ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଦେଢ଼ବର୍ଷ ପେରେ କରୋନା ସଂକ୍ରମଣ କମିବା ପରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି ଗତ ୨୬ତାରିଖରୁ । ସ୍କୁଲ ଖୋଲିବା ପୂର୍ବରୁ ପିଲାଙ୍କ ସୁରକ୍ଷା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ କଟକଣା ଲାଗୁ କରାଯାଇଛି । ତେବେ କେବଳ ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ ଖୋଲିଥିବା ବେଳେ ଆଗକୁ ଅନ୍ୟ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ରାଜ୍ୟରେ ସରକାରୀ ସ୍କୁଲ ସମେତ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲରେ ପ୍ରଥମ ଦିନ କିଛି ମାତ୍ରାରେ ପିଲାଙ୍କ ଆଗମନ ହୋଇଥିବା ବେଳେ ଏବେ ସ୍କୁଲରେ ପିଲାଙ୍କ ଦେଖା ନାହିଁ । ତେବେ ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସୁଥିଲେ ସେମାନଙ୍କ ଲାଗି ଅଭିଭାବକଙ୍କ ଅନୁମତିପତ୍ର ବାଧ୍ୟତାମୂଳକ ଥିବାବେଳେ ଶ୍ରେଣୀରେ ମଧ୍ୟ ପିଲାଙ୍କ ସଂଖ୍ୟା ଅନୁଯାୟୀ ୨୦ରୁ ୨୫ ପିଲା ବସିବା ଭଳି ବ୍ୟବସ୍ଥା କରାଯାଇଥିଲା ।
ହେଲେ ଏବେ ପିଲାମାନେ ଆଉ ପୂର୍ବ ପରି ସ୍କୁଲ ଯିବାକୁ ପସନ୍ଦ କରୁନାହାନ୍ତି । ଅନେକ ସ୍କୁଲରେ ଦଶମ ଶ୍ରେଣୀର ମାତ୍ର ୮/୯ଟି ପିଲା ସ୍କୁଲ ଯାଉଥିବା ବେଳେ ଅନ୍ୟ ପିଲାମାନେ ଘରେ ପାଠପଢ଼ୁଛନ୍ତି । ତେବେ ଶ୍ରେଣୀ ଶିକ୍ଷା ବ୍ୟବତୀତ ସ୍କୁଲ କର୍ତ୍ତୃପକ୍ଷ ଅନଉଲାଇନ୍ ବ୍ୟବସ୍ଥା କରୁଥିବାରୁ ପିଲାମାନେ ଘରେ ରହି ପଢ଼ିବାକୁ ପସନ୍ଦ କରୁଛନ୍ତି । ଏପରିକି ଆଗକୁ କରୋନାର ତୃତୀୟ ଲହର ଆସୁଥିବା ଭୟ ଅଭିଭାବକଙ୍କୁ ଘାରି ଥିବାରୁ ସେମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଛନ୍ତି ।
ସେହିପରି ଅନେକ ସ୍କୁଲରେ ଶତପ୍ରତିଶତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ୨ଡୋଜ ଟିକା ନେଇନଥିବାରୁ ପିଲାମାନେ ସ୍କୁଲ ଯିବାକୁ ଅଭିଭାବକ ମନରେ ଆଶଙ୍କା ରଖୁଛନ୍ତି । ଅନେକ ପିଲାଙ୍କ ଅଭିଭାବକ ତଥା ପରିବାରର କିଛି ସଦସ୍ୟ କରୋନା ଆକ୍ରାାନ୍ତ ହୋଇଥିବାରୁ ଶ୍ରେଣୀରେ ମଧ୍ୟ ପିଲାଙ୍କୁ ପଢ଼ାଇବାକୁ ଶିକ୍ଷକମାନେ ଭୟ କରୁଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର ପ୍ରାୟ ୬୦% ସ୍କୁଲରେ ଦଶମ ଶ୍ରେଣୀରେ ଯେତିକି ପିଲା ରହିଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୫ରୁ ୧୦% ପିଲା ଦୈନିକ ସ୍କୁଲ ଆସୁଥିବା ବେଳେ ୪୦% ପିଲା ଦିନେ ଛାଡି ଦିନେ ସ୍କୁଲ ଯାଉଛନ୍ତି । ଏପରିକି ପରୀକ୍ଷା ଲାଗି ଉପସ୍ଥାନ ଆବଶ୍ୟକ ନଥିବାରୁ ସ୍କୁଲ ଯିବା ବାଧ୍ୟତାମୂଳକ ନୁହେଁ ।
