ଅହମ୍ମଦାବାଦ: ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦ୍ୱିତୀୟ ଅନ୍ଅଫିସିଆଲ୍ ଟେଷ୍ଟ୍କୁ ଶନିବାର ଭାରତ-ଏ’ ଏକ ଇନିଂସ୍ ଏବଂ ୧୬ ରନ୍ରେ ଜିତି ନେଇଛି । ଏହି ବିଜୟ ଫଳରେ ଭାରତ-ଏ’ ତିନି ମ୍ୟାଚ୍ ବିଶିଷ୍ଟ୍ ସିରିଜ୍ରେ ୧-୦ର ଅଗ୍ରଣୀ ଲାଭ କରିଛନ୍ତି । ପୂର୍ବରୁ ପ୍ରଥମ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା । ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଫେବୃଆରୀ ୧ରେ ଅହମ୍ମଦାବାରେ ଖେଳାଯିବ । ଶନିବାର ମ୍ୟାଚ୍ର ତୃତୀୟ ଦିନ ଇଂଲଣ୍ଡ ଲାୟନ୍ସ ୩୦୪/୮ରୁ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ମାତ୍ର ୧୭ ରନ୍ର ଶେଷ ଦୁଇଟି ୱିକେଟ୍ ହରାଇଥିଲା ।
ଭାରତ-ଏ’ ସର୍ଫରାଜ୍ ଖାନ୍ଙ୍କ ୧୬୧ ଓ ଦେବଦତ୍ତ ପାଡ଼ିକ୍କଲ୍ଙ୍କ ୧୦୫ ରନ୍ ବଳରେ ପ୍ରଥମ ଇନିଂସ୍ରେ ୪୮୯ କରିଥିଲା । ଜବାବରେ ଇଂଲଣ୍ଡ ଲାୟନ୍ସ ୧୫୨ ରନ୍ରେ ଅଲ୍ଆଉଟ୍ ହେବାରୁ ଭାରତକୁ ପ୍ରଥମ ଇନିଂସ୍ରେ ୩୩୭ ରନ୍ର ଅଗ୍ରଣୀ ମିଳିଥିଲା । ୧୬୧ ରନ୍ର ଶତକୀୟ ଇନିଂସ୍ ଖେଳିଥିବା ସର୍ଫରାଜ ଖାନ୍ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କରାଯାଇଛି । ଭ୍ରମଣକାରୀ ଟିମ୍କୁ ଇନିଂସ୍ ପରାଜୟରୁ ବର୍ତ୍ତିବା ନିମନ୍ତେ ଅନ୍ତିମ ଦିନ ୩୭ ରନ୍ କରିବାକୁ ଥିଲା ଏବଂ ହାତରେ ଦୁଇଟି ୱିକେଟ୍ ଥିଲା । ମାତ୍ର ରବିନ୍ସନ୍ଙ୍କ ୱିକେଟ୍ ପତନ ପରେ ଶେଷ ବ୍ୟାଟର୍ ୩୭ ରନ୍ କରିବାକୁ ସମର୍ଥ ହୋଇନଥିଲେ ।
ବ୍ୟକ୍ତିଗତ ୮୪ ରନ୍ରେ ଖେଳ ଆରମ୍ଭ କରିଥିବା ଓଲି ରବିନ୍ସନ୍ ଆଉ ମାତ୍ର ଏକ ରନ୍ ଯୋଗ କରିବା ପରେ ଅର୍ଶଦୀପ୍ ସିଂହ ତାଙ୍କୁ ପ୍ୟଭିଲିଅନ୍ ଫେରାଇଥିଲେ । ସେହିପରି ୧୮ ରନ୍ରେ ଅପରାଜିତ ଥିବା ଟମ୍ ଲୁଇସ୍ ଆଉ ମାତ୍ର ୧୪ ରନ୍ ଯୋଗ କରିବା ପରେ ୟଶ୍ ଦୟାଲ୍ଙ୍କ ଶିକାର ହୋଇଥିଲେ । ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୌରଭ କୁମାର କ୍ୟାରିୟର୍ର ୨୨ତମ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଥିଲେ । ଆକାଶ ଦୀପ ସିଂହ ମୋଟ ୬ଟି ୱିକେଟ୍ ପାଇଥିଲେ ।