ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପୁରୁଣା ସଂସଦ ଭବନରେ ପ୍ରଥମ ଦିନର କାର୍ଯ୍ୟ ସମାପନ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ନବନିର୍ମିତ ସଂସଦ ଭବନରେ ଏହି ଅଧିବେଶନର ଅବଶିଷ୍ଟ କାର୍ଯ୍ୟକାଳ ଚାଲିବ ବୋଲି କୁହାଯାଇଛି । ଲୋକସଭାରେ ନିଜର ବକ୍ତବ୍ୟ ରଖିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ୭୬ ବର୍ଷର ଗାଥା ବଖାଣିଛନ୍ତି । ମୋଦୀଙ୍କ ୯ ବର୍ଷର ଶାସନକାଳରେ ପୁରୁଣା ସଂସଦରେ ନିଆଯାଇଥିବା କେତେକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ମୋଦୀ ସ୍ମୃତିଚାରଣ କରିଛନ୍ତି । ଏଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର, ଜିଏସ୍ଟି ଲାଗୁ ଏବଂ ସେନାବାହିନୀରେ ‘ୱାନ୍ ର୍ୟାଙ୍କ୍-ୱାନ୍ ପେନ୍ସନ’ ଅନ୍ୟତମ । ଏହାବ୍ୟତୀତ ୨୦୦୧ରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଛନ୍ତି ।
ସଂସଦ ଭବନରେ ଆକ୍ରମଣକୁ ମୋଦୀ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି । ସେତେବେଳେ ଆତଙ୍କବାଦୀଙ୍କୁ ନିପାତ ଅଭିଯାନରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କ ପ୍ରତି ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କିଛି ଖଟାମିଠା ସ୍ମୃତିକୁ ପାଥେୟ କରି ଆମେ ନୂତନ ସଂସଦ ଭବନରେ ପ୍ରବେଶ କରିବାକୁ ଯାଉଛୁ ବୋଲି ମୋଦୀ କହିଛନ୍ତି । ଦଳମତ ନିର୍ବିଶେଷରେ ମତପାର୍ଥକ୍ୟ ଦେଖାଦେବା ସ୍ୱାଭାବିକ, ଏହାସତ୍ତ୍ୱେ ସବୁ ସାଂସଦଙ୍କ ମଧ୍ୟରେ ପାରିବାରିକ ଭାବନା ଜାଗ୍ରତ ରହୁଥିବା ଶୁଭ ସଙ୍କେତ ବୋଲି ମୋଦୀ କହିଛନ୍ତି । ମୋଦୀଙ୍କ ଏହି ଉକ୍ତିକୁ ଉପସ୍ଥିତ ଏନ୍ଡିଏ ସାଂସଦମାନେ କରତାଳି ଦେଇ ସମର୍ଥନ ଜଣାଇଥିଲେ । ସଂସଦ ଭବନକୁ ପ୍ରଥମ ଥର ପ୍ରବେଶ କରିବାର ମୁହୂର୍ତ୍ତକୁ ମନେ ପକାଇଛନ୍ତି ମୋଦୀ ।
ମୋଦୀ କହିଛନ୍ତି ୨୦୧୪ରେ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇ ଯେଉଁଦିନ ପ୍ରଥମେ ସଂସଦକୁ ଆସିଲେ, ସେ ପ୍ରବେଶପଥରେ ମୁଣ୍ଡିଆ ମାରିଥିଲେ ବୋଲି କହିଛନ୍ତି । ଏହା ତାଙ୍କ ପାଇଁ ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତ ଥିଲା । ରେଲୱେ ପ୍ଲାଟଫର୍ମରେ କାଳାତିପାତ କରୁଥିବା ଗରିବ ଘରର