ମୁମ୍ବାଇ: ଭାରତର ଦୁଇ ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ଖୁବ୍ଶୀଘ୍ର ଦେଶର ଏକ ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିବ । ଅସଲରେ ଅଯୋଧ୍ୟାରେ ଆସନ୍ତା ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସଚିନ୍ ଓ ବିରାଟ ଅଯୋଧ୍ୟା ଯାଇପାରନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ସଚିନ୍ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପଠାଯାଇଛି । ଯଦି ଏପରି ହୁଏ, ତେବେ କ୍ରିକେଟ୍ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଏହି ଦୁଇ ଭାରତୀୟ ଖେଳାଳି ଏକା ସାଙ୍ଗରେ ପ୍ରଥମ ଥର କୌଣସି ଏକ ଧାର୍ମିକ କାର୍ଯ୍ୟରେ ଦେଖାଦେବେ ।
ସୂଚନାଯୋଗ୍ୟ, ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରର ଏହି ସବୁଠୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ୨୦୨୪ ଜାନୁଆରୀ ୨୨ ତାରିଖରେ ଆୟୋଜିତ ହେବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବେ ପ୍ରତିଷ୍ଠିତ କ୍ରିକେଟ୍ ଯୋଡ଼ିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରାୟ ୮୦୦୦ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଛି ।
ସଚିନ୍ ଓ ବିରାଟଙ୍କୁ ବହୁଥର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ବିରାଟ କୋହଲି ଗତ କିଛିମାସ ହେବ ନିଜ ଧର୍ମପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସାରାଦେଶର ବିଭିନ୍ନ ଧାର୍ମିକସ୍ଥଳରେ ପୂଜାପାଠ କରିଆସୁଛନ୍ତି । ବିରାଟଙ୍କ ପ୍ରଶଂସକଙ୍କ ଅନୁସାରେ ଯେବେଠାରୁ ସେ ଧାର୍ମିକସ୍ଥଳ ଯିବା ଆରମ୍ଭ କରିଛନ୍ତି, ସେବେଠାରୁ ତାଙ୍କ ଫର୍ମରେ ସୁଧାର ଦେଖିବାକୁ ମିଳିଛି ଏବଂ ସେ ଏବେ ନିଜ କ୍ୟାରିୟର୍ର ସର୍ବଶ୍ରେଷ୍ଠ କ୍ରିକେଟ୍ ଖେଳୁଛନ୍ତି ।