ବୌଦ୍ଧ: ସ୍ତ୍ରୀ ସମ୍ମୁଖରେ ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ଡାଙ୍ଗସାହି ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ମନମୁଣ୍ଡା ଥାନା ଲଏଡ଼ା ଗ୍ରାମର ଶ୍ରୀକାନ୍ତ ସେଠୀ (୩୨) ମଙ୍ଗଳବାର ନିଜ ମାଆ ଓ ଭଉଣୀଙ୍କ ସହ ଡାଙ୍ଗସାହିସ୍ଥିତ ଭିଣୋଇ ବାଜେଖାନ୍ (ମାନୁ) ଘରକୁ ଆସିଥିଲେ । ଭଉଣୀର ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେବାପାଇଁ ଭିଣୋଇଙ୍କୁ ଟଙ୍କା ମାଗିବାକୁ ନେଇ ବାଜେଖାନଙ୍କ ସହ ବଚସା ସହ ହାତାହାତି ହୋଇଥିଲା ।
ହଠାତ୍ ବାଜେଖାନ୍ ଏକ ଟାଙ୍ଗିଆରେ ଶଳା ଶ୍ରୀକାନ୍ତଙ୍କ ବେକରେ ଚୋଟ ମାରିଥିଲା । ଶ୍ରୀକାନ୍ତ ତଳେ ପଡ଼ିଯିବାରୁ ପୁଣି ଥରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ହତ୍ୟାକାଣ୍ଡ ପରେ ବାଜେଖାନ ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଶ୍ରୀକାନ୍ତଙ୍କ ପରିବାର ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖୁବ୍ଶୀଘ୍ର ହତ୍ୟାକାରୀ ବାଜେଖାନକୁ ଗିରଫ କରାଯିବ ବୋଲି ମନମୁଣ୍ଡା ଥାନାଧିକାରୀ ଅଶ୍ୱିନୀ ଭିତିରିଆ ସୂଚନା ଦେଇଛନ୍ତି ।