ବାରିପଦା: ଆହାର କେନ୍ଦ୍ରକୁ ନିମ୍ନମାନର ଖାଦ୍ୟ ଯୋଗାଉଥିଲେ । ହେଲେ ସେହି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବା ପରିବର୍ତ୍ତେ ରିନୁଆଲ୍ ପାଇଁ ଲାଞ୍ଚ ନେଉଥିଲେ ବାରିପଦା ମ୍ୟୁନିସିପାଲିଟିର ସିଟି ମିଶନ୍ ମ୍ୟାନେଜମେଣ୍ଟ ୟୁନିଟ୍ର ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ । ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ବାରିପଦା ଟାଉନ୍ରେ ଗୋଟିଏ ଆହର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା ପାଇଁ ରଘୁରାଜପୁର ସ୍ଥିତ ମାଆ ସନ୍ତୋଷୀ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମ୍ୟୁନିସିପାଲିଟି ତରଫରୁ କାର୍ଯ୍ୟାଦେଶ ପାଇଥିଲା । ପରବର୍ତ୍ତୀ ସମୟରେ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିଲେ ।
ହେଲେ ନିମ୍ନମାନର ଖାଦ୍ୟ ନେଇ ଅଭିଯୋଗ ହୋଇଥିଲା । ଏହା ପରେ ଉକ୍ତ ଏସ୍ଏଚ୍ଜିକୁ କଳା ତାଲିକାଭୁକ୍ତ କରିବାକୁ ମ୍ୟୁନିସିପାଲିଟି ସିଟି ମିଶନ୍ ମ୍ୟାନେଜମେଣ୍ଟ ୟୁନିଟ୍ର ମ୍ୟାନେଜର ଶ୍ରୀ ପାଣିଗ୍ରାହୀ ଧମକ ଦେଇଥିଲେ । ହେଲେ କଳା ତାଲିକାଭୁକ୍ତ କରିନଥିଲେ । ପରିବର୍ତ୍ତୀ ସମୟରେ ଉକ୍ତ ଏସ୍ଏଚ୍ଜିର ୱାର୍କ ଅର୍ଡର୍ ରିନୁଆଲ୍ ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ମ୍ୟାନେଜର ମନୋରଞ୍ଜନ କୁଆଡେ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରେ ଆଉ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଏସ୍ଏଚ୍ଜି ମହିଳାମାନେ ମ୍ୟୁନିସିପାଲିଟି ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ମ୍ୟାନେଜର ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ମ୍ୟୁନିସିପାଲିଟି ଅଫିସର ଭଞ୍ଜପୁର ଥାନାରେ ଏଫ୍ଆଇଆର୍ ଦେଇଥିଲେ । ଏହା ପରେ ପୁଲିସ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଫିସ୍ରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି ।