ବିହାର: ବିହାରର ପାଟନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ରବିବାର ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ଭୀଷଣ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଗାଡ଼ିରେ ସାଂସଦଙ୍କ ସମେତ ୫ ଜଣ ଥିଲେ।
କୁହାଯାଉଛି ଯେ ସାଂସଦ ଦୁବେ ଗତକାଲି ରାତିରେ ବଗହାରୁ ପାଟନା ଫେରୁଥିଲେ। ଏହି ସମୟରେ ଗାନ୍ଧୀ ସେତୁର ଗାଈଘାଟ ନିକଟରେ ତାଙ୍କ ଗାଡ଼ି ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ଭାଙ୍ଗି ଚୁର୍ମାର ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ଗାନ୍ଧୀ ସେତୁ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ତେବେ ବର୍ତ୍ତମାନ ଯାତାୟାତ ଆରମ୍ଭ ହୋଇଥିବା ସୂଚନା ରହିଛି।
ଏହି ଦୁର୍ଘଟଣାରେ ସାଂସଦଙ୍କ ଡ୍ରାଇଭର ଏବଂ ଅଙ୍ଗରକ୍ଷୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସାଂସଦ ଦୁବେ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ପାଟନାର ଏକ ଘରୋଇ ଡାକ୍ତରଖାନାରେ ତିନି ଜଣଙ୍କର ଚିକିତ୍ସା ଚାଲିଛି।
ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସାଂସଦ, ତାଙ୍କ ଅଙ୍ଗରକ୍ଷୀ ଏବଂ ଡ୍ରାଇଭରଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସାଂସଦ ବିପଦମୁକ୍ତ ଥିବା କୁହାଯାଉଛି।