ନୂଆଦିଲ୍ଲୀ : ଜୈଶ-ଅଲ-ଆଦିର ଏକ ସୁନ୍ନି ସଲାଫି ସଶସ୍ତ୍ର ସଂଗଠନ ଯାହାକି ମୁଖ୍ୟତଃ ଇରାନ୍-ପାକିସ୍ତାନର ଦକ୍ଷିଣ-ପୂର୍ବାଞ୍ଚଳରେ ସକ୍ରିୟ ରହିଛି । ଜୈଶ-ଅଲ୍-ଆଦିର ମାନେ ‘ଆର୍ମି ଅଫ୍ ଜଷ୍ଟିସ୍’ । ସୁନ୍ନି ଆତଙ୍କବାଦୀ ଗ୍ରୁପ୍ ଜୁନଦାଲାହର ସଦସ୍ୟମାନଙ୍କ ଦ୍ୱାରା ଏହି ସଂଗଠନ ଗଠନ କରାଯାଇଥିବା କୁହାଯାଏ । ତେବେ ଏମାନେ ଇରାନ୍ରେ ଥିବା ବାଲୁଚିସ୍ତାନ ନାଗରିକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରୁଥିବା ଦାବି କରିଥାନ୍ତି ।
୨୦୧୨ରେ ଏହା ଗଠନ ହୋଇଥିଲା ଏବଂ ୨୦୧୩ ପରଠାରୁ ଏହା ନିୟମିତ ଭାବେ ଇରାନ୍କୁ ଟାର୍ଗେଟ୍ କରିଆସୁଛି । ୨୦୧୩ରେ ଏହି ସଂଗଠନ ପ୍ରାୟ ୧୪ ଇରାନୀ ସୈନିକଙ୍କୁ ହତ୍ୟା କରିବା ପରେ ଲାଇମ୍ଲାଇଟ୍କୁ ଆସିଯାଇଥିଲା । ଇରାନ୍ରେ ଥିବା ସୁନ୍ନି ବର୍ଗର ମୁସଲମାନ୍ଙ୍କ ଉପରେ ଇରାନୀ ସେନା (ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ)ଙ୍କ ଅତ୍ୟାଚାର ଏବଂ ସିରିଆରେ ଇରାନ୍ ସେନାର ହିଂସକ ଅପରାଧ ବିରୋଧରେ ସେମାନେ ଲଢ଼େଇ ଲଢ଼ୁଥିବା କହିଆସୁଛନ୍ତି । ସମ୍ପ୍ରତି ଏହି ସଂଗଠନର ନେତୃତ୍ୱ ସଲ୍ଲାଉଦ୍ଦିନ୍ ଫାରୁକି ହାତରେ ରହିଛି ।