ବଲାଙ୍ଗିର, (ଦେବାଶିଷ ମିଶ୍ର) – ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବୀ ରେ ମିଳିତ ଛାତ୍ର ସଂସଦ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଶତାଧିକ ଛାତ୍ର ଛାତ୍ରୀ ପ୍ଲାଟିନମ ଜୁବୁଲି ଗେଟ ସମ୍ମୁଖରେ ଏକତ୍ରିତ ହୋଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ନେଇ ବିଭିନ୍ନ ଦାବୀ କରବା ସହ ୩ଘଣ୍ଟା କାଳ କଲେଜ ରାସ୍ତା ବନ୍ଦ କରି ଦେଇଥିଲେ । ଖବର ପାଇ , କଲେଜ କର୍ତ୍ତୃପକ୍ଷ ଓ ଆଦର୍ଶ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ତାଙ୍କ ସୁରକ୍ଷା ସମସ୍ୟା ର ସମାଧାନ ନେଇ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭ ରୁ ଓହରି ଥିଲେ ।
ବିଗତ ଦିନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ବିଶ୍ଵବିଦ୍ୟାଳୟ ସମ୍ପତ୍ତି ର ସୁରକ୍ଷା ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି । ବାରମ୍ବାର ବିଭିନ୍ନ ମଞ୍ଚରେ ଛାତ୍ର ଛାତ୍ରୀ ଏହାକୁ ଉପସ୍ଥାପିତ କରିବା ସତ୍ୱେ କଲେଜ କର୍ତ୍ତୃପକ୍ଷ ଓ ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଥିଲା । ଆଜି ଏହି ପ୍ରସଙ୍ଗକୁ ନେଇ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ଛାତ୍ର ସଂସଦ ମିଳିତ ଭାବେ କଲେଜ ର ପ୍ଲାଟିନମ ଜୁବୁଲି ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଶ୍ୱ ବିଦ୍ୟାଳୟ କୁ ଯିବା ରାସ୍ତା ଅବରୋଧ କରି ଦେଇଥିଲେ । ବିଶ୍ଵ ବିଦ୍ୟାଳୟ ରେ ଅଣ ଛାତ୍ର ପ୍ରବେଶ ବନ୍ଦ , ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିଶ୍ଵ ବିଦ୍ୟାଳୟ ପରିସରରେ ସିକ୍ୟୁରିଟି ଗାର୍ଡ ମୁତୟନ , କ୍ଷତିଗ୍ରସ୍ତ ପ୍ଲାଟିନମ୍ ଜୁବୁଲି ଗେଟ ର ତୁରନ୍ତ ମରାମତି ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ସିସି ଟିଭି ଲଗାଇବା ପାଇଁ ଛାତ୍ରଛାତ୍ରୀ ଦାବୀ କରିଥିଲେ । ପ୍ରାୟ ତିନି ଘଣ୍ଟା କାଳ ରାସ୍ତା ବନ୍ଦ ହେବା ପରେ ବିଶ୍ଵ ବିଦ୍ୟାଳୟ ରେଜିଷ୍ଟାର ଓ ଆଦର୍ଶ ଟାଉନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ତାଙ୍କ ସୁରକ୍ଷା କୁ ନେଇ ପ୍ରତିଶ୍ରୁତି ଦେଇଥିଲେ । ବିଶ୍ଵ ବିଦ୍ୟାଳୟ ରେଜିଷ୍ଟାର ଦୁର୍ଗା ପ୍ରସନ୍ନ ମହାପାତ୍ର ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆଉଟ ସୋସିଂ ଜରିଆରେ କଲେଜ ତରଫରୁ ସିକୁରୀଟି ଗାର୍ଡ ମୁତୟନ କରାଯିବା ସହ କଲେଜ ର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ପ୍ରତିଶ୍ରୁତି ଦେଇଥିଲେ । ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବିଶ୍ୱ ବିଦ୍ୟାଳୟ ପରିସରରେ ଆଜି ଠାରୁ ଦୁଇ ଜଣ ହୋମଗାର୍ଡ ସମେତ ଜଣେ କନେଷ୍ଟେବଲ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହେବେ । ତା ଛଡା ରାତିରେ ଏହି ଅଞ୍ଚଳରୁ ଅସାମାଜିକ ତତ୍ବଙ୍କୁ ଦୁରେଇ ରଖିବା ପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ସେହିପରି ପିଡବ୍ଲୁଡି ଅଧିକାରୀମାନେ ଘଟଣା ସ୍ଥଳକୁ ଆସି ଅତିଶୀଘ୍ର କ୍ଷତିଗ୍ରସ୍ତ ଗେଟ ମରାମତି କରାଯିବା ନେଇ କଥା ଦେବା ପରେ ଛାତ୍ର ଛାତ୍ରୀ ବିକ୍ଷୋଭରୁ ଓହରି ଥିଲେ । ଆଜିର ଏହି ବିକ୍ଷୋଭରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଛାତ୍ର ନେତା ଅଙ୍କିତ ସାହୁ ଓ ସୁମନ ନନ୍ଦ ଉପସ୍ଥିତ ଥିଲେ ।