କଟକ: ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଚଳିତବର୍ଷ ଏପ୍ରିଲ ୩୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଆମିକସ୍ କ୍ୟୁରି ହାଇକୋର୍ଟରେ ଆଜି ରିପୋର୍ଟ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଅନୁଧ୍ୟାନର ରିପୋର୍ଟ ଦର୍ଶାଇଛନ୍ତି । ଗତ ୧୦ ତାରିଖରେ କୋର୍ କମିଟି ଓ ଏଏସ୍ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିବା ନେଇ ଆମିକସ୍ କ୍ୟୁରିଙ୍କୁ ଏଏସ୍ଆଇ ଜଣାଇଛନ୍ତି ।
ଏଥିସହ ନାଟମଣ୍ଡପ କାମ ଅବିରତ ଚାଲିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛିି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପୂର୍ବରୁ ଏପ୍ରିଲ ୩୦ରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବ ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ହାଇକୋର୍ଟ ଗତ ନଭେମ୍ବର ୧୫ ତାରିଖ ଶୁଣାଣିରେ ନାଟମଣ୍ଡପ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମରାମତି କାର୍ଯ୍ୟ ଦିନକୁ ୬ ଘଣ୍ଟା ଲେଖାଏ କରି ୧୨୦ ଦିନରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଆମିକସ୍ କ୍ୟୁରି ଏହି କାମର ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ । ଶ୍ରୀମନ୍ଦିର ପ୍ରଶାସନ ଏଏସ୍ଅ ।ଇକୁ ଏଥିପାଇଁ ସହଯୋଗ ଯୋଗାଇ ଦେବ । ଏଥିସହ ଶ୍ରଦ୍ଧାଳୁମାନେ ଯେପରି ଦିଅଁ ଦର୍ଶନ କରିବା ନେଇ ଅସୁବିଧାରେ ନପଡ଼ନ୍ତି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବେ । ନାଟମଣ୍ଡପ ମରାମତି ଓ ଶ୍ରଦ୍ଧାଳୁ ଦର୍ଶନ ଉଭୟ କାର୍ଯ୍ୟ ଠିକ ଭାବେ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଭୟ ମଧ୍ୟରେ ସମନ୍ୱୟ ରକ୍ଷା କରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ନଭେମ୍ବର ୧୭ ତାରିଖରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଅବିରତ ଚାଲିଛି । କଟକର ଅଭିଷେକ ଦାସଙ୍କ ଦ୍ୱାରା ରୁଜୁ ଜନସ୍ୱାର୍ଥ ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ପରିଚାଳନା କରୁଛନ୍ତି ।