ନୂଆଦିଲ୍ଲୀ : ସାଉଦି ଆରବରେ ଚାକିରୀ କ୍ଷେତ୍ରରେ ଆଗାମୀ ବର୍ଷ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ସାଉଦି ଆରବର ମାନବ ସମ୍ଭଳ ଓ ସାମାଜିକ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ଆଗାମୀ ବର୍ଷ ୨୦୨୩ ରୁ କନସଲଟାନ୍ସି ପ୍ରଫେସନରେ ୩୫ ପ୍ରତିଶତ ଚାକିରୀ ସ୍ଥାନୀୟ ଲୋକଙ୍କୁ ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟରେ ଏହାକୁ ବଢାଇ ୪୦ ପ୍ରତିଶତ କରି ଦିଆଯିବ। ଖବର ଅନୁସାରେ, ୪୦ ପ୍ରତିଶତ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣ ଦୁଇଟି ପର୍ୟ୍ୟାୟରେ ଲାଗୁ ହେବ। ମାନବ ସମ୍ବଳ ବିକାଶ ଦ୍ବାରା ଜାରି ନିର୍ଦେଶ ଅନୁସାରେ, ଆଗାମୀ ବର୍ଷ ୬ ଏପ୍ରିଲ ୨୦୨୩ ରୁ କନସଲଟାନ୍ସି ପ୍ରଫେସନରେ ୩୫ ପ୍ରତିଶତ ଚାକରୀ ସ୍ଥାନୀ ଲୋକଙ୍କୁ ଦିଆଯିବ। ଏହାପରେ ୨୦୨୪ ପୂର୍ବ ତ୍ରୟମାସିକରେ ଏହାକୁ ବଢାଇ ୪୦ ପ୍ରତିଶତ କରିଦିଆଯିବ। ଉଲ୍ଲେଖନୀୟ ଯେ, ସାଉଦି ଆରବରେ ବିଦେଶୀ ଶ୍ରମିକଙ୍କ ଭିତରେ ଭାରତୀୟଙ୍କ ସଂଖ୍ୟା ଖୁବ୍ ଅଧିକ। ହୋଟେଲ ଓ ମାଇନିଂ କ୍ଷେତ୍ରରେ ଚାକିରୀ ପାଇଁ ଭାରତୀୟ ଯୁବପୀଢି ସାଉଦି ଆରବ ଯାଉଛନ୍ତି। ସ୍ଥାନୀୟ ସଂରକ୍ଷଣ ଲାଗୁ ହେବା ଦ୍ବାରା ସେଠାରୁ ଭାରତୀୟଙ୍କୁ ଚାକିରୀ ମିଳିବାର ସମ୍ଭାବନା କମ୍ ହୋଇଯିବ। ଭାରତରୁ ସାଉଦି ଆରମ କାମ କରିବାକୁ ଯାଉଥିବା ସଂଖ୍ୟା ପ୍ରତିବର୍ଷ ଲକ୍ଷାଧିକ ମାତ୍ରାରେ ରହିଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ସଂଖ୍ୟା ଅନୁସାରେ, କୋଭିଡ୍ ଲକଡାଉନ୍ରେ ସାଉଦି ଆରବରୁ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକ ଭାରତ ଆସିଥିଲେ। ସାଉଦି ଆରବରେ ବେରୋଜଗାର ହାର ୯ ପ୍ରତିଶତରୁ ଉପରେ ଚାଲୁଛି। ଏହି ନିଷ୍ପତ୍ତି ଦ୍ବାରା ସାଉଦି ଆରବର ନାଗରିକଙ୍କ ପାଇଁ ଚାକିରୀରୁ ଅଧିକ ସୁଯୋଗ ମିଳିବାର ସମ୍ଭାବନା ରହିଛି।