ଗଲ୍ : ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଏଠାରେ ସୋମବାର ଆରମ୍ଭ ହୋଇଥିବା ବେଳେ ଭ୍ରମଣକାରୀ ଆୟର୍ଲାଣ୍ଡ୍ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ବିନିମୟରେ ୩୧୯ ରନ୍ କରିଛି । ପ୍ରଥମ ଟେଷ୍ଟ୍ରେ ଇନିଂସ ପରାଜୟର ସମ୍ମୁଖୀନ ହୋଇଥିବା ଆୟର୍ଲାଣ୍ଡ୍କୁ ଏହି ସ୍ଥାନରେ ପହଞ୍ଚାଇବାରେ ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ଙ୍କ ଅର୍ଦ୍ଧଶତକ ମୁଖ୍ୟ ଭୂମିକା ନିର୍ବାହ କରିଛି । ଅଧିନାୟକ ଆଣ୍ଡ୍ର୍ୟୁ ବାଲ୍ବର୍ନି ସର୍ବାଧିକ ୯୫ ରନ୍ କରିଥିବା ବେଳେ ପଲ୍ ଷ୍ଟର୍ଲିଂ ୭୪ ରନ୍ କରି ରିଟାୟାର୍ଡ ହର୍ଟ ହୋଇଛନ୍ତି ।
ସେହିପରି ପ୍ରଥମ ଟେଷ୍ଟ୍ର ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଲୋର୍କାନ୍ ଟକର୍ ୭୮ ରନ୍ର ଇନିଂସ ସହ ଅପରାଜିତ ଅଛନ୍ତି । ଦିନର ଖେଳ ଶେଷ ବେଳକୁ ତାଙ୍କ ସହ ଅପରାଜିତ ଥିବା କର୍ଟିସ୍ କ୍ୟାମ୍ଫର୍ ୨୭ ରନ୍ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍ରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ସ୍ପିନର୍ ପ୍ରବତ୍ ଜୟସୂରିୟା ଦୁଇଟି ୱିକେଟ୍ ଅକ୍ତିଆର କରିଛନ୍ତି । ଓପନର ପିଟର୍ ମୂର୍ ୫ ଓ ତାଙ୍କ ଯୋଡ଼ିଦାର ଜେମ୍ସ ମ୍ୟାକ୍କୋଲମ୍ ୧୦ ରନ୍ କରି ଆଉଟ୍ ହେବା ବେଳକୁ ଆୟର୍ଲାଣ୍ଡ୍ ସ୍କୋର୍ ୪୩ ଥିଲା । ତେବେ ବାଲବର୍ନି ଓ ହ୍ୟାରୀ ଟେକ୍ଟରଙ୍କ ମଧ୍ୟରେ ତୃତୀୟ ୱିକେଟ୍ରେ ୪୬ ରନ୍ର ଭାଗୀଦାରୀ ହେବା ଫଳରେ ଆୟର୍ଲାଣ୍ଡ୍ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲା । ୩ଟି ଚୌକା ସହ ଟେକ୍ଟର ବିଦାୟ ନେବା ପରେ ବାଲବର୍ନି ସାଥୀ ବ୍ୟାଟ୍ସମ୍ୟାନ୍ ଷ୍ଟର୍ଲିଂଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ସେମାନଙ୍କ ମଧ୍ୟରେ ୧୪୩ ରନ୍ର ଭାଗୀଦାରୀ ହେବା ଫଳରେ ଆୟର୍ଲାଣ୍ଡ୍ ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ଅଦ୍ୟାବଧି ୬ଟି ଟେଷ୍ଟ୍ ଖେଳିଥିବା ଆୟର୍ଲାଣ୍ଡ୍ ପାଇଁ ଏହା ସର୍ବାଧିକ ଭାଗୀଦାରୀ ଥିଲା ।
ଏହା ପୂର୍ବରୁ ୨୦୧୮ରେ ଦଳର ପ୍ରଥମ ଟେଷ୍ଟ୍ରେ ୧୧୪ ରନ୍ର ଭାଗୀଦାରୀ ସର୍ବାଧିକ ରହିଥିଲା । ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବାଲବର୍ନି ୧୪ଟି ଚୌକା ସହ ୯୫ ରନ୍ରେ ଆଉଟ୍ ହୋଇଥିଲେ । ଏହାପରେ ପ୍ରଥମ ଟେଷ୍ଟ୍ ଖେଳିପାରି ନ ଥିବା ଷ୍ଟର୍ଲିଂ ୬୪ ବଲ୍ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୧୩୩ ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୭୪ ରନ୍ କରିଥିବା ସମୟରେ ମାଂସପେଶୀ ଟାଣି ହୋଇଯିବା କାରଣରୁ ଷ୍ଟର୍ଲିଂ ପ୍ୟାଭିଲିଅନ୍ ଫେରିଥିଲେ । କିନ୍ତୁ ଲୋର୍କାନ୍ ଓ କ୍ୟାମ୍ଫର୍ ଦିନରେ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ । ଏଥିସହ ଆୟର୍ଲାଣ୍ଡ୍ ପାଖରେ ଟେଷ୍ଟ୍ କ୍ରିକେଟ୍ରେ ନିଜର ସର୍ବାଧିକ ଦଳଗତ ସ୍କୋର୍ କରିବାର ସୁଯୋଗ ଉପନୀତ ହୋଇଛି । ଦଳ ତା’ର ପ୍ରଥମ ଟେଷ୍ଟ୍ରେ ୩୩୯ ରନ୍ କରିଥିଲା, ଯାହାକି ଅଦ୍ୟାବଧି ସର୍ବାଧିକ ରହିଛି ।