ନୂଆଦିଲ୍ଲୀ: ୟୁଏଇ ଓ ଓମାନ୍ରେ ହେବାକୁ ଥିବା ଆିସିସି ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତରେ ଟିମ୍ ସହ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଅନ୍ୟ କୋଚିଂ ଷ୍ଟାଫ୍ ଯିବେ ନାହିଁଁ । ଟି-୨୦ ବିଶ୍ୱକପ୍ରେ ଶାସ୍ତ୍ରୀଙ୍କ ଚୁକ୍ତି ସମାପ୍ତ ହେବ । ସେହିପରି ସାଉଥ୍ ଆଫ୍ରିକା ଗସ୍ତ ପର୍ଯ୍ୟନ୍ତ ଚୁକ୍ତି ବୃଦ୍ଧି ପାଇଁ ବିସିସିଆଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ସେ ଗ୍ରହଣ କରିନାହାନ୍ତି । ଏପରି କ୍ଷେତ୍ରରେ ଟିମ୍ ଇଣ୍ଡିଆ ନୂଆ କୋଚ୍ଙ୍କ ସହ ସାଉଥ୍ ଆଫ୍ରିକା ଗସ୍ତ କରିବ । ବିସିସିଆଇର ଏକ ସୂତ୍ରରୁ ୱେବ୍ସାଇଟ୍ ଇନ୍ସାଇଟ୍ ସ୍ପୋର୍ଟ୍ସ ଦେଇଥିବା ଖବର ଅନୁସାରେ, କିଛିମାସ ଚୁକ୍ତି ବୃଦ୍ଧି ପାଇଁ ବିସିସିଆଇ ଦେଇଥିବା ପ୍ରସ୍ତାବକୁ ଶାସ୍ତ୍ରୀ ମନା କରିଦେଇଛନ୍ତି । ଫଳରେ ନୂଆ କୋଚ୍ ନିଯୁକ୍ତି ପାଇଁ ବିସିସିଆଇ ଆବେଦନ ଆମନ୍ତ୍ରିତ କରିପାରେ । ରିପୋର୍ଟରେ କୁହାଯାଇଛି ଯେ ନ୍ୟାସ୍ନାଲ୍ କ୍ରିକେଟ୍ ଏକାଡେମୀର ମୁଖ୍ୟ ପଦରେ ଥିବାରୁ ରାହୁଲ ଦ୍ରାବିଡ୍ ଟିମ୍ ଇଣ୍ଡିଆ କୋଚ୍ ହେବେ ନାହିଁ ।
ତେବେ ସାଉଥ୍ ଆଫ୍ରିକା ଗସ୍ତ ପାଇଁ ତାଙ୍କ ସହିତ ସମ୍ପର୍କ କରାଯାଇଛି କି ନାହିଁ କୌଣସି ସୂଚନା ମିଳିନାହିଁ । ପୂର୍ବରୁ ଟେଲିଗ୍ରାଫ୍ ସହ ଆଲୋଚନା ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିସାରିଛନ୍ତି ଯେ କୋଚ୍ ପଦ ନେଇ ରାହୁଲ ଦ୍ରାବିଡ୍ଙ୍କ ସହ ସମ୍ପର୍କ କରାଯାଇ ନାହିଁ । ଗାଙ୍ଗୁଲି କହିଥିଲେ ଯେ ମୁଁ ଭାବୁଛି ସ୍ଥାୟୀ କୋଚ୍ ଭାବେ କାମ କରିବା ପାଇଁ ତାଙ୍କର କୌଣସି ଆଗ୍ରହ ନାହିଁ । ଅବଶ୍ୟ ଏ ନେଇ ଆମେ ତାଙ୍କ ସହିତ କୌଣସି କଥାବାର୍ତ୍ତା କରିନାହିଁ । ଯେତେବେଳେ ଏ (ମୁଖ୍ୟ କୋଚ୍ ପଦ) ନେଇ ବିଚାର ହେବ କ’ଣ ହେଉଛି ଦେଖାଯିବ । ସାଉଥ୍ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୩ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ସିରିଜ୍ ଖେଳିବ । ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରେ ଏବଂ ଅନ୍ତିମ ମ୍ୟାଚ୍ ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ଖେଳାଯିବ ଏବଂ ଏହା ସହିତ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ଅନ୍ୟପକ୍ଷରେ ୨୦୧୭ରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ନିଯୁକ୍ତି ପାଇଥିବା ଶାସ୍ତ୍ରୀଙ୍କ ଚୁକ୍ତି ୨୦୧୯ରେ ଆଇସିସି ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ଟିମ୍ ଇଣ୍ଡିଆ ବିଦେଶ ମାଟିରେ ଟେଷ୍ଟରେ ଉନ୍ନତ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବ୍ଜା କରିଥିଲେ । ସେହିପରି ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଟିମ୍ ୨-୧ରେ ଆଗୁଆ ରହିଥିଲା । ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଆୟୋଜିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ଶିପ୍ର ଫାଇନାଲ୍ରେ ପ୍ରବେଶ କରିଥିଲା । ଅବଶ୍ୟ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବାକୁ ପଡ଼ିଥିଲା । ଶାସ୍ତ୍ରୀଙ୍କ କୋଚିଂରେ ଭାରତ ୪୩ ଟେଷ୍ଟ ମଧ୍ୟରୁ ୨୫ଟି ବିଜୟ ହାସଲ କରିଥିଲା ଏବଂ ଏଥିରେ ସଫଳତା ହାର ୬୦%ରୁ ଅଧିକ ରହିଛି । ସେହିପରି ଦିନିକିଆରେ ୭୬ରୁ ୫୧ଟିରେ ଟିମ୍ ବିଜୟୀ ହୋଇଥିଲା । ଏଥିରେ ସଫଳତା ହାର ୬୭% ରହିଛି । ଅନ୍ୟପକ୍ଷରେ ଟି-୨୦ରେ ଭାରତ ୬୬% ସଫଳତା ହାର ସହ ୬୦ ମ୍ୟାଚ୍ର ୪୦ଟି ବିଜୟୀ ହୋଇଛି ।