ପୁରୀ: ରଥଯାତ୍ରା ଇତିହାସରେ ଦଳାଚକଟା ବହୁବାର ହୋଇଛି । ପ୍ରାଣ ବି ଯାଇଛି । ମାତ୍ର ରଥଯାତ୍ରା ପରଦିନ ରଥାରୂଢ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦର୍ଶନ କରିବାକୁ ଆସି ପ୍ରାଣ ହରାଇବା ଘଟଣା ରଥଯାତ୍ରା ଇତିହାସରେ ପ୍ରଥମ । ରଥ ଚକା ତଳେ କିଛି ଭକ୍ତ ନିଜକୁ ଜାଣି ଜାଣି ସମର୍ପି ଦେବାର ରେକର୍ଡ ରହିଛି । ରଥ ଦଉଡି ଗୁଡେଇ ହୋଇଯାଇଥିବାରୁ ରଥ ଚଢି ଯାଇ ପ୍ରାଣ ବି ଯାଇଛି । କିନ୍ତୁ ରଥ ପରଦିନ ମହାପ୍ରଭୁଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ କରିବା ବେଳେ ପ୍ରାଣହାନୀ ଘଟଣା କେବେ ବି ଘଟିନାହିଁ । ଯଦିଓ ଦିନ ଅତିଥି ଅନୁଯାୟୀ ଆଜି ତିନି ଜଣଙ୍କ ପ୍ରାଣ ଯିବା ପ୍ରଥମ ଘଟଣା, କିନ୍ତୁ ପୂର୍ୱରୁ ୧୫୬ ବର୍ଶ ତଳେ ବାହୁଡା ଦଶମୀ ଦିନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦୁଇ ଜଣ ଭକ୍ତ ପ୍ରାଣ ହରାଇଥିଲେ । ୧୮୬୯ ମସିହାର ରଥଯାତ୍ରାରେ ଘଟିଥିଲା ଅଭାବନୀୟ ଘଟଣା । ଏହାର ଠିକ ବର୍ଷେ ପୂର୍ୱରୁ ନଦୀ ବଢିରେ ଅନେକ ଲୋକ ଭାସିଯାଇ ପ୍ରାଣ ହରାଇଥିଲେ । ତେଣୁ ମାତ୍ର ୧୧୫୦୦ ଭକ୍ତଙ୍କ ସମାଗମ ହୋଇଥିଲା । ବାହୁଡା ଦଶମୀ ଦିନ ଗୁଣ୍ଡିଛା ମନ୍ଦିର ନିକଟରେ ବଡ ଅଘଟଣ ଘଟିଲା । ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟିବାରେ ବିଳମ୍ବ ହୋଇଥିଲା । ଗୁଣ୍ଡିଚା ମନ୍ଦିରର ଦ୍ୱାର ଫିଟିବା କ୍ଷଣି ଠେଲାପେଲା ଆରମ୍ଭ ହୋଇଗଲା । ରଥ ଦଉଡି ରଖାଯାଇଥିବା ସ୍ଥାନରେ ଠେଲାପେଲାରେ ପ୍ରାୟ ୧୦୦ ଜଣ ଲୋକ ପଡି ଯାଇଥିଲେ । ୮ ଜଣ ଲୋକ ଚେତା ହରାଇଲେ । ସେମାନଙ୍କ ମଧ୍ୟରୁ ଜଣେ ସେଇଠି ଟଳି ପଡିଲା । ୭ ଜଣଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ବେଳେ ଆଉ ଜଣେ ଭକ୍ତଙ୍କ ମୃତ୍ୟୁ ହେଲା । ସେହି ସମୟରେ ରାଜାଙ୍କ କର୍ମଚାରୀ କିମ୍ବା ପୁଲିସ ବାହୀନିରୁ କେହି ଅଧିକାରୀ ଉପସ୍ଥିତ ନଥିଲେ । ଗୁଣ୍ଡିଚା ଦ୍ୱାର ରକ୍ଷା ନିମନ୍ତେ ସ୍ୱତନ୍ତ୍ର ବ୍ୟକ୍ତି ବିଶେଶ ନିଯୁକ୍ତ ହୋଇଥିଲେ । ଘଟଣାର ଅନୁସନ୍ଧାନରୁ ଜଣାପଡିଲା ଯେ ଦୁଇଜଣ ଦ୍ୱାରୀ ଭୁଜା ଓ ପଇସା ଲୋଭରେ ଦ୍ୱାର ଫିଟାଇ ଦେଇ ଏଭଳି ଦୁର୍ଘଟଣା ଘଟାଇଥିଲେ । ସେମାନଙ୍କ ଯୋଗୁଁ ଭକ୍ତମାନଙ୍କର ଏଭଳି ଅବସ୍ଥା ହେବାରୁ ଦ୍ୱାରୀ ଦ୍ୱୟଙ୍କୁ ୩୩୮ ଦଫା ଅପରାଧରେ ଗିରଫ କରାଯାଇଥିଲା । ତତ୍କାଳୀନ ମାଜିଷ୍ଟ୍ରେଟ ସରଜିମନ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
୧୮୦୯ରେ ସର୍ବାଧିକ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୮୦୯ ମସିହାରେ ମନ୍ଦିର ସାମ୍ନାରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ଭକ୍ତମାନେ ମନ୍ଦିର ଫାଟକ ଆଡକୁ ଅଗ୍ରସର ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଦଳାଚକଟାରେ ପ୍ରାୟ ୧୫୦ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା । ରେଭରେଣ୍ଡ ସ୍ମିଥ ଓ ରେଭରେଣ୍ଡ ଗ୍ରିନଙ୍କ ପିରିଓଡିକାଲି ଏକାଉଣ୍ଟ ଅଫ ଦି ବାପଟିଷ୍ଟ ମିଶନ -୧୮୦୯ ରେ ଉକ୍ତ ବର୍ଷ ରଥଯାତ୍ରାର ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ବଣ୍ଣନା ରହିଛି ।