20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅଶୋଧିତ ତୈଳଦର ବୃଦ୍ଧି ପ୍ରଭାବ : ଭାରତୀୟ ତୈଳ କମ୍ପାନୀଙ୍କୁ ୧୯ ହଜାର କୋଟିର ଝଟ୍‌କା

ଅଶୋଧିତ ତୈଳଦର ବୃଦ୍ଧି ପ୍ରଭାବ : ଭାରତୀୟ ତୈଳ କମ୍ପାନୀଙ୍କୁ ୧୯ ହଜାର କୋଟିର ଝଟ୍‌କା

ନୂଆଦିଲ୍ଲୀ : ଦୀର୍ଘ ଅବଧି ଧରି ଦେଶରେ ତୈଳଦର ସ୍ଥିର ରଖିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କୁ ମହଙ୍ଗା ପଡ଼ିଛି । ରେଟିଂ ଏଜେନ୍ସି ମୁଡିଜ୍ ଅନୁସାରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ତୈଳଦର ବୃଦ୍ଧି ସତ୍ତ୍ୱେ ଦେଶରେ ତୈଳଦର ସ୍ଥିର ରହିବା ଯୋଗୁଁ ସରକାରୀ ତୈଳ କମ୍ପାନୀଗୁଡ଼ିକୁ ଜବରଦସ୍ତ ଝଟ୍‌କା ଲାଗିଛି । ଗତ ନଭେମ୍ବର ପରଠାରୁ ମାର୍ଚ୍ଚର ପ୍ରଥମ ତିନି ସପ୍ତାହ ସୁଦ୍ଧା ତୈଳ କମ୍ପାନୀମାନେ ପାଖାପାଖି ୧୯ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି । ଅଶୋଧିତ ତୈଳଦର ଉଚ୍ଚା ରହିବା ସହିତ ଦେଶରେ ଖୁୁଚୁରା ଦର ବୃଦ୍ଧ ନକରିବା ଯୋଗୁଁ ବିପିସିଏଲ୍‌, ଆଓସିଏଲ୍ ଓ ଏଚ୍‌ପିସିଏଲ୍ ମିଳିତ ଭାବେ ୨.୨୫ ଅରବ ଡଲାର୍ ଅର୍ଥାତ୍ ପାଖାପାଖି ୧୯ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ବୈଶ୍ୱିକ ରେଟିଂ ଏଜେନ୍ସି ମୁଡିଜ୍ ଆକଳନ କରିଛି ।

ଗତ ୪ ମାସ ଧରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦରରେ ଅସ୍ଥିରତା ଦେଖାଯାଇଛି । ଅଶୋଧିତ ତୈଳଦର ବୃଦ୍ଧିଘଟିଛି । ଗତ ନଭେମ୍ବରର ପ୍ରଥମ ସପ୍ତାହରେ ଅଶୋଧିତ ତୈଳଦରର ହାରାହାରି ମୂଲ୍ୟ ୮୨ ଡଲାର୍ ପ୍ରତି ବ୍ୟାରେଲ୍ ରହିଥିବା ବେଳେ ଚଳିତ ମାର୍ଚ୍ଚରେ ହାରାହାରି ମୂଲ୍ୟ ୧୧୧ ଡଲାର୍ ପ୍ରତି ବ୍ୟାରେଲ୍ ରହିଛି । ରୁଷ୍‌ର ୟୁକ୍ରେନ୍ ଆକ୍ରମଣର ପ୍ରଥମ ସପ୍ତାହରେ ଆମେରିକା ଦ୍ୱାରା ତୈଳ ଆମଦାନୀ ଉପରେ କଟକଣା ଲାଗୁ କରିବା ପରେ ଅଶୋଧିତ ତୈଳଦର ୧୪୦ ଡଲାର୍ ପ୍ରତି ବ୍ୟାରେଲ୍ ଅତିକ୍ରମ କରିଥିଲା । ଅପରପକ୍ଷରେ ଗତ ୧୩୭ ଦିନ ଧରି ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ଯୋଗୁଁ ସରକାର ତୈଳଦର ସ୍ଥିର ରଖିଥିଲେ । ସୂଚନାଯୋଗ୍ୟ ଯେ ଦେଶରେ ଗତ ୪ ନଭେମ୍ବର ୨୦୨୧ ପରଠାରୁ ୨୧, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅର୍ଥାତ୍ ୧୩୭ ଦିନ ଧରି ତୈଳ ଦର ସ୍ଥିର ରହିଥିଲା ।

ଚଳିତ ମାସରେ ହିଁ ସରକାର କ୍ରମାଗତ ଦୁଇଦିନ ଧରି ତୈଳଦରରେ ପାଖାପାଖି ୧.୬୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଗାମୀ ସମୟରେ ଅଧିକ ବୃଦ୍ଧି ହେବାର ଆଶଙ୍କାପ୍ରକଟ କରାଯାଉଛି । ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନର ଅଶୋଧିତ ତୈଳଦର ଅନୁସାରେ ଆନୁମାନିକ ଭାବେ ତୈଳ କମ୍ପାନୀଗୁଡ଼ିକ ବ୍ୟାରେଲ୍ ପ୍ରତି ୨୫ ଡଲାର୍ ଅର୍ଥାତ୍ ପାଖାପାଖି ୧,୯୦୦ ଟଙ୍କା କ୍ଷତି ସହୁଛନ୍ତି । ଯଦି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୧୧ ଡଲାର ରହେ; ତେବେ କମ୍ପାନୀ ତ୍ରୟ ମିଳିତ ଭାବେ ଦୈନିକ ୬୫ରୁ ୭୦ ମିଲିୟନ୍ କ୍ଷତି ସହିବେ ବୋଲି ଏଜେନ୍ସି କହିଛି । ଆଗାମୀ ସମୟରେ ଯଦି ଅଶୋଧିତ ତୈଳଦର ହ୍ରାସ ପାଏ; ତେବେ କମ୍ପାନୀଙ୍କର କ୍ଷତି ଭରଣା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking