31.1 C
Bhubaneswar
Friday, March 29, 2024
Homeଓଡିଶାସାରା ରାଜ୍ୟ ଜଳାର୍ଣ୍ଣବ: ବର୍ଷା ବଢିବା ସହ ଫୁଲୁଛି ନଦୀ

ସାରା ରାଜ୍ୟ ଜଳାର୍ଣ୍ଣବ: ବର୍ଷା ବଢିବା ସହ ଫୁଲୁଛି ନଦୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବର ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦିଘାର ଦକ୍ଷିଣ- ପୂର୍ବରେ ୧୦ କି.ମି. ଦୂରରେ ଏହି ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତର ରୂପ ନେଇ ରହିବ । ୬ ଘଣ୍ଟା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ମଧ୍ୟ ଥିବା ସୂଚନା ଦିଆଯାଇଛି । ଏସବୁ ଭିତରେ ହୀରାକୁଦର ଉପରମୁଣ୍ଡରେ ଓ ତଳମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦ ଡ୍ୟାମରୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବାବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ରହିଛି । ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାୟଗଡ଼ାର କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ହୀରାକୁଦ ଡ୍ୟାମର ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯା’ଫଳରେ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାବେଳେ ଜଳକା ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମହାନଦୀ ଅବବାହିକା ମୁଣ୍ଡୁଳିରେ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟାବେଳକୁ ଏହି ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କରିବ । ଏବେ ଖଇରମାଳ ଠାରେ ୯.୫୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ସ୍ଥିତି ଦେଖି ଡ୍ୟାମର ଗେଟ୍ ଖୋଲାଯିବ ବୋଲି ଶ୍ରୀ ଜେନା କହିଛନ୍ତି । ମହାନଦୀରେ ବନ୍ୟାଆସିଲେ ଏହାର ଅବବାହିକାରେ ଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହେବ । ଏଥିପାଇଁ ୭ଟି ଓଡ୍ରାଫ୍, ୩ଟି ଏନ୍‌ଡିଆର୍‌ଏଫ୍ ଓ ୧୨ଟି ଅଗ୍ନିଶମ ଟିମକୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking