଛି।”
ପିଲାଟାର ସତକଥା ଶୁଣି ମୋ ମନ ଖୁସିହୋଇଗଲା ଓ ଅନେକ କିଛି ଦୃଶ୍ୟ ଆଖି ସାମ୍ନାରେ ଚଳଚିତ୍ର ଦୃଶ୍ୟଭଳି ଭାସିଉଠିଲା।ଗାଁର ଚାଳ ଛପର ଖଞ୍ଜା, ଗୋଟେ କଡ଼କୁ ରୋଷେଇଘର,ଅଗଣା ଭିତରେ ଚଉରା ଓ ଲିପାପୋଛା ହୋଇଥିବା ଗୋଟାଏ ଚୁଲି।ରୋଷେଇ ଘରେ ଧୂଆଁ ବା ଗରମ ହେଲେ ବୋଉ ସେଇ ଅଗଣା ଚୁଲିରେ ରୋଷେଇ କରେ।ମାଟି ହାଣ୍ଡିରେ ଟକଟାକ ଫୁଟୁଥିବା ଚାଉଳ,ଡାଲି ବା ଫୁଟଣ ଶୁଖିଲା ଲଙ୍କା ଛୁଙ୍କ ଦେଇ ବାଘାରୁ ଥିବା ତରକାରୀ ର ସେ ଅମୃତମୟ ବାସ୍ନା ସତରେ ଅଭୁଲା।
ସକାଳୁ ଗାଧେଇ ସାରି କୂଅରୁ ବାଲଟି ରେ ପାଣି ଆଣି ରୋଷେଇରେ ଲାଗିଯାଏ ବୋଉ।ମାଟି ହାଣ୍ଡିରେ ଭାତ ରାନ୍ଧି ପଖାଳି ଦିଏ ଓ କେବେକେବେ ସେଇ ମାଟିହାଣ୍ଡିରେ ସାଇତି ଥିବା ତୋରାଣି/ ପେଜରେ କାଞ୍ଜି କରେ।ଦୁନିଆର ସବୁ ସୁସ୍ୱାଦୁ ଜିନିଷ ବୋଉର ମାଟିହାଣ୍ଡି ପଖାଳ,କାଞ୍ଜିର ପାସଙ୍ଗରେ ପଡିବ ନାହିଁ।ନିଜ ଖନ୍ଦାଶାଳରେ ବୋଉ ଆଇଁଷ ପଶାଏନା ବୋଲି ଅଗଣା ଚୁଲିରେ ବୋଉ ମାଛ,ମାଂସ ରାନ୍ଧେ।
ଆଉ ଯେଉଁ ରବିବାର ସେଇ ଅଗଣାରେ ମାଟିହାଣ୍ଡି ରେ ମଟନ କରେ….ଆଃ,ଖଣ୍ଡ ମଣ୍ଡଳ ବାସେ।ମଜା ହୋଇ ସୁନା ଭଳି ଚିକଚିକ କରୁଥିବା କଂସା ଥାଳିଆ ଓ ପିତ୍ତଳ ତାଟିଆରେ ଉଷୁନା ଭାତ ଓ ଖାସି ମାଂସ ତରକାରୀ ବାଢିଦିଏ।ଆଉ ମୋର ଗୋଟିଏ ଜିଦିଥାଏ।ବୋଉ ମୋତେ ଖୁଆଇ ଦେବ।
-ମଟନ ବହୁତ ବଢିଆ ହୋଇଥିଲା ନା ?ଏକଦମ ଫାଷ୍ଟକ୍ଳାସ।ସତରେ ମାଟିହାଣ୍ଡି ମଟନ ର ଟେଷ୍ଟ ହିଁ ଅଲଗା।”
ବିଶ୍ଵଜିତ କଥା ଶୁଣି ଭାବନା ରାଜ୍ୟରୁ ଫେରିଆସିଲି।ହଠାତ ମୋ ପାଟିରୁ ବାହାରିପଡିଲା,
-ହେଲେ ମୋ ବୋଉ ହାତ ରନ୍ଧା ମାଟିହାଣ୍ଡି ମଟନ ତଳେ।ବାହାଘର ପରେ ଗୋଟେ ପ୍ରଦର୍ଶନୀ ରୁ ମାଟିହାଣ୍ଡି ଓ ମାଟି ପଲମ କିଣିଥିଲି।ହେଲେ ତୋ ଭାଉଜ ଦିନେ ବି ସେଥିରେ ରୋଷେଇ କଲାନି।କହିଲା ଏଥିରେ ଖଡିକା ପୁରାଇଲେ ବା ଗ୍ୟାସରେ ବସାଇଲା ବେଳେ ଯଦି ଫାଟିଯାଏ ?ଏଇନା ଧିମା ଆଞ୍ଚରେ ଘଣ୍ଟାଏ କିଏ ଠିଆ ହେବ ଗ୍ୟାସ ପାଖରେ ? ପ୍ରେସର କୁକର ଓ ନନ ଷ୍ଟିକ ଜିନିଷ ଭଲ।ହେଲେ ସତ କହିଲୁ,ପ୍ରେସର କୁକରରେ କଣ ମାଟିହାଣ୍ଡି ଭଳି ସୁଆଦ ଆସେ ?”
ଗାଡି ଷ୍ଟାର୍ଟ କରୁକରୁ ବିଶ୍ଵଜିତ କହିଲା,
– ସମୟ ସହିତ ଯୁଗ ବଦଳୁଛି।ଆଉ କିଛିଦିନ ପରେ ମାଟିହାଣ୍ଡି ହୁଏତ ଆମ ଆଗାମୀ ପିଢ଼ି ମିଉଜିଅମରେ ଦେଖିବେ।ତେବେ ମୁଁ ବି ଜାଣିନି କାହିଁକି ମାଟିହାଣ୍ଡି ଓ ଚୁଲିରେ ରନ୍ଧା ହୋଇଥିବା ଜିନିଷ ର ଟେଷ୍ଟ ଅଲଗା ଆସେ ।’
– ଠିକ କହିଛୁ।ଗାଁରେ ମୋ ବୋଉ ରାନ୍ଧୁଥିବା ମାଟିହାଣ୍ଡି ରେ ମ୍ୟାଜିକ ଥିଲା।”
ସାମ୍ନା ରାସ୍ତାକୁ ଅନାଇଲା ବେଳେ ମୋର ମନେପଡୁଥିଲା ଏକ ଆଧ୍ୟାତ୍ମିକ ସଭାରେ ପ୍ରବଚନ ଦେଉଥିବା ଜଣେ ସନ୍ଥଙ୍କ କିଛି କଥା,ଯାହା ପରେ ମୁଁ କିଛି ବହିରେ ବି ପଢ଼ିଥିଲି।
– ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ପଞ୍ଚ ମହାଭୂତରୁ। ସେଇ ପଞ୍ଚ ମହାଭୂତହେଲା,
ବାୟୁ,ଅଗ୍ନି,ଜଳ,ପୃଥିବୀ ଓ ଅନ୍ତରୀକ୍ଷ।ଆମର ଏ ପୃଥିବୀ ବି ପଞ୍ଚ ତତ୍ୱରେଗଢ଼ା;
ହାଡ଼,ମାଂସ,ଚର୍ମ,ନାଡି, ଲୋମ।ପ୍ରତ୍ୟେକ ଜୀଵ,ମଣିଷର ମୃତ୍ୟୁ ପରେ ଏସବୁ ମାଟିରେ ମିଶିଯାଏ।”
ହେ ଭଗବାନ! ମାଟିହାଣ୍ଡି ଏଇଥିରୁ ତିଆରି ହୁଏ !
