ପୁରୀ: ଆସନ୍ତା ୩୦ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ମଦନମୋହନ ଆଜ୍ଞାମାଳ ପାଇ ଖଟ ଉପରେ ବିଜେ ହେବେ । ଛତି ଟେକା ଯାଇ ଘଣ୍ଟା, କାହାଳି ଓ ମହୁରୀର ଧ୍ୱନିରେ ଦେବନୀତି ପାଳିତ ହେବ । ଡଗର ପହଞ୍ଚି ମଦନମୋହନଙ୍କ ଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ । ମଦନମୋହନ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ବିଜେ ହେବେ । ପଟୁଆରରେ ବିମାନବଡ଼ୁ ସେବକମାନେ ବଡ଼ ଦେଉଳର ବେଢ଼ା ପରିକ୍ରମା କରିବେ । ଏହାପରେ ଯଥାବିଧି ଦେବ (ଅଭିଷେକ) ନୀତି ସମ୍ପୂର୍ଣ୍ଣ ହେବ ।
ପାଳିଆ ସେବକମାନେ ଠାକୁରଙ୍କ ବିଜେ ପଥରେ ଶୁଭ୍ରପୁଷ୍ପ ବିଞ୍ଛି ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ କରିବେ । ବିଜେ ପ୍ରତିମାଙ୍କ ପଞ୍ଚାମୃତ ସ୍ନାନ ବିଧି ବଢ଼ି ଫୁଲ ଚନ୍ଦନ ଲାଗି ବେଶ ଅନୁଷ୍ଠିତ ହେବ । ଶୀତଳ ଭୋଗ ଅର୍ପଣ କରାଯିବ । ବନ୍ଦାପନା ନୀତି ବଢ଼ିଲେ ଦକ୍ଷିଣୀ ଘରକୁ ଠାକୁରେ ବିଜେ ହେବେ ।