ଅଂଶୁଘାତ ଏକ ଉତ୍ତାପ ଜନିତ ବେମାରୀ ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ , ରାବଡୋମାୟୋଲାଇସିସ, ବୃକ୍କ ଫେଲ ଆଦି ଲକ୍ଷଣମାନ ଦେଖାଯାଏ ।
ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ , ଅତ୍ୟଧିକ ଆର୍ଦ୍ରତା , କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବା ରୋଗ ସାଧାରଣତଃ ଅତି ଛୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । ଏହା ଏକ ପ୍ରକାର ହାଇପରଥର୍ମିଆ ବା ଉଚ୍ଚତାପମାତ୍ରା ବେମାରୀ । ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ ।
ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ । ବରଫ ପ୍ୟାକ ରୁଟିନ ଭାବରେ ଦିଆଯାଏ ନାହିଁ ।
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।