କିଭ୍ : ରୁଷ-ୟୁକ୍ରେନ ମଧ୍ୟରେ ଗତ ୩୬ ଦିନ ହେଲାଣି ଯୁଦ୍ଧ ଜାରି ରହିଛି । ରୁଷ ଲଗାତାର ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଧ୍ୱଂସର ତାଣ୍ଡବଲୀଳା ଚଳାଇଛି । କିଭ୍, ଖାରକିଭ୍, ଲଭୀଭ, ମାରିୟୁପୋଲ, ଓଡେସେ ସହ ଅନ୍ୟାନ୍ୟ ସହର ରୁଷ ଆକ୍ରମଣରେ ଛାରଖାର ହୋଇଯାଇଛି । ଏମିତି ସ୍ଥିତିରେ ସାରା ବିଶ୍ୱର ଦେଶ ରୁଷ୍କୁ କଡ଼ା ନିନ୍ଦା କରୁଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦାବି କରିଛନ୍ତି କି, ରୁଷ ବର୍ତ୍ତମାନ ଡୋନବାସରେ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି । ରୁଷ ଏବେ ନିଜ ଧ୍ୟାନ ରାଜଧାନୀ କିଭ୍ରୁ ହଟାଇ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ୍ ଉପରେ କେନ୍ଦ୍ରିତ କରୁଛି । ଖୁବ୍ ଜଲ୍ଦି ରୁଷ ଏହା ଉପରେ ଆକ୍ରମଣ କରିପାରେ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସହାୟତା ଦେବାକୁ କହିଛନ୍ତି । ହ୍ୱାଇଟ୍ ହାଉସ୍ କାର୍ଯ୍ୟାଳୟ ମୁତାବକ, ବାଇଡେନ ୟୁକ୍ରେନର ସହାୟତା ପାଇଁ ୫୦୦ ମିଲିୟନ ଡଲାରରୁ ଅଧିକ ଦେବାକୁ ଘୋଷଣା କରିଛନ୍ତି । କହି ରଖୁଛୁ, ମସ୍କୋର ମୁଖ୍ୟ ବୁଝାମଣାକାରୀ ତୁର୍କୀରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସଫଳ ବୋଲି କହିଛନ୍ତି ।