30.1 C
Bhubaneswar
Saturday, May 4, 2024
Homeଖେଳମୁମ୍ବାଇକୁ ୯ ୱିକେଟ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବାଇକୁ ୯ ୱିକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର: ସୋମବାର ଆଇପିଏଲ୍‌-୨୦୨୪ର ୩୮ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌), ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଆଜିର ଏହି ମ୍ୟାଚ୍‌ରେ ମୁମ୍ବାଇର ଦୁର୍ବଳ ଫିଲ୍ଡିଂ ସାଙ୍ଗକୁ ବୋଲିଂ ବିଫଳତା ଦଳକୁ ଏହି ପରାଜୟ ଆଣିଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି । ରାଜସ୍ଥାନ ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷରୁ ଏକାଧିକ କ୍ୟାଚ୍ ସୁଯୋଗ ମିଳିଥିଲେ ମଧ୍ୟ ମୁମ୍ବାଇ ଫିଲ୍ଡରମାନେ ଏହାକୁ ସଫଳତାରେ ପରିଣତ କରିପାରିନଥିଲେ । ଏକାଧିକ କ୍ୟାଚ୍ ହାତଛଡା କରିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ଏବଂ ମୁମ୍ବାଇ ୧୭୯ରନ୍‌କୁ ସୁରକ୍ଷିତ ରଖିପାରିନଥିଲା । ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ବୋଲିଂ ଆରମ୍ଭ କରିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୭୯ ରନ୍ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ପାଇଁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂକ୍ରମ ଆଜି ରାଜସ୍ଥାନ ରୟାଲ୍ସର ବୋଲରଙ୍କ ପାଖରେ ଆତ୍ମସମର୍ପଣ କରିବା ଦେଖିବାକୁ ମିଳିଛି । ଟସ୍ ଜିତି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ ଯୋଡି ରୋହିତ ଶର୍ମା ଏବଂ ଇଶାନ୍ କିଶନ୍ ଦର୍ଶକଙ୍କୁ ନିରାଶ କରିଥିଲେ । ୩ ବଲ୍ ଖେଳି ଇଶାନ୍ କିଶନ୍ ଆଉଟ୍ ହୋଇଥିବା ବେଳେ ରୋହିତ୍ ଶର୍ମା ମଧ୍ୟ ୬ ରନ୍ କରି ପାଭିଲିୟନ୍ ଫେରିଥିଲେ । ରୋହିତ୍ ଶର୍ମା ପ୍ରଥମ ୱିକେଟ୍ ଭାବେ ଆଉଟ୍ ହେବା ପରେ ପାଳିକୁ ଆଗକୁ ବଢ଼ାଇବାର ଦାୟିତ୍ୱ ନେଇ ପଡ଼ିଆକୁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ମାତ୍ର ୧୦ ରନ୍ କରିପାରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ୨ୟ ୱିକେଟ୍ ଭାବେ ଇଶାନ୍ କିଶନ୍‌ଙ୍କୁ ହରାଇବା ବେଳକୁ ୧.୩ ଓଭର ସୁଦ୍ଧା ମୁମ୍ବାଇର ସ୍କୋର ୬ରନ୍ ରହିଥିଲା । ତେବେ ମୁମ୍ବାଇ ଦଳୀୟ ସ୍କୋର ୨୦ ରନ୍‌ରେ ଥିବା ବେଳେ ତୃତୀୟ ୱିକେଟ୍ ଭାବେ ସୂର୍ଯ୍ୟକୁମାର ଯାଦବ ସନ୍ଦୀଶ ଶର୍ମାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଗୋଟିଏ ପଟେ ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହିଥିବା ବେଳେ ଅନ୍ୟପଟୁ ତିଲକ ବର୍ମା କିନ୍ତୁ ମଙ୍ଗ ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଥିଲେ । ଦଳ ପାଇଁ ସର୍ବାଧିକ ୬୫ ରନ୍‌ର ଏକ ଭରସାଯୋଗ୍ୟ ଇନିଂସ କରିଥିବା ତିଲକ ବର୍ମା, ସନ୍ଦୀପ ଶର୍ମାଙ୍କ ଶିକାର ହୋଇଥିଲେ । ନିଜର ଏହି ୬୫ ରନ୍ ଇନିଂସ ମଧ୍ୟରେ ସେ ୫ ଚୌକା ଓ ୩ ଛକା ମାରିଥିଲେ, ଯାହାକି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କୁ ସାମାନ୍ୟ ଖୁସି ଦେଇଥିଲା । ସେହିପରି ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ନବୀ ୨୩ ରନ୍‌, ନେହାଲ ୱାଧେରା ୪୯ ରନ୍‌, ଅଧିନୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ୍‌, ଟିମ୍ ଡେଭିଡ୍ ୩ ରନ୍ କରିଥିଲେ । ପୀୟୁଷ ଚାୱଲା ୧ ରନ୍ ଏବଂ ଜଶପ୍ରୀତ୍ ବୁମରା ୨ ରନ୍ କରି ଅପରାଜିତ ରହିଥିଲେ । ଅତିରିକ୍ତ ୧୦ ରନ୍ ସହ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୯ ୱିକେଟ୍ ହରାଇ ୧୭୯ ରନ୍ କରିପାରିଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ସନ୍ଦୀପ ଶର୍ମା ଆଜି ଘାତକ ବୋଲର ସାବ୍ୟସ୍ତ ହୋଇଥିଲେ । ସେ ନିଜ ୪ ଓଭରର ସ୍ପେଲ୍‌ରେ ମାତ୍ର ୧୮ ରନ୍ ଦେଇ ମୁମ୍ବାଇର ମୁଲ୍ୟବାନ୍ ୫ୱିକେଟ୍ ନେଇଥିଲେ ।

ଅପରପକ୍ଷେ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ କିନ୍ତୁ ମୁମ୍ବାଇ ଉପରେ ପ୍ରଥମରୁ ହିଁ ନିର୍ଦ୍ଦୟ ଭାବେ ପ୍ରହାର ଜାରି ରଖିଥିଲା । ଓପନିଂ ଯୋଡି ୟଶଶ୍ୱୀ ଜୟଶ୍ୱାଲ୍ ଏବଂ ଜୋସ୍ ବଟଲର୍ ପ୍ରଥମରୁ ହିଁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ରାଜସ୍ଥାନର ଦୁଇ ଓପନର ଲୟରେ ବ୍ୟାଟିଂ କରୁଥିବା ବେଳେ ହଠାତ୍ ବର୍ଷା ହୋଇଥିଲା ଏବଂ କିଛି ସମୟ ଖେଳକୁ ବନ୍ଦ କରିବାକୁ ପଡ଼ିଥିଲା । ବର୍ଷା ପାଇଁ ଖେଳ ବନ୍ଦ କରିବା ବେଳକୁ ରାଜସ୍ଥାନ ପକ୍ଷରୁ କୌଣସି ୱିକେଟ୍ ଯାଇନଥିବା ବେଳେ ବର୍ଷା ପରେ ଖେଳ ଆରମ୍ଭ ହେବା ମାତ୍ରେ ବଟଲର ଆଉଟ୍ ହୋଇଥିଲେ । ପୀୟୁଷ ଚାୱଲାଙ୍କ ବଲ୍‌ରେ ସେ କ୍ଲିନ୍ ବୋଲ୍ଡ୍ ହୋଇ ପାଭିଲିୟନ୍ ଫେରିଥିଲେ । ବଟଲର (୨୫ ବଲ୍‌, ୩୫ ରନ୍‌, ୬ ଚୌକା) ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ୧୨.୧ ଓଭର ସୁଦ୍ଧା ରାଜସ୍ଥାନ ୧ ୱିକେଟ୍ ବିନିମୟରେ ୧୧୪ ରନ୍ ସଂଗ୍ରହ କରିନେଇଥିଲା । ସେହିପରି ୧୪ ଓଭର ଶେଷ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୯.୭୮ ହାରରେ ରନ୍ ସଂଗ୍ରହ କରିବା ପୂର୍ବକ ୧ ୱିକେଟ୍ ବିନିମୟରେ ୧୩୭ ରନ୍ କରିନେଇଥିଲା । ମୁମ୍ବାଇର କୌଣସି ବୋଲର ଯୁବ ବ୍ୟାଟ୍ସମ୍ୟାନ୍ ୟଶଶ୍ୱୀଙ୍କ ଉପରେ ପ୍ରଭାବ ପକାଇପାରିନଥିଲେ ।

ସେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ ଏବଂ ୧୪ ଓଭର ସୁଦ୍ଧା ବ୍ୟକ୍ତିଗତ ଭାବେ ୪୫ ବଲ୍ ଖେଳି ୮୫ ରନ୍ ସଂଗ୍ରହ କରିନେଇଥିଲେ । ଅନ୍ୟପଟୁ ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ ଦେଇଥିଲେ । ସେ ଏହି ସମୟ ସୁଦ୍ଧା ୧୭ ବଲ୍ ଖେଳି ୨୩ ରନ୍ ସଂଗ୍ରହ କରିଥିଲେ । ତେବେ ଶେଷ ୫ ଓଭର ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏକ ସହଜ ସ୍ଥିତିରେ ପହଞ୍ôଚ ସାରିଥିଲା । ଦଳକୁ ୩୦ ବଲ୍‌ରେ ମାତ୍ର ୨୯ ରନ୍‌ର ଆବଶ୍ୟକତା ରହିଥିଲା । ହାତରେ ଏବେ ବି ୯ ୱିକେଟ୍ ଥିବାରୁ ରାଜସ୍ଥାନ ବେଶ୍ ସହଜରେ ଏହି ମ୍ୟାଚ୍ ଜିତିନେବ ବୋଲି ଶେଷ ୫ ଓଭର ପୂର୍ବରୁ ଉପସ୍ଥିତ ଦେଖଣାହାରୀଙ୍କ ଠାରୁ ଆରମ୍ଭ କରି କମେଣ୍ଟେଣ୍ଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିସାରିଥିଲେ । ତେବେ ଶେଷ ପର୍ଯ୍ୟନ୍ତ ପଡ଼ିଆରେ ଥିବା ୟଶଶ୍ୱୀ ଜୟଶ୍ୱାଲ୍ ୫୯ ବଲ୍ ଖେଳି ୮ ଚୌକା, ୭ ଛକା ସହାୟତାରେ ନିଜ ଶତକ ପୂରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking