ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୨-୨୩ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଥିଓରୀ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ । ଏପ୍ରିଲ ୨୮ରେ ଉଭୟ କଳା ଓ ବାଣିଜ୍ୟ ଷ୍ଟ୍ରିମର ଓଡ଼ିଆ ବିଷୟ ପରୀକ୍ଷା ରହିଛି । ୨୮ରୁ ଏନ୍ଟିଏର ଜେଇଇ, ନିଟ୍ ପରୀକ୍ଷା ଥିବାରୁ ବିଜ୍ଞାନ ଷ୍ଟ୍ରିମ୍ ପରୀକ୍ଷା ମେ’ ୯ରୁ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୪ରୁ ୧୨ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଛାତ୍ରଛାତ୍ରୀ କୌଣସି କାରଣରୁ ଯଦି ଫର୍ମ ପୂରଣ କରିନଥା’ନ୍ତି ତେବେ ସେମାନଙ୍କ ଲାଗି ପୁଣି ଫର୍ମ ପୂରଣ କରିବାକୁ +୨ ପରିଷଦ ପକ୍ଷରୁ ସୁଯୋଗ ଦିଆଯାଇଛି । ଏହି ଛାତ୍ରଛାତ୍ରୀମାନେ ଆସନ୍ତା ୨୮ଓ ୨୯ରେ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୪୫୦ ଟଙ୍କା ଫାଇନ ଦେବାକୁ ହେବ ।
ପରୀକ୍ଷା ଫି’ ଦାଖଲ ଲାଗି ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି । ପରୀକ୍ଷା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ଉତ୍ତରଖାତା ପ୍ରଦାନ କରାଯିବ । ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ସେହିପରି ବାୟୋଲଜି ପରୀକ୍ଷା ଲାଗି ସମୟରେ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ଦିନ ପ୍ରଥମ ପର୍ଯ୍ୟାୟରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବଟାନୀ ପରୀକ୍ଷା ଏବଂ ୨୦ମିନିଟ୍ ପରେ ଅର୍ଥାତ ୧୦ଟା୫୦ରୁ ପୂର୍ବାହ୍ଣ ୧୨ଟା୨୦ ପର୍ଯ୍ୟନ୍ତ ଜୁଲୋଜୀ ପରୀକ୍ଷା କରାଯିବ । ଏକ୍ସରେଗୁଲାର(୨୦୨୦ ବ୍ୟାଚ୍) କଳା, ବିଜ୍ଞାନ ଏବଂ ବାଣିଜ୍ୟ ପ୍ରଶ୍ନପତ୍ରର ରଙ୍ଗ ଧଳା ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ରର ରଙ୍ଗ ସବୁଜ ରହିବ । ସେହିପରି ଥିଓରୀ ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍ ପ୍ରଶ୍ନ, ୩୦% ୨,୩ମାର୍କର ପ୍ରଶ୍ନ ଏବଂ ୨୦% ୬ ମାର୍କ ବିଶିଷ୍ଟ ପ୍ରଶ୍ନ ରଖାଯିବ । ସେହିପରି ଏପ୍ରିଲ ୪ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ସକାଳ୯ରୁ ଆରମ୍ଭ ହେବ । ଏଥିରେ ୬୦, ୩୦ ଓ ୨୦ମାର୍କ ପରୀକ୍ଷା ଲାଗି ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୫ ମାର୍କ ପରୀକ୍ଷା ଲାଗି ୨ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି ।
ଅପରପକ୍ଷରେ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ପଦ୍ଧତି ଗ୍ରହଣ କରାଯିବ । ପ୍ରଥମଟି ହେଲା- କଲେଜ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ପ୍ରାଧାନ୍ୟ ଦିଆଯିବ । ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରାଧାନ୍ୟ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ । ଦ୍ୱିତୀୟଟି ହେଲା- କେବଳ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଏହି ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଫର୍ମପୂରଣ ଲାଗି +୨ ପରିଷଦ ପକ୍ଷରୁ ପୁଣି ୨ ଦିନ ସମୟ ରଖିଥିବାରୁ ଚଳିତବର୍ଷ ମୋଟ୍ କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ତାହା ସ୍ପଷ୍ଟ ହୋଇପାରିନାହିଁ ।