20.1 C
Bhubaneswar
Thursday, January 16, 2025
Homeଓଡିଶାଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି : ଚତୁର୍ଦ୍ଦିଗରେ ଲାଗିବ ୧୩୫ ସିସିଟିଭି

ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି : ଚତୁର୍ଦ୍ଦିଗରେ ଲାଗିବ ୧୩୫ ସିସିଟିଭି

ପୁରୀ : ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍‌ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ରଖୁଛି ପୁଲିସ । ରୋଷଘର ଚୁଲିଭାଙ୍ଗି ଦୁର୍ବୃତ୍ତ ଜେଲ୍‌ଯିବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ପୁରୁଣା ସିସିଟିଭିଗୁଡ଼ିକ ସଚଳ କରାଯିବା ସହ ନୂଆ ୧୩୫ ସିସିଟିଭି ଲଗାଯିବ । ତେବେ ଲାଗିବାକୁ ଥିବା ଏହି ନୂଆ ସିସିଟିଭିଗୁଡ଼ିକରେ ଦୁଇମାସର ତଥ୍ୟ ସଂରକ୍ଷଣ କ୍ଷମତା ରଖାଯିବ । ଏଣିକି ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁଲିସ ସହ ଓଡ଼ିଶା ପୁଲିସର ସୁରକ୍ଷା କର୍ମୀମାନେ ମୁତୟନ ରହିବେ ଏବଂ ଶ୍ରୀମନ୍ଦିରକୁ ଶୋଧ କରିବେ । ଶ୍ରୀମନ୍ଦିରରେ ଜେଟିପି ଓ କର୍ମଚାରୀଙ୍କ ଖାଲିପଡ଼ିଥିବା ସ୍ଥାନ ପୂରଣପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଶ୍ରୀମନ୍ଦିର ଭିତରେ ଟେମ୍ପୁଲ ପୁଲିସ ଯେତିକି ଜଣ ମୁତୟନ ହେବେ ସେତିକି ଜଣ ଓଡ଼ିଶା ପୁଲିସର ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରତି ମାସରେ ହେଉଥିବା ବୈଠକକୁ ଏବେ ପ୍ରତି ସପ୍ତାହରେ କରାଯାଇ ସମସ୍ତ ବ୍ୟବସ୍ଥର ତର୍ଜମା କରାଯିବ । ଅନ୍ୟପଟେ ରୋଷ ଘରେ ଚୁଲିଭଙ୍ଗା ଘଟଣାରେ ଦାୟିତ୍ୱରେ ଥିବା ଚାରିଜଣ ଜେଟିପି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି । ଏହାକୁ ତର୍ଜମା କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ହେଲେ ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସମ୍ପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି । ହେଲେ ଏବେ ସୁଦ୍ଧା ଯେତିକି ସିସିକ୍ୟାମେରା ଲାଗିଛି ସେଥିରୁ ମାତ୍ର ୧୧ଟି କାମ କରୁଛି । ସେସବୁର ପୁଣି ମନିଟରିଂ ହେଉନାହିଁ । ସେହିପରି ଠିକଣା ଢଙ୍ଗରେ ଶ୍ରୀମନ୍ଦିର ଭିତର ଶୋଧ କରାଯାଉନି । ଯାହାର ଫଳ ହେଉଛି ଚୁଲିଭଙ୍ଗା କାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking