ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ସ୍ୱାଇଁ ପୁଲିସର ସନ୍ଦେହଘେରକୁ ଆସିଛନ୍ତି । ମହିଳା ଥାନା ପୁଲିସ ସମନ୍ କରିବାରୁ ମଙ୍ଗଳବାର ସେ ଥାନାରେ ହାଜର ହୋଇଥିଲେ । ତଥାପି ସେ ପୁଲିସ ଆଗରେ ଅନେକ କଥା ଲୁଚାଇଛନ୍ତି । ୨୦୧୦ରୁ ରମେଶଙ୍କ ସହ ସମ୍ପର୍କ ନଥିବା ବଡ଼ ଆବାଜ୍ରେ କହିଛନ୍ତି । ହେଲେ ଏହି କଥାକୁ ପୁଲିସ ସହଜରେ ଗ୍ରହଣ କରିପାରିନାହିଁ । ତେଣୁ ତାଙ୍କୁ ପୁଣି ପଚରାଉଚରା କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶାନ୍ତିଲତାଙ୍କ ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି । ୩ପିଲାଙ୍କୁ ସେ ଘରୋଇ କଲେଜରେ ମେଡ଼ିକାଲ ପାଠ ପଢ଼ାଇଛନ୍ତି । ସେମାନେ ଏବେ ମୁମ୍ବାଇ, ଦିଲ୍ଲୀରେ ଚାକିରୀ କରିଛନ୍ତି । ଖାଲି ଏତିକି ନୁହେଁ, ସେ ନିଜେ ୨୦୧୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଯାହା ତାଙ୍କୁ ସନ୍ଦେହଘେରକୁ ଆହୁରି ଟାଣିଆଣିଛି । ରମେଶଙ୍କ ଠାରୁ ସମ୍ପର୍କ ଛିନ୍ନ କରିବା ପରେ ସେ କେମିତି ୩ପିଲାଙ୍କୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ ପାଠ ପଢ଼ାଇଲେ, କେମିତି ବିଧାୟକ ନିର୍ବାଚନ ଲଢ଼ିଲେ, ଏହିସବୁ ଦିଗକୁ ନେଇ ତାଙ୍କୁ ପୁଲିସ ଟିମ୍ ଜେରା ବେଳେ ପଚାରିଥିଲେ । କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । କାମାକ୍ଷାନଗର ସ୍ଥିତ ଏକ ବିଶାଳକୋଠାରେ ଶାନ୍ତିଲତା ରହୁଛନ୍ତି । ସେହି ଘରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଗୋଟେପଟେ ରମେଶଙ୍କ ସହ ସମ୍ପର୍କ ନଥିବା ଶାନ୍ତିଲତା କହୁଥିବାବେଳେ ଅନ୍ୟପକ୍ଷେ ତାଙ୍କର କାର୍ଯ୍ୟକଳାପ ସତ କହିଦେଉଛି । ଏସମ୍ପର୍କରେ ଶାନ୍ତିଲତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରମେଶ ଜଣେ ଶ୍ରମିକ ଥିଲେ । ସେ ଡାକ୍ତର ନୁହଁନ୍ତି । ଯିଏ ଭୁଲ୍ କରିଛି, ତାକୁ ଦଣ୍ଡ ମିଳୁ । ତେବେ ଜଣେ ଶ୍ରମିକଙ୍କ ୩ପିଲା ଘରୋଇ ମେଡ଼ିକାଲ କଲେଜରେ କେମିତି କୋଟିକୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ ପାଠ ପଢ଼ିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେଣୁ ଶାନ୍ତିଲତା ପୁଲିସକୁ ଅନେକ କଥା ଲୁଚାଉଥିବା ସ୍ପଷ୍ଟ ହୋଇଛି । ଆବଶ୍ୟକସ୍ଥଳେ ତାଙ୍କୁ ପୁଣି ଜେରା କରାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍ ସାଇଟ୍ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରି ପ୍ରତାରଣା ଦେବା ପରେ ସମ୍ପତ୍ତି ଲୁଟୁଥିଲେ । ଏଭଳିକରି ସେ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ । ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା । ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଆଜି ପଲିଗ୍ରାଫ୍ ଟେଷ୍ଟ
ବାରମ୍ବାର ରିମାଣ୍ଡରେ ଆସିବା ପରେ ବି ନକଲି ଡାକ୍ତର ରମେଶ ସ୍ୱାଇଁ ଅନେକ କଥା ଲୁଚାଉଛନ୍ତି । ପୁଲିସକୁ ବିଭ୍ରାନ୍ତିକର ବୟାନ ଦେଇ ମାମଲାକୁ ସନ୍ତୁଳି ଦେଉଛନ୍ତି । ତେଣୁ ତାଙ୍କ ମୁହଁରୁ ସତ ଓଗାଳିବା ପାଇଁ ବୁଧବାର ପଲିଗ୍ରାଫ ଟେଷ୍ଟ୍ କରାଯିବ । ଏଥିପାଇଁ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟ ପୁଲିସକୁ ଅନୁମତି ଦେଇଛନ୍ତି । ବୁଧବାର ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରିରେ ଏହି ଟେଷ୍ଟ ହେବ । ଏହି ଟେଷ୍ଟ ଜରିଆରେ ତାଙ୍କଠୁ ଏକାଧିକ ଗୁମର କଥା ଜାଣିବାକୁ ପୁଲିସ ଚେଷ୍ଟା କରିବ । ଏଥିପାଇଁ ପ୍ରଶ୍ନାବଳି ପ୍ରସ୍ତୁତ କରାଯାଇଛି । ରମେଶ ପ୍ରକୃତରେ କେତେଜଣଙ୍କୁ ବିବାହ କରିଛନ୍ତି, କେତେଜଣଙ୍କୁ ଚାକିରୀ ଆଳରେ ଠକେଇ କରିଛନ୍ତି, କାହା ନାଁରେ ସମ୍ପତ୍ତି କରିଛନ୍ତି, କେତୋଟି ରାଜ୍ୟକୁ ଠକେଇର ଚେର ଲମ୍ବିଛି, ଠକେଇ ଟଙ୍କା କେଉଁଠି ରଖିଛନ୍ତି, ଭାଇ ଓ ଭିଣୋଇଙ୍କ ଭୁମିକା କଣ, ଏଭଳି ବିଭିନ୍ନ ଦିଗକୁ ନେଇ ୨୦୦ରୁ ଉର୍ଦ୍ଧ୍ୱ ପ୍ରଶ୍ନ ପୁଲିସ ପଚାରିବ ।