ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ନେଇଛି ଏକ କଠୋର ନିଷ୍ପତ୍ତି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କୁ ଅଧ୍ୟକ୍ଷ ପଦରୁ ବରଖାସ୍ତ କରାଯାଇଛି । ନିଜ ବୟାନ ଯୋଗୁଁ ଲଗାତାର ବିବାଦ ଘେରରେ ଥିବା ରମିଜ ଶେଷରେ ନିଜ ପଦବୀ ହରାଇଛନ୍ତି । ତେଣୁ ତାଙ୍କ ବିରୋଧରେ ଏପରି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ପିସିବିର ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ।
ଗତ କିଛି ଦିନରୁ ରମିଜ ରାଜାଙ୍କ ପଦବୀକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ବାରମ୍ବାର ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରମିଜ ରାଜା । ଏମିତି କି ପିସିବିର ଅଧିକାରୀମାନଙ୍କୁ ସେ କହିଥିଲେ ଯେ ସରକାରଙ୍କ ତରଫରୁ ତାଙ୍କ ଅଧ୍ୟକ୍ଷ ପଦରେ ରହିବା ପାଇଁ ମଞ୍ଜୁରୀ ମିଳିଯାଇଛି ।
ସୂଚନା ଅନୁସାରେ, ରମିଜ ରାଜାଙ୍କ ସ୍ଥାନରେ ଏବେ ନଜମ ସେଠୀ ଏହି ପଦରେ ଯୋଗ ଦେବେ । ପୂର୍ବରୁ ମଧ୍ୟ ୨୦୧୭ରେ ପିସିବିର ଅଧ୍ୟକ୍ଷ ପଦରେ ରହି ସାରିଛନ୍ତି ନଜମ୍ । ତେବେ ଇମ୍ରାନ ଖାନ ସରକାରକୁ ଆସିବା ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ତେବେ ସମାନ ଢଙ୍ଗରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ରମିଜ ରାଜାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏବେ ଶହବାଜ ଶରୀଫ ନଜମ ସେଠୀଙ୍କୁ ପିସିବି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇ ପାରନ୍ତି ।