ଜଣେ ବାଳକ ଦିନେ ଭାରତର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବ, ତାହା ସେ ସ୍ୱପ୍ନରେ ଭାବିନଥିବା ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ ଆହୁରି କହିଛନ୍ତି ଯେ ସ୍ୱାଧିନତା ପୂର୍ବରୁ ପୁରୁଣା ସଂସଦ ଭବନ ‘ଇମ୍ପିରିଆଲ ଲେଜିସ୍ଲେଟିଭ୍ କାଉନ୍ସିଲ’ଭାବେ ପରିଚିତ ଥିଲା । ୧୯୪୭ ଅଗଷ୍ଟ ୧୫ ପରେ ଏହା ସଂସଦ ଭବନର ପରିଚୟ ଲାଭ କରିଥିଲା । ଏହି ଭବନ ନିର୍ମାଣ ନିଷ୍ପତ୍ତି ଯଦିଓ ବ୍ରିଟିଶ ଶାସକଙ୍କର ଥିଲା, ତଥାପି ଏହାକୁ ନିର୍ମାଣ କରିବା ପଛରେ ଭାରତୀୟ ଶ୍ରମିକଙ୍କ ଝାଳବୁହା ପରିଶ୍ରମ ଏବଂ ଦେଶର ଅର୍ଥ ବିନିଯୋଗ ହୋଇଛି ବୋଲି ମୋଦୀ କହିଛନ୍ତି । ଭାଷଣରେ ମୋଦୀ ଚନ୍ଦ୍ରଯାନ-୩ ଓ ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ।
ଏହି ଅବସରରେ ସେ ବୟୋଜ୍ୟେଷ୍ଠ ଏବଂ ସର୍ବକନିଷ୍ଠ ସାଂସଦଙ୍କ କଥା ଉଲ୍ଲେଖ କରିଛନ୍ତି ।
ସମାଜବାଦୀ ପାର୍ଟିର ୯୩ ବର୍ଷୀୟ ସଫିକୁର ରେହମାନ ବର୍କ ବୟୋଜ୍ୟେଷ୍ଠ ସାଂସଦଭାବେ କାର୍ଯ୍ୟ କରୁଥିବାବେଳେ ବିଜେଡିର ଚନ୍ଦ୍ରାଣି ମୁର୍ମୁ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ଚନ୍ଦ୍ରାଣି ମାତ୍ର ୨୫ ବର୍ଷ ବୟସରେ ସାଂସଦ ହେବାର ସୁଯୋଗ ହାସଲ କରିପାରିଛନ୍ତି । ସଫିକୁର ୧୯୯୬ରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇସାରିଲେଣି । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ସମ୍ଭଲରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ଅପରପକ୍ଷରେ ଚନ୍ଦ୍ରାଣି ଓଡ଼ିଶାର କେଉଁଝର ଆସନରୁ ୨୦୧୯ରେ ବିଜେଡି ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରାଣିଙ୍କୁ ବର୍ତ୍ତମାନ ୩୦ ବର୍ଷ ବୟସ ହୋଇଥିବାବେଳେ ସେ ଏବେ ବି ସର୍ବକନିଷ୍ଠ ସାଂସଦର ମାନ୍ୟତାଲାଭ କରୁଛନ୍ତି । ଏମାନଙ୍କ ବ୍ୟତୀତ ମୋଦୀ ସର୍ବାଧିକ ସମୟ ସାଂସଦ ରହିଥିବା ଇନ୍ଦ୍ରଜିତ ଗୁପ୍ତାଙ୍କ ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରିଛନ୍ତି । ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ସମୟକୁ ବାଦଦେଲେ ସିପିଆଇର ଇନ୍ଦ୍ରଜିତ ୧୯୬୦ରୁ ୨୦୦୧ ପର୍ଯ୍ୟନ୍ତ (ଦୀର୍ଘ ୩୬ ବର୍ଷ) ଲୋକସଭା ସାଂସଦଭାବେ କାର୍ଯ୍ୟ କରିଥିବା ପ୍ରକାଶ ।