ନୂଆଦିଲ୍ଲୀ: ଶିବପୁରୀ ଜିଲ୍ଲାର ପିଛୋର ଛତ୍ରସାଲ କଲେଜରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ପରୀକ୍ଷା ଦେଉଥିବା ବେଳେ ତାଙ୍କ ସ୍ୱାମୀ ହଲ ଭିତରେ ପ୍ରବେଶ କରି ପରୀକ୍ଷା ଉତ୍ତର ଖାତାକୁ ଚିରି ଦେଇଥିଲେ । ମହିଳା ଜଣକ ସ୍ୱାମୀଙ୍କ ଅନିଚ୍ଛା ସତ୍ତ୍ୱେ ପରୀକ୍ଷା ଦେବାକୁ ଆସିଥିଲେ । ଏହି କାରଣରୁ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିଲେ । ଉକ୍ତ ମହିଳାଙ୍କ ନାମ ଆରତୀ ଲୋଧି ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆରତୀ କାନ୍ଦିକାନ୍ଦି କହିଛନ୍ତି, ‘ସ୍ୱାମୀ ମୋତେ ବହୁତ ହଇରାଣ କରୁଛନ୍ତି ।
ତେଣୁ ମୁଁ ତାଙ୍କ ସହ ଆଉ ରହିବାକୁ ଚାହୁଁନାହିଁ । ମୁଁ ପରୀକ୍ଷା ତାଙ୍କ ଅନିଚ୍ଛା ସତ୍ତ୍ୱେ ଦେଉଥିଲି । କାରଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଚାକିରି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବି । ସ୍ୱାମୀଙ୍କ ଉପରେ ଆଉ ନିର୍ଭର କରି ପାରିବି ନାହିଁ । କିନ୍ତୁ ସ୍ୱାମୀ ମୋତେ ଏପରି କରାଇ ଦେଉ ନଥିଲେ । ତେଣୁ ବାପା ଘରକୁ ଯାଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲି । ଆଉ ପରୀକ୍ଷା ଦେବାକୁ ଆସିଥିଲି । ମୁଁ ପରୀକ୍ଷା ଦେଉଥିବାର ସ୍ୱାମୀ କୌଣସି ସୂତ୍ରରୁ ଖବର ପାଇ ଜୋର ଜବରଦସ୍ତ ପରୀକ୍ଷା ହଲରେ ପ୍ରବେଶ କରି ମୋତେ ଖୋଜି ପାଇ ଯାଇଥିଲେ । ଆଉ ମୁଁ କିଛି ବୁଝିବା ପୂର୍ବରୁ ସେ ମୋ ପରୀକ୍ଷା ଉତ୍ତର ଖାତାକୁ ଚିରି ଦେଇଥିଲେ । ଘଟଣାସ୍ଥଳରେ ଥିବା ଶିକ୍ଷକମ?ାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହାରି କଥା ଶୁଣି ନଥିଲେ ।