ନୂଆଦିଲ୍ଲୀ : ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ୩ଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ସାଂସଦ ଭାବେ ସୋନିଆ ନିର୍ବାଚିତ ହୋଇଥିବା ବେଳେ ବିଜେପି ସାଂସଦ ଭାବେ ଚୁନିଲାଲ୍ ଗରାସିଆ ଏବଂ ମଦନ ରାଥୋଡ୍ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ରାଜସ୍ଥାନ କୋଟାର ୧୦ଟି ରାଜ୍ୟସଭା ଆସନ ମଧ୍ୟରୁ ୩ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ କୋଟାରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି କୋଟାରୁ ୨ଟି ଆସନ ପାଇଁ ମଦନ ରାଥୋଡ୍ ଏବଂ ଚୁନିଲାଲ୍ ଗରାସିଆଙ୍କୁ ପ୍ରାର୍ଥୀ କରାଯାଇଥିଲା ।
ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବାରୁ ଏବଂ ଏହି ଦିନ ସୁଦ୍ଧା ଅନ୍ୟ କୌଣସି ୪ର୍ଥ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିନଥିବାରୁ ଏହି ୩ ନେତାଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରାଯାଉଥିବା ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରକାଶ, ସୋନିଆଙ୍କ ପୂର୍ବରୁ ଏହି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭା ପ୍ରାର୍ଥୀ ଭାବେ ଉତ୍ତୀର୍ଣ୍ଣ ହୋଇଆସୁଥିଲେ । ମନମୋହନ ସିଂହଙ୍କ ସାମ୍ପ୍ରତିକ ଶାରୀରିକ ଅସୁସ୍ଥତା କାରଣରୁ କଂଗ୍ରେସ ଏଥର ସୋନିଆଙ୍କୁ ଏହି ଆସନରୁ ରାଜ୍ୟସଭାକୁ ପଠାଇବାକୁ ଯୋଜନା କରିଥିଲା । ସୋନିଆ ମଧ୍ୟ ବୟସାଧିକ୍ୟଜନିତ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିବାରୁ ଲୋକସଭା ନିର୍ବାଚନ ବଦଳରେ ରାଜ୍ୟସଭାରୁ ସାଂସଦ ହେବାକୁ ଶ୍ରେୟସ୍କର ମଣିଥିଲେ ।