ବୋଉ ର ସିକ୍ରେଟ ବି ଏଥିରେ ଥିଲା।ମାଟିହାଣ୍ଡି ଅର୍ଥାତ ମାଟିରୁ ତିଆରି ହାଣ୍ଡି ମାନେ ପୃଥିବୀ ! ;ଚୁଲି ନିଆଁ ଅର୍ଥାତ ଅଗ୍ନି ଓ କୂଅ ପାଣି ମାନେ ଜଳ ଏବଂ ନିଆଁକୁ ତେଜ ଦେଉଥିବା ପବନ ଅର୍ଥାତ ବାୟୁ।
ନିଆଁ,ପାଣି,ପବନ ଓ ମାଟି ହେଉଛି ଅସଲ ଉପାଦାନ।ସବୁ ବାସ୍ନା ପବନରେ ମିଶି ଅନ୍ତରୀକ୍ଷ କୁ ଯାଉଥିବ।
ଅନେକ ଥର ଗାଁରେ କିଏ ମରିଗଲେ,ଘରେ ଥିବା ମାଟିହାଣ୍ଡି ସବୁ ଭଙ୍ଗା ହୋଇ ବାରିପଟେ ଫୋପଡା ହୋଇ କୁମ୍ଭାର ଘରୁ ନୂଆ ହାଣ୍ଡି ଆସେ।
ବୋଉ କୁହେ,
– ସକଳ ଘଟେ ଆତ୍ମା ପରା।ଏଇ ପୁରୁଣା ହାଣ୍ଡି ଆମେ ସେଇ ମୃତ ଲୋକ ପାଇଁ ବିସର୍ଜନ କରୁ ।ଏ ହାଣ୍ଡି ମାଟିରେ ମିଶିଵ,ପୁଣି ନୂଆ ହାଣ୍ଡି ଗଢ଼ା ହେବ।ନୂଆ ଜୀବନ।ଦଶାହ କର୍ମବେଳେ ଦେଖିନୁ,ଗାଁ ମୁଣ୍ଡରେ ହାଣ୍ଡିରେ ଖାଇବା ଜିନିଷ ପୁରାଇ ମଲା ମଣିଷ ନାଁ ରେ ଥୋଇ ଦେଇ ଆସନ୍ତି।ସେଇଆକୁ ଖାଇ ପ୍ରେତାତ୍ମା ଶାନ୍ତି ହୁଏ।ମୁଁ ମରିଗଲେ ତୁ ବି….
ବୋଉ ପାଟିରେ ସେଦିନ ହାତ ରଖି କାନ୍ଦି କାନ୍ଦି କହିଥିଲି,
– ପାଟି ଚୁପ କର।ତୁ କେବେ ମରିବୁନି।”
ବିଶ୍ଵଜିତ ମୋତେ ପୁଣି ପଚାରିଲା,
– ଆଛା,ତୁ ତମ ଗାଁ ଘରୁ ମାଉସୀ ଙ୍କର ସେଇ ମ୍ୟାଜିକ ମାଟିହାଣ୍ଡି ନେଇ ଆସୁନୁ ?ସାଙ୍ଗରେ ତମ ମାଟିଚୁଲିକୁ ବି ତାଡିକି ନେଇଆସ।ଖାଇବା ଜିନିଷ ବାସ୍ନା ଓ ସୁଆଦ ବଢି ଯାଆନ୍ତା।”
ଅନ୍ୟମନସ୍କ ହୋଇ ମୋ ପାଟିରୁ ବାହାରି ପଡ଼ିଲା,
– ସେ ମାଟିହାଣ୍ଡି କଣ ଆଉ ଅଛି ?ମଶାଣିରେ ବୋଉକୁ ନିଆଁ ଦେଲାବେଳେ ଏଇ ଅଭାଗା ମାଟିହାଣ୍ଡି ତକ ବି ଫୋପାଡ଼ି ଦେଇ ଆସିଥିଲା।ବୋଉ ଓ ମାଟିହାଣ୍ଡି, ସବୁ ମାଟିରେ ମିଶିଯାଇଛନ୍ତିରେ….
ଯେତେ ପୋଛିଲେ ବି ମୋ ଦୁଇଆଖି ବାରମ୍ବାର କାହିଁକି ଭିଜିଯାଉଥିଲା କେଜାଣି….
(©ଅରବିନ୍ଦଦାସ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking