ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ନାମଲେଖା ଉଦ୍ଦେଶ୍ୟରେ ଆବେଦିତ ବିବିଧ ଓ ଜାତି ପ୍ରମାଣପତ୍ରର ତ୍ବରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l ଯେହେତୁ, ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବାସିନ୍ଦା, ଆୟ ଏବଂ ଜାତି ପ୍ରମାଣପତ୍ର ସମେତ ବିଭିନ୍ନ ପ୍ରକାରର ପ୍ରମାଣପତ୍ର ପାଇଁ ବହୁସଂଖ୍ୟକ ଆବେଦନ କରାଯାଉଥିବା ଲକ୍ଷ୍ୟ କରାଯାଉଅଛି l ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ (ORTPSA) ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ଆବଶ୍ୟକ। ଏହାଦ୍ବାରା ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ମଧ୍ୟରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ |
ଏହି ଅତ୍ୟାବଶ୍ୟକ ଜନସେବାଗୁଡ଼ିକର ତୁରନ୍ତ ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି l ତନ୍ମଧ୍ୟରେ ଆବେଦନକାରୀଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍ (edistrict.odisha.gov.in)ରେ ସମ୍ୱନ୍ଧୀୟ ତଥ୍ୟ ସହିତ ଦରଖାସ୍ତ ଉପରେ ଅଧିକାରୀମାନେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବେ l ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପାଇଁ ଆବେଦନକାରୀ ଏକ ଘୋଷଣାପତ୍ର ଦାଖଲ କରୁଥିବାରୁ, ସେଗୁଡ଼ିକୁ କୌଣସି ଅନାବଶ୍ୟକ ବିଳମ୍ବ ନ କରି ତୁରନ୍ତ ପ୍ରଦାନ କରାଯିବ। ଜାତି ପ୍ରମାଣପତ୍ର ସମ୍ବନ୍ଧୀୟ କ୍ଷେତ୍ରୀୟ ଯାଞ୍ଚ ତୁରନ୍ତ ଗ୍ରାମ୍ୟ ସ୍ତରରେ କରାଯିବ। ଜାତି ପ୍ରମାଣପତ୍ର ସମ୍ବନ୍ଧୀୟ କୌଣସି ଆବେଦନର କ୍ଷେତ୍ରୀୟ ଯାଞ୍ଚ ପ୍ରକ୍ରିୟା ରାଜସ୍ୱ ନିରୀକ୍ଷକ(RI)ଙ୍କ ପାଖରେ ତିନି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ l ପ୍ରଚଳିତ ନିୟମ, ନିର୍ଦ୍ଦେଶାବଳୀ କିମ୍ବା ଆଇନଗତ ବ୍ୟବସ୍ଥାରେ ସ୍ପଷ୍ଟ ଭାବରେ ଆବଶ୍ୟକ ନ ଥିଲେ, ଆବେଦନକାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ ଦଲିଲ୍ ଦାଖଲ କରିବା ପାଇଁ ବାଧ୍ଯ କରାଯିବ ନାହିଁ। ଯଥାସମ୍ଭବ ସରକାରୀ କାଗଜପତ୍ର ଓ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ତଥ୍ୟ ଯାଞ୍ଚ କରି ନିଷ୍ପତ୍ତି ଗ୍ରହଣ କରାଯିବ।
ଏହି ପରିପ୍ରେକ୍ଷୀରେ, ବିଶେଷକରି ଶିକ୍ଷାନୁଷ୍ଠାନରେ ନାମଲେଖା ଉଦ୍ଦେଶ୍ୟରେ ଆବେଦିତ ବିଭିନ୍ନ ପ୍ରମାଣପତ୍ରଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି l ଉପଜିଲ୍ଲାପାଳ ଏହାକୁ ନିଜେ ପ୍ରତିଦିନ ତଦାରଖ କରିବା ସହ କୌଣସି ସ୍ତରରେ ଯଦି ଅଯଥା ବିଳମ୍ବ ଘଟୁଥାଏ, ସେ କ୍ଷେତ୍ରରେ ଅବିଳମ୍ବେ ଏହାର ପ୍ରତିକାର ବ୍ୟବସ୍ଥା କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତି ୭ ଦିନରେ ଓ ଜିଲ୍ଲାପାଳ ପ୍ରତି ୧୫ ଦିନରେ ଏବଂ ରାଜସ୍ୱ ଆୟୁକ୍ତ ପ୍ରତି ମାସରେ ତହସିଲ ସ୍ତରୀୟ ସମୀକ୍ଷା ବୈଠକ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ l ତହସିଲ କାର୍ଯ୍ୟାଳୟରୁ ବାସିନ୍ଦା, ଆୟ କିମ୍ବା ଜାତି ପ୍ରମାଣପତ୍ର ପ୍ରାପ୍ତିରେ ବିଳମ୍ବ ହେତୁ କୌଣସି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ଯେପରି ବଞ୍ଚିତ ନ ହୁଅନ୍ତି ; ସମସ୍ତ ରାଜସ୍ୱ ଅଧିକାରୀ ଏହା ସୁନିଶ୍ଚିତ କରିବେ l ଏହି ସମ୍ବନ୍ଧରେ କୌଣସି ପ୍ରକାର ଅବହେଳା କିମ୍ବା ଅଯଥା ବିଳମ୍ବକୁ ଗୁରୁତର ଭାବେ ଗ୍ରହଣ କରାଯିବ ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।