ଏହି ମାନସିକତା ଯୋଗୁଁ ଅନେକ ପିଲା ସ୍କୁଲ ଯାଉନଥିବା କିଛି ସ୍କୁଲର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । କିଛି ଶିକ୍ଷକଙ୍କ କହିବା ଅନୁଯାୟୀ, ସ୍କୁଲ ଆସୁନଥିବା ପିଲାମାନେ ଯେପରି କୋର୍ସ ସାରିବେ ସେଥିଲାଗି ସ୍କୁଲ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରେଣୀ ଶିକ୍ଷାଦାନ ବ୍ୟତୀତ ଅନଲାଇନ୍ ପାଠପଢ଼ା ଚାଲିଛି । ଯେଉଁ ପିଲାମାନେ ସ୍କୁଲ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଅନ୍ଲାଇନ୍ରେ ପଢ଼ିବାକୁ ପରାମର୍ଶ ଦିଆଯାଉଛି । ତେବେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାରେ ପିଲାଙ୍କ ଦୈନିକ ଉପସ୍ଥାନ ୩୫% ତଳକୁ ରହୁଛି ।
ଏପରିକି ଅନେକ ପିଲା ସାପ୍ତାହିକ ୨/୩ଥର ଆସୁଥିବା ଜଣାପଡିଛି । ଶ୍ରେଣୀରେ ପିଲାଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ରହୁଥିବାରୁ ଶିକ୍ଷାଦାନରେ କିଛିମାତ୍ରାରେ ପ୍ରଭାବ ମଧ୍ୟ ପଡୁଛି । କିଛି ଅଭିଭାବକଙ୍କ କହିବା ଅନୁଯାୟୀ, ଦୀର୍ଘଦୀନ ସ୍କୁଲ ବନ୍ଦ ରହିଥିବାରୁ ପିଲାମାନେ ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ କରୋନା ସଂକ୍ରମଣକୁ ନଜର ଦେଇ ସ୍କୁଲ ଛାଡିବାକୁ ଭୟ ଲାଗୁଛି । ଅନେକ ପରିବାରରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଥିବାରୁ ସେମାନଙ୍କ ସୁରକ୍ଷା ଲାଗି ପିଲାଙ୍କୁ ସ୍କୁଲ ଛାଡୁନଥିବା ଅଭିଭାବକମାନେ କହିଛନ୍ତି । ତେବେ ସ୍କୁଲ ଖୋଲାଯାଇଥିବା ବେଳେ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛନ୍ତି । ସଂକ୍ରମଣ ହ୍ରାସ ପାଇଥିଲେ ହେଁ ସମ୍ପୂର୍ଣ୍ଣ ଯାଇନାହିଁ । ତେଣୁ ସ୍କୁଲକୁ ଆସୁଥିବା ପିଲାମାନଙ୍କ ମଧ୍ୟରୁ କେଉଁ ପରିବାର ସଂକ୍ରମଣର ଶିକାର ହୋଇଛନ୍ତି ତାହା ମଧ୍ୟ କାହାରିକୁ ଜଣାନାହଁ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ଦେଉନଥିବା ଅଭିଭାବକମାନେ କହିଛନ୍ତି ।
ସେହିପରି ବିନା ପରୀକ୍ଷାରେ ମାର୍କ ମିଳୁଥିବାରୁ ସ୍କୁଲ ନଯାଇ ଘରେ ପଢ଼ିବା ଉଚିତ୍ ବୋଲି ଅଭିଭାବକ ମାନେ ମତ ରଖିଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସ୍ଥିିତିରେ ସ୍କୁଲ ଆସିବାକୁ ପିଲାଙ୍କୁ ବାଧ୍ୟ କରାଯାଉ ନାହିଁ । ସ୍କୁଲ ଆସୁଥିବା ପିଲାମାନେ ଅଭିଭାବକଙ୍କ ପରାମର୍ଶରେ ଆସୁଛନ୍ତି । ତେବେ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିଲାଗି ଗୁରୁତ୍ୱ ଦିଆଯାଉଛି । ପରିସ୍ଥିତିରେ ସୁଧାର ଆସିଲେ ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲରେ ପ୍ଲେ ସ୍କୁଲ ବା ପ୍ରାକ୍ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଜଣାପଡ଼ିଛି ।