ନୂଆଦିଲ୍ଲୀ: ଶୁକ୍ରବାର ୟୁକ୍ରେନର ସାଧାରଣ ନାଗରିକଙ୍କ ଗାଡି ଉପରେ ରୁଷ୍ ବୋମାମାଡ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଦକ୍ଷିଣ ଜାପୋରିଜିଆ ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୨୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଏନେଇ ଜାପୋରିଜିଆର ଆଞ୍ଚଳିକ ଗଭର୍ଣ୍ଣର ଓଲେଖଜେଣ୍ଡର ଷ୍ଟାରୁଖ କହିଛନ୍ତି । ସମସ୍ତେ ସ୍ଥାନୀୟ ଲୋକ ଥିଲେ ବୋଲି ସେ କହିଛନ୍ତି । ତେବେ ରୁଷର ସଂସଦୀୟ ଅଧିକାରୀ ଭ୍ଲାଦିମିର ରୋଗୋଭ୍ ଏହି ଘଟଣାକୁ ଅସ୍ବିକାର କରିଛନ୍ତି । ଏହି ଆକ୍ରମଣ ପଛରେ ରୁଷର ସୈନ୍ୟ ନାହାନ୍ତି ବୋଲି ସେ କହିଛନ୍ତି । ଭ୍ଲାଦିମିର ରୋଗୋଭ ସୋସିଆଲ ମିଡିଆରେ ୟୁକ୍ରେନ ସୈନ୍ୟବାହିନୀକୁ ଦାୟୀ କରି ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଭ ସରକାର ଏହା ଦର୍ଶାଇବାକୁ ଚାହୁଁଛନ୍ତି ଯେ ଏହି ବୋମା ରୁଷ୍ ସେନା ବର୍ଷା କରିଛନ୍ତି । ଏହା ଘୃଣାକୁ ପ୍ରୋତ୍ସାହିତ କଲାଭଳି ଘଟଣା । ଜାପୋରିଜିଆର ଗଭର୍ଣ୍ଣର କହିଛନ୍ତି ଯେ ରୁଷୀୟ ସୈନ୍ୟମାନେ ଏହି ଅଞ୍ଚଳ ଛାଡିବାକୁ ଚେଷ୍ଟା କରୁଥିଲେ । ଏହି ସମୟ ମଧ୍ୟରେ ସାଧାରଣ ନାଗରିକଙ୍କ ଗାଡି ଉପରେ ଗୁଳିମାଡ କରିଥିଲେ